ସମ୍ବଲପୁର: ଆନ୍ଦୋଳନ ବେଳେ ଗତକାଲି କୋର୍ଟ ଭିତରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ଆଜି ନରମିଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବିରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି। ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ଆଜି ଏହା ଘୋଷଣା କରିଛି।

Advertisment

ଅପରପଟେ ସୁପ୍ରିମକୋର୍ଟଙ୍କ କଡ଼ା ଆଦେଶ ପରେ ସମ୍ବଲପୁର ଟାଉନ ଥାନା ପୁଲିସ ମଧ୍ୟ ତତ୍ପରତା ଦେଖାଇଛି। ୨ ଜଣ ମହିଳା ଆଇନଜୀବୀଙ୍କ ସମେତ ମୋଟ୍‌ ୧୫ ଜଣ ଆଇନଜୀବୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଜି ଅପରାହ୍ନରେ ସିଏସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଅଧୀନରେ ଥିବା ସବୁ ଓକିଲ ସଂଘ ସହିତ ଆଲୋଚନା କରାଯିବା ପରେ ବର୍ତ୍ତମାନ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦିଗରେ ସିଏସି ଏବଂ ସମ୍ବଲପୁର ଓକିଲ ସଂଘ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଓଡ଼ିଶା ହାଇକୋର୍ଟଙ୍କ ଉପରେ ଉଚ୍ଚ ଆଶା ପୋଷଣ କରିଥିଲା। ସବୁ ସାମ୍ବିଧାନିକ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଉପରେ ବି ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇ ଆନ୍ଦୋଳନ ସ୍ଥଗିତ ରଖିବାକୁ ପ୍ରସ୍ତାବ ନିଆଯାଇଥିବା ସିଏସିର ସହ-ଆବାହକ ପ୍ରମୋଦ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲିର ଅଭାବନୀୟ ଘଟଣାକୁ କେନ୍ଦ୍ରକରି ୩ ଜଣ ପୁଲିସ ଅଧିକାରୀ ଟାଉନ ଥାନାରେ ଏତଲା ଦେଇଥିଲେ। କୋର୍ଟ ପରିସରକୁ ଧ‌ସେଇ ପଶିବା, ବିଚାରପତିମାନଙ୍କୁ କୋର୍ଟ ଭିତରୁ ବାହାର କରିଦେବା, ଭଙ୍ଗାରୁଜା କରିବା, ପୁଲିସ ସହିତ ଧସ୍ତାଧସ୍ତି ହେବା ଆଦି ଘଟଣାକୁ ନେଇ ଟାଉନ ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ଏହି ଘଟଣା ନେଇ ବିଳମ୍ବିତ ରାତିରେ ପୁଲିସ ଗିରଫ ଅଭିଯାନ ଆରମ୍ଭ କରିଥିଲା। ଆଜି ଦିନସାରା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର ଓ ସୋନପୁର ଏସ୍‌ପି ଅମରେଶ ପଣ୍ଡା, ରାଉରକେଲାର ଅତିରିକ୍ତ ଏସ୍‌ପି ସଂଗ୍ରାମ ବେହେରା ଓ ସମ୍ବଲପୁରର ଅତିରିକ୍ତ ଏସ୍‌ପି ତପନ ମହାନ୍ତି, ଡିଏସ୍‌ପି ପ୍ରଦୀପ ସାହୁଙ୍କ ତତ୍ତ୍ବାବଧାନରେ ବହୁ ସଂଖ୍ୟକ ଇନ୍‌ସପେକ୍ଟର, ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ସହିତ ୨୨ ପ୍ଲାଟୁନ୍ ‌ଫୋର୍ସ ନିୟୋଜିତ କରାଯାଇଥିଲା। ଅପରାହ୍ନରେ ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବାକୁ ଥିବା ଅଗ୍ରସେନ ଭବନ ପରିସରରେ ବି ପହଞ୍ଚିଯାଇଥିଲା। ଓକିଲ ଏବଂ ସାମ୍ବାଦିକମାନେ ପହଞ୍ଚିବା ପୂର୍ବରୁ ପୁଲିସ ଗଣ୍ଡଗୋଳରେ ସଂପୃକ୍ତ ଓକିଲଙ୍କୁ ଗିରଫ ଲକ୍ଷ୍ୟରେ ସେଠାରେ ପହଂଚିଯିବାରୁ ଆଉ ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ ହୋଇପାରିନଥିଲା।

