ଭୁବନେଶ୍ବର: ସମ୍ବଲପୁରରେ ଆନ୍ଦୋଳନକାରୀ ଆଇନଜୀବୀମାନଙ୍କ ସହିତ ଯେଉଁ ଭଳି ଭାବେ ଏକାଧିକ ସଂଗଠନ ସାମିଲ ହୋଇ କୋର୍ଟ ପରିସରରେ ବ୍ୟାପକ ଭଙ୍ଗାରୁଜା କଲେ ତାକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା। ପୁଲିସ ଉପସ୍ଥିତିରେ ଏଭଳି ବିଶୃଙ୍ଖଳାକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହିତ ନେଇଥିବା ବେଳେ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଚାରପତିଙ୍କୁ ଯେଉଁ ଭଳି ଭାବେ ବ୍ୟବହାର ପ୍ରଦର୍ଶନ କରାଗଲା ଓ ବିଚାରପତିଙ୍କ ନାମ ଫଳକକୁ ତଳେ ପକାଗଲା ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି। ଆଇନଜୀବୀମାନଙ୍କ ସହିତ ଆନ୍ଦୋଳନରେ ଏତେ ଗୁଡ଼ିଏ ସଂଗଠନ ସାମିଲ ହୋଇଗଲେ, ଅଥଚ ସ୍ଥାନୀୟ ପୁଲିସ ଜାଣିପାରିଲାନି କେମିତି?
ଅନ୍ୟପକ୍ଷରେ ଆଜି ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଏବଂ ଭୁବନେଶ୍ବର ବାର ଆସୋସିଏସନ୍ ପକ୍ଷରୁ କୁହାଯାଇଛି ସମ୍ବଲପୁରରେ ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। କିନ୍ତୁ ସେମାନଙ୍କ ସହିତ କେତେକ ସଂଗଠନ ମିଶି ଏଭଳି ଭଙ୍ଗାରୁଜା କରିଥିଲେ। ଓଡ଼ିଶାରେ କେଉଁଠି ବି ଆଇନଜୀବୀମାନେ ଗଣ୍ଡଗୋଳ, ଭଙ୍ଗାରୁଜା କରି ନାହାନ୍ତି। କିନ୍ତୁ ସମ୍ବଲପୁରରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଉସୁକାଇ ଥିଲା। ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଓଡ଼ିଶା ଆଇନଜୀବୀ ସଂଘ ସଭାପତି ଶିବାନନ୍ଦ ରାୟ କହିଛନ୍ତି। ଓକିଲମାନଙ୍କୁ ବିନା ତଦନ୍ତରେ ପୁଲିସ ଗିରଫ କଲା। ବାଲେଶ୍ବରରେ ଆଇନଜୀବୀମାନଙ୍କ ବ୍ୟାନରକୁ ଚିରିଦେଲେ। ଏସବୁ ପାଇଁ ବାର କାଉନସିଲ୍ ଅଫ୍ ଓଡ଼ିଶା ଏବଂ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଦାୟୀ। ସମ୍ବଲପୁରରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏବେର ସରକାର ଏହା ଚାହୁଁ ନାହାନ୍ତି। ଭୁବନେଶ୍ବର ବାର ଆସୋସିଏସନ୍ ସମ୍ପାଦକ ରାଜ କିଶୋର ଦାସ କହିଛନ୍ତି, ବାର କାଉନସିଲ୍ ଅଫ୍ ଓଡ଼ିଶାର ନିର୍ବାଚନ ଶୀଘ୍ର କରାଯାଉ।
ଅନ୍ୟପକ୍ଷରେ ଆଜି ସମ୍ବଲପୁର ପୁଲିସ ୩ଟି ମାମଲାରେ ୧୭ ଜଣ ଆଇନଜୀବୀଙ୍କୁ ଗିରଫ କରିବା ସହିତ ଏକାଧିକ ଓକିଲଙ୍କ ବିରୋଧରେ ୱାରେଣ୍ଟ୍ ଇସ୍ୟୁ କରିଛି। ସିସିଟିଭି ଫୁଟେଜ ଆଧାରରେ ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ଭିନ୍ନ ଭିନ୍ନ ଥାନାରେ ଆଇନଜୀବୀଙ୍କ ବିରୋଧରେ ପୁଲିସ ୱାରେଣ୍ଟ ଇସ୍ୟୁ କରିଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ପୁଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ଆଜି ସାରା ରାଜ୍ୟରେ ବିଭିନ୍ନ କୋର୍ଟରେ ପରିସ୍ଥିତି ଶାନ୍ତ ରହିଛି। ଯଦି ସୁପ୍ରିମକୋର୍ଟ ଅନୁଭବ କରନ୍ତି ଓଡ଼ିଶା ପୁଲିସ ସମ୍ଭାଳି ପାରୁନାହିଁ ତେବେ ଅର୍ଦ୍ଧସାମରିକ ବାହିନୀ ଲଗାଇ ପାରିବେ। ସୁପ୍ରିମ କୋର୍ଟ ଯାହା ଚାହିଁବେ ତାହା କରି ପାରିବେ ବୋଲି ଡିଜି ଶ୍ରୀ ବଂଶଲ କହିଛନ୍ତି।
ଓକିଲ ଆନ୍ଦୋଳନକୁ ନେଇ ତାତି ଥମୁନି
ଆଇନଜୀବୀମାନଙ୍କ ଗିରଫଦାରୀ ନେଇ ପୁଲିସ ପୁନଃବିଚାର କରୁ: ଆଇନଜୀବୀ ସଂଘ