୨୬ଯାଏଁ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ : ୨୭ରେ ନବୀନ ନିବାସ ଘେରାଉ, ଆଜିଠୁ ସରକାରୀ କାର୍ଯ୍ୟାଳୟ ଅଚଳ

କଟକ : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆସନ୍ତା ୨୬ତାରିଖ ଯାଏଁ ଚାଲୁ ରହିବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେଲେ ୨୭ରେ ନବୀନ ନିବାସ ଘେରାଉ କରାଯିବ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଗଠିତ ଆକ୍ସନ କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ପରୋକ୍ଷରେ ସରକାରଙ୍କୁ ଚେତାଇ ଦିଆଯାଇଛି ଯେ ୨୬ତାରିଖ ମଧ୍ୟରେ ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନ ତୀବ୍ର ହେବ। ୨୭ରେ ନବୀନ ନିବାସ ଘେରାଉ କରାଯିବ। କେବଳ ସେତିକି ନୁହେଁ, ଆସନ୍ତାକାଲିଠାରୁ ହାଇକୋର୍ଟ ଓ ଜିଲ୍ଲା ଅଦାଲତ ନିକଟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଅଚଳ କରିବା ପାଇଁ ବି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ରାଜ୍ୟର ଅନ୍ୟ ଆଇନଜୀବୀ ସଂଘଗୁଡିକ ମଧ୍ୟ ସାମିଲ ହେଇ ସେମାନଙ୍କ କଚେରି ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଅଚଳ କରିବା ପାଇଁ ଅନୁରୋଧ କରାଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ କହିଛନ୍ତି ଆନ୍ଦୋଳନ ଆରମ୍ଭ ହେବା ପରେ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। ଦାବି ପୂରଣ ସହିତ ସମସ୍ୟାର ସମାଧାନ ପାଇଁ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ କୁହାଯାଇଥିଲା। ମାତ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ପାଇଁ ମଧ୍ୟ ସମୟ ଦିଆଯାଉ ନାହିଁ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି କହିଛନ୍ତି, ପୂର୍ବଭଳି ୨୬ତାରିଖ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ। ସେହିଦିନ ଅପରାହ୍ନରେ ଏକ ସାଧାରଣ ପରିଷଦ ବୈଠକ ବସିବ। ବୈଠକରେ ୨୭ତାରିଖ ନବୀନ ନିବାସ ଘେରାଉ ସଂପର୍କରେ ଚୂଡ଼ାନ୍ତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ହାଇକୋର୍ଟ ବାର୍‌ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସଂପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର୍‌ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସଂପାଦକ ପ୍ରଦୀପ ପରିଡାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ମାମଲା ଶୁଣାଣି ଘୁଞ୍ଚିଲା, ହାଜର ହେଲେ ଡିଆଇଜି
ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ଘଟଣାକୁ ନେଇ ଦାୟର ମାମଲାର ଆଜି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍‌ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲ୍‌ ବ୍ୟକ୍ତିଗତ ଭାବେ ଶୁଣାଣି ସମୟରେ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ଶୁଣାଣି ପାଇଁ ଅଧିକ ସମୟ ଲୋଡ଼ା ଯାଇଥିଲା। ଏହା ପରେ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ କଟକ ବାର୍‌ ସଭାପତି ଓ ସଂପାଦକ ଗୋଟିଏ ମାମଲା ଦାୟର କରିଥିବା ବେଳେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଅନ୍ୟ ଦୁଇଟି ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର