ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ସାର୍ପସୁଟର ଓ ମଧ୍ୟସ୍ଥକୁ ଉଠାଇ ଆଣି ମୁହାଁମୁହିଁ ଜେରା କରୁଛି। କେତେ ଟଙ୍କାର ଡିଲ୍ ହୋଇଥିଲା? କାହା ରାସ୍ତାରେ କଣ୍ଟା ଥିଲେ ପୀତବାସ? ଏପରି ଅନେକ ପ୍ରଶ୍ନ ଉଭୟଙ୍କୁ ଗୁଡ଼େଇ ତୁଡ଼େଇ ପଚରାଯାଇଥିଲା। ଅନେକ ପ୍ରଶ୍ନରେ ଉଭୟ ଚୁପ୍ ରହିଥିବା କୁହାଯାଉଛି। ତେବେ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନ ଥିବାରୁ ଏହି ମାମଲା ଆହୁରି ଅଡ଼ୁଆ ସୂତାରେ ଛନ୍ଦି ହୋଇଗଲା ଭଳି ଲାଗୁଛି। ପୁଲିସ ଆଗରେ ସାର୍ପସୁଟର ମୁହଁ ଖୋଲିବ କି ବୋଲି ପ୍ରଶ୍ନ ଉଠିଛି। କାରଣ ସେ ମୁହଁ ନ ଖୋଲିଲେ ଅସଲ ମାଷ୍ଟରମାଇଣ୍ଡ ପାଖେ ପହଞ୍ଚିବା ପୁଲିସ ପାଇଁ ଆହୁରି କଷ୍ଟକର ହୋଇପଡ଼ିବ।
ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି: ଡିଜିପି
କଟକ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଶିଷ୍ଟ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ଓଡ଼ିଶା ପୁଲିସକୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ଏହି ଘଟଣାରେ ତଦନ୍ତକାରୀ ଟିମ୍ ତନାଘନା ଚଳାଇଥିବା ବେଳେ ଖୁବ୍ଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଡିଜି ଵାଇ.ବି. ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗତ ୬ ତାରିଖ ରାତିରେ ପୀତବାସଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ସହର ଛାଡ଼ି ପଳାଇଥିଲେ। ସେମାନେ ବାହାର ରାଜ୍ୟରେ ଡେରା ପକାଇଥିଲେ। ବାରମ୍ବାର ସ୍ଥାନ ବଦଳାଉଥିଲେ। ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ବିହାରରେ ଏକାସାଙ୍ଗେ ଚଢ଼ଉ କରି ବ୍ରହ୍ମପୁର ପୁଲିସ ୨ଜଣଙ୍କୁ ଟେକି ଆଣିଛି। ସାର୍ପସୁଟର ଓ ରେକି ଟିମ୍ ସଦସ୍ୟ ଏବେ ପୁଲିସ ପଞ୍ଝାରେ। ଏଥିସହ ଜଣେ ମଧ୍ୟସ୍ଥିକୁ ବି ପୁଲିସ ଉଠାଇ ନେଇଛି। ୩ ଜଣଙ୍କୁ ଏକାସାଙ୍ଗେ ମୁହାଁମୁହିଁ ଜେରା କରାଯାଇଛି। ଅଜ୍ଞାତ ସ୍ଥାନରେ ଏସ୍ପିଙ୍କ ନେତୃତ୍ବରେ ୮ଜଣିଆ ପୁଲିସ ଦଳ ସେମାନଙ୍କୁ ଘନ ଘନ ଜେରା କରୁଛନ୍ତି। ବାରମ୍ବାର ବୟାନ ବଦଳାଉଥିଲାବେଳେ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନରେ ତିନିହେଁ ଚୁପ୍ ରହିଥିବା କୁହାଯାଉଛି।
ଏବେ ବି ପୁଲିସର ୫ଟି ଟିମ୍ ଓଡ଼ିଶା ବାହାରେ ଛାପା ମାରୁଥିବା ଜଣାପଡ଼ିଛି। ଖାସ୍କରି ବିହାର-ନେପାଳ ସୀମା କିଶାନଗଞ୍ଜ, ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ମୁର୍ଶିଦାବାଦ, ଗୁଜୁରାଟ ଓ ତାମିଲନାଡ଼ୁ ଉପରେ ପୁଲିସ ଟିମ୍ ନଜର ରଖିଛି। ବିହାରରୁ ବନ୍ଧୁକ କେତେ ଟଙ୍କାରେ କିଣାଯାଇଥିଲା ଓ ଏହାକୁ କିଏ କିଣିଥିଲା ସେନେଇ ବି ତଦନ୍ତ ହେଉଛି। ଏଥିପାଇଁ ଗତ ଅଗଷ୍ଟ ମାସରେ ରାଉରକେଲାରେ ଧରାପଡ଼ିଥିବା ବନ୍ଧୁକ ବେପାରୀକୁ ବି ପଚରାଉଚରା କରାଯାଇଥିବା କୁହାଯାଉଛି। ଅନ୍ୟପଟେ ଏସ୍ପି କିମ୍ବା ଆଇଜି ଘଟଣା ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ନିରବତା ଅବଲମ୍ବନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/pitabasa-2025-10-17-01-42-27.jpg)