କଟକ: ରାଜ୍ୟର ବିଚାର ବିଭାଗ ଇତିହାସରେ ଆଜି ପ୍ରଥମ ତଥା ସ୍ବତନ୍ତ୍ର ଘଟଣା ଘଟିଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀଙ୍କ ସହିତ ହାଇକୋର୍ଟର ସମସ୍ତ ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ବେଞ୍ଚ୍ ଆଜି ଏକ ମାମଲାର ଶୁଣାଣି କରିଛନ୍ତି। ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟର ପୂର୍ଣ୍ଣାଙ୍ଗ ବେଞ୍ଚ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକ, ସମ୍ବଲପୁର ବାର୍ ଆସୋସିଏସନ୍ ସଭାପତି, ସଂପାଦକଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଅନ୍ୟ ୬୬ଟି ଆଇନଜୀବୀ ସଂଘକୁ ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବସି ଏଭଳି କୌଣସି ମାମଲାର ଶୁଣାଣି କରିବା ପ୍ରଥମ ଘଟଣା ବୋଲି କୁହାଯାଉଛି।
ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କଲିଜିୟମର ନିଷ୍ପତ୍ତି ପ୍ରତିବାଦରେ ଆଇନଜୀବୀ ମାନେ ଯେଉଁ ଆନ୍ଦୋଳନ ଆରମ୍ଭ କରିଛନ୍ତି, ତାହାକୁ ହାଇକୋର୍ଟ ଗୁରୁତ୍ବର ସହ ଗ୍ରହଣ କରି ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହା ସହିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ବିଭିନ୍ନ ବାର ଆସୋସିଏସନ ଯେଉଁ ଆନ୍ଦୋଳନ କରୁଛନ୍ତି, ତାହାକୁ ମଧ୍ୟ ହାଇକୋର୍ଟ ଗୁରୁତ୍ବର ସହ ନେଇ ବିଚାର ପାଇଁ ଗ୍ରହଣ କରିଛନ୍ତି। କିନ୍ତୁ କୌଣସି ମାମଲାରେ ଏଭଳି ହାଇକୋର୍ଟର ପୂର୍ଣ୍ଣାଙ୍ଗ ବେଞ୍ଚ ବସିବା ଘଟଣା ଓଡ଼ିଶା ବିଚାର ବିଭାଗ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୧କୁ ଧାର୍ଯ୍ୟ କରାଯାଇଥିବା ବେଳେ ସେହି ତାରିଖ ପୂର୍ବରୁ ପକ୍ଷ ରଖିବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟ ପାଇଁ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ କଲେଜିୟମ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ବାରର ସଦସ୍ୟମାନେ ବିରୋଧ କରୁଛନ୍ତି। କଲେଜିୟମ ବ୍ୟବସ୍ଥା ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ଆଇନଜୀବୀମାନେ ଦାବି କରୁଛନ୍ତି। ହାଇକୋର୍ଟରେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାମ ହାଇକୋର୍ଟର ବିଚାରପତି ପଦ ପାଇଁ ଅନୁମୋଦନ କରିବା ନିଷ୍ପତ୍ତିର ପ୍ରତିବାଦ କରୁଛନ୍ତି। ଏହାକୁ ନେଇ ପୂର୍ବରୁ ଆଇନଜୀବୀମାନେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ଜାରି ରଖିଥିଲେ। କିନ୍ତୁ ନୂଆ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଥିବା ନାମ ସାମନାକୁ ଆସିବା ପରେ ତାହାର ପ୍ରତିବାଦରେ ହାଇକୋର୍ଟର ଆଇନଜୀବୀ ସୋମବାରରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବୁଧବାର ପର୍ଯ୍ୟନ୍ତ କୋର୍ଟ ବର୍ଜନ ଜାରି ରହିବ ଘୋଷଣା କରିଛନ୍ତି। ଅକ୍ଟୋବର ୧୬ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।
ଅନ୍ୟପଟେ ହାଇକୋର୍ଟ ବାର୍ ସମେତ ରାଜ୍ୟର ବିଭିନ୍ନ ଆଇନଜୀବୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ନ୍ୟାୟିକ ପ୍ରକ୍ରିୟାରେ
ବାଧା ସୃଷ୍ଟି ହେଉଛି। ନିର୍ଦ୍ଦିଷ୍ଟ ଭାବେ ଏହି ପ୍ରସଂଗରେ ସୁପ୍ରିମକୋର୍ଟଙ୍କର ରାୟ ମଧ୍ୟ ରହିଛି। ତେଣୁ ନ୍ୟାୟିକ ଦୃଷ୍ଟିକୋଣରୁ ଏହି ଆନ୍ଦୋଳନ ପ୍ରସଂଗକୁ ବିଚାରକୁ ନିଆଯିବା ଉଚିତ ବୋଲି ଆଜି ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ୨୦୦୩ରେ ହରିଶ ଉପ୍ପଲ ବନାମ କେନ୍ଦ୍ର ସରକାର ମାମଲା ଓ ୨୦୧୭ରେ ହୁସେନ୍ ବନାମ କେନ୍ଦ୍ର ସରକାର ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ନିୟମାବଳୀ ଜାରି କରାଯାଇଥିଲା। ତେଣୁ ସେହି ରାୟ ଆଧାରରେ ରହିଥିବା ନିୟମାବଳୀର ଉଲ୍ଲଂଘନ ପାଇଁ କାହିଁକି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନଯିବ ବୋଲି ପ୍ରକାଶିତ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏହି ପ୍ରସଂଗରେ ପକ୍ଷ ରଖିବାକୁ ଅନ୍ୟ ପ୍ରତିପକ୍ଷଙ୍କ ସହିତ ୬୮ଟି ବାର୍ ଆସୋସିଏସନକୁ ନୋଟିସ୍ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Odisha-High-Court-1.jpg)