ପୁଲିସ ଗତକାଲି ବିଳମ୍ବିତ ରାତିରୁ ଆଜି ସନ୍ଧ୍ୟା ସୁଦ୍ଧା ୧୫ ଜଣ ଆଇନଜୀବୀଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ସେମାନେ ‌ହେଲେ, ପ୍ରମୋଦ ସରାଫ, ପ୍ରଦ୍ୟୋତ କୁମାର ଶର୍ମା, ଦୀପକ କୁଅଁର, ପ୍ରବୀଣ ସିଂହଦେଓ, ମହେନ୍ଦ୍ର ବଢ଼େଇ, ସିଲୁ ମହାପାତ୍ର, ମହମ୍ମଦ ମୁସ୍ତାକ୍ ଅନ୍‌ସାରୀ, ବିଜୟ କୁମାର ଜେନା, ରତନଲାଲ ଅଗ୍ରୱାଲ, ସୂରଜ ବିଶ୍ବାଳ, ସୁରଂଗିନୀ ବାରିକ, ଅଫ୍‌ସାନା ଅଂଜୁମ୍‌, ମଧୁସୂଦନ ମିତ୍ର, ଶଶାଙ୍କ ଷଡ଼ଙ୍ଗୀ ଓ ବିଦ୍ୟାଧର ପଣ୍ଡା। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନମିଳିବାରୁ ସମସ୍ତଙ୍କୁ ‌ଜେଲ୍‌ ହାଜତକୁ ପଠେଇ ଦିଆଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଓକିଲ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ପୁଲିସ ପ୍ରଶାସନ ସତର୍କ ଦୃଷ୍ଟି ରଖିଥିଲେ ବି ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। କ‌ଚେରି ଅଂଚଳରେ ଓକିଲମାନଙ୍କୁ ଦେଖିବାକୁ ମିଳିନଥିଲା। ଓକିଲମାନଙ୍କୁ ସସ୍‌ପେଣ୍ଡ କରାଯାଇଥିବାରୁ କୌଣସି ଓକିଲ କୋର୍ଟ ଯାଇନଥିଲେ।

ଏଭଳି ସ୍ଥିତିରେ ବିଚାରପତି ଓ କର୍ମଚାରୀମାନେ ଅଦାଲତରେ ଥିଲେ ମଧ୍ୟ ଓକିଲଙ୍କ ଅନୁପସ୍ଥିତି ଯୋଗୁଁ କୋର୍ଟ କାର୍ଯ୍ୟ ଏକପ୍ରକାର ଅଚଳ ହୋଇଯାଇଥିଲା।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଗତକାଲି ୨୯ ଜଣ ଆଇନଜୀବୀଙ୍କୁ ୧୮ ମାସ ପାଇଁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଆଜି ପୁଣି ସେଭଳି କୋଠର ପଦକ୍ଷେପ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ନେଇଛି। ଆଜି ବାର୍‌ କାଉନ୍‌ସିଲ ଅଫ୍ ଇଣ୍ଡିଆ ପକ୍ଷରୁ ୧୪ ଜଣ ଆଇନଜୀବୀ ଅନୱର ଅଲୀ, ବିଜୟ ଜେନା, ବିଷ୍ଣୁ ପାଢ଼ୀ, ସୁରେଂଜିନୀ ବାରିକ, ଦୀପକ କୁଅଁର, ଟିଟୁନ ଶର୍ମା, ଜିତେନ୍ଦ୍ର ପ୍ରଧାନ, ଶଶାଙ୍କ ଶେଖର ପାଢ଼ୀ, ଅଫସାନା ବା‌ନୋ, ପ୍ରବୀଣ ସିଂଦେଓ, ସତ୍ୟ ନାରାୟଣ ପଣ୍ଡା, ଶିଲୁ ମହାପାତ୍ର, ଶିବ ଦିୱାନ, ମନୋଜରଂଜନ ପଣ୍ଡାଙ୍କୁ ୧୮ ମାସ ପାଇଁ ସସ୍‌ପେଣ୍ଡ କରାଯାଇଛି। ଆସନ୍ତାକାଲି ବୁଧବାର ଦିନ ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେସଂପର୍କରେ ଓଡ଼ିଶା ପୁଲିସ ଜଣାଇବ। ଏଥିପାଇଁ ଭିଡିଓ କନଫେରେନ୍ସଂି ଜରିଆରେ କୋର୍ଟରେ ହାଜର ହେବା ଲାଗି ପୁଲିସ ଡିଜି ଏବଂ ସମ୍ବଲପୁର ଆଇଜିଙ୍କୁ ଗତକାଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ସଂପର୍କରେ କାଲି କୋର୍ଟଙ୍କୁ ଅବଗତ କରାଯିବ।