ଆଇନଜୀବୀ ଆନ୍ଦୋଳନ ମାମଲା: କଠୋର ହେଲେ ସୁପ୍ରିମ କୋର୍ଟ
ନ୍ୟାୟର ମନ୍ଦିର ଖୋଲା ରହିବା ଆବଶ୍ୟକ, କେନ୍ଦ୍ର ସରକାରଙ୍କୁ ନୋଟିସ୍
କଟକ: ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ସୁପ୍ରିମ କୋର୍ଟ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ବିଚାର ବ୍ୟବସ୍ଥାକୁ ଅଚଳ କରାଯିବା ଉଦ୍ୟମକୁ କୌଣସି ପରିସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ। ନ୍ୟାୟର ମନ୍ଦିରକୁ ଖୋଲା ରଖିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ଉଚିତ। ଏଦିଗରେ ହାଇକୋର୍ଟ କଣ ପଦକ୍ଷେପ ନେଇଛନ୍ତି ବୋଲି କୋର୍ଟ ଜାଣିବାକୁ ଚାହିଁଥିଲେ। ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସ୍ଥାନୀୟ ପୁଲିସ ସକ୍ଷମ କି ନୁହେଁ। ଯଦି ସ୍ଥାନୀୟ ପୁଲିସ ଏଥିରେ ବିଫଳ ହେଉଛି ତାହାହେଲେ ଅର୍ଧ ସାମରିକ ବାହିନୀର ସହାୟତା ନିଆଯାଇପାରିବ। କୋର୍ଟ ଚଳାଇବା ଲାଗି ସେମାନଙ୍କୁ ମୁତୟନ କରାଯାଇପାରିବ। ସୁପ୍ରିମ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ଜଣାଇ ଦେଇଛନ୍ତି ଯେ ଆବଶ୍ୟକ ପଡ଼ିଲେ ଏସଂପର୍କରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ବିଫଳ ହେଲେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ
ଜଷ୍ଟିସ ଏସ୍.କେ.କଉଲ ଓ ଜଷ୍ଟିସ କେ.ଏମ.ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ। ଆଜି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଦାଖଲ କରିଥିବା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ତେବେ ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଥିଲେ ଯେ କୋର୍ଟ କାର୍ଯ୍ୟ ଚାଲିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି ଓ ଅପ୍ରୀତିକର ପରିସ୍ଥିତି ଯୋଗୁଁ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ହାଇକୋର୍ଟରେ ଘୁଞ୍ଚିଥିଲା। ଏହି ସମୟରେ ଖଣ୍ଡପୀଠ କହିଥିଲେ େଯ ବିଚାର ବ୍ୟବସ୍ଥାକୁ ସ୍ଥାଣୁ ହେବାକୁ ଦିଆଯିବ ନାହିଁ। କୋର୍ଟକୁ ଖୋଲା ରଖିବା ପାଇଁ ହାଇକୋର୍ଟ କଣ ପଦକ୍ଷେପ ନେଇପାରିବେ ବୋଲି ଜାଣିବାକୁ ଚାହିଁଥିଲେ। ତେବେ ଏସଂପର୍କରେ ତଥ୍ୟ ଉପସ୍ଥାପନ ପାଇଁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦୁଇ ଦିନ ସମୟ ନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୪କୁ ଧାର୍ଯ୍ୟ କରାଯାଇଥିବା ବେଳେ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ଅକ୍ଟୋବର ୧୬ରେ ପିଏଲଆର ପ୍ରୋଜେକ୍ଟ୍ସ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ଟ୍ରାନ୍ସଫର ପିଟିସନ(ସିଭିଲ)ର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ। ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲା ପରିଚାଳନା ପାଇଁ ଆଗ୍ରହୀ ଆଇନଜୀବୀଙ୍କ ପ୍ରବେଶ ସୁନିଶ୍ଚିତ କରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୬ ତାରିଖ ଦିନ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସ୍ଥାନୀୟ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲା ପରