କଟକ : ୩ ମାସରୁ ଅଧିକ ହେଲାଣି ଅଦାଲତ ଏକପ୍ରକାର ବନ୍ଦ କହିଲେ ଚଳେ। ନିୟମିତ କାମ ନାହିଁ। ଘରଭଡ଼ା ଦେବାକୁ ଟଙ୍କା ନାହିଁ କି ପରିବାର ଚଳାଇବାକୁ ବି ସମ୍ବଳ ନାହିଁ। ସହାୟତା ମିଳିବ ବୋଲି କୁହାଯାଇ ଥିଲେ ବି ଟଙ୍କାଟିଏ ବି ସହାୟତା ମିଳିନାହିଁ। ଏଭଳି ସ୍ଥିତିରେ ପରିବା ବିକିବା ଛଡା ଅନ୍ୟ ବାଟ ନାହିଁ। ଏଭଳି ମନ୍ତବ୍ୟ ରଖି ଆଜି ଓଡ଼ିଶା ହାଇକୋର୍ଟ ସମ୍ମୁଖ ରାସ୍ତାରେ ୩ ଜଣ ଆଇନଜୀବୀ ପରିବା ବିକ୍ରି କରି ଅଭିନବ ପ୍ରତିବାଦ ଜଣାଇଛନ୍ତି।
ପରିବା ବିକ୍ରି କରୁଥିବା ଆଇନଜୀବୀ ସପନ କୁମାର ପାଳ କହିଛନ୍ତି ଯେ, ଅଦାଲତ ବନ୍ଦ ଥିବାବେଳେ କେବଳ ଓକିଲାତି ପେସାରୁ ରୋଜଗାର କରୁଥିବା ଆଇନଜୀବୀମାନେ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ୧୦/୧୫ ବର୍ଷ ଓକିଲାତି କରିଥିବା ବହୁ ଆଇନଜୀବୀଙ୍କ ନିକଟରେ ଏବେ ଘର ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ନାହିଁ। ଗତ ଏପ୍ରିଲ ମାସରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସହାୟତା ଆବଶ୍ୟକ କରୁଥିବା ଆଇନଜୀବୀଙ୍କୁ ଆର୍ଥିକ ସହାଯ୍ୟ ପ୍ରଦାନ କରାଯିବା ବୋଲି କୁହାଯାଇଥିଲା। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନଜୀବୀମାନେ ଦରଖାସ୍ତ ଫର୍ମରେ ସହାୟତା ପାଇଁ ଆବେଦନ କରିଥିଲେ। କିନ୍ତୁ ଏପ୍ରିଲରୁ ଜୁଲାଇ ମାସ ହେଲାଣି ସହାୟତା କିଛି ମିଳିଲା ନାହିଁ। କେବେ ମିଳିବ ବୋଲି ମଧ୍ୟ କିଛି ପରିଷଦ ପକ୍ଷରୁ ସ୍ପଷ୍ଟ କରାଗଲା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ନାଗରିକ ଓ ପେସାଦାରଙ୍କ ପାଇଁ ସହାୟତା ପ୍ରଦାନ କରାଯାଉଥିବାବେଳେ ଆଇନଜୀବୀଙ୍କୁ କିନ୍ତୁ କିଛି ସହାୟତା ଦିଆଯାଉନାହିଁ। ତାମିଲନାଡୁ ଓ ଅନ୍ୟ ରାଜ୍ୟରେ ଆଇନଜୀବୀଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ଦିଆଯାଇଛି। କିନ୍ତୁ ଓଡ଼ିଶାରେ ଏବେ ବହୁ ଆଇନଜୀବୀ ଆର୍ଥିକ ସମସ୍ୟାରେ ଥିବା ବେଳେ କୌଣସି ପଟୁ ସହାୟତା ମିଳୁନାହିଁ। ଏଭଳି ପରିସ୍ଥିତିରେ ଆମେ ପରିବା ବିକିବାକୁ ବାଧ୍ୟ ବୋଲି ଶ୍ରୀ ପାଳ କହିଛନ୍ତି। ଶ୍ରୀ ପାଳଙ୍କ ସହିତ ଆଉ ଦୁଇ ଜଣ ଆଇନଜୀବୀ ମଧ୍ୟ ଏଭଳି ପ୍ରତିବାଦରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର କହିଛନ୍ତି ଯେ, ଏଥିପାଇଁ ସରକାରଙ୍କ ନିକଟରୁ ଆର୍ଥିକ ସହଯୋଗ ଲୋଡ଼ା ଯିବାକୁ ନିଷ୍ପତ୍ତି ହୋଇଛି। ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ୨୫ କୋଟି ଟଙ୍କା ପରିଷଦକୁ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯିବ। ଏ ସଂପର୍କିତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/lawyer.jpg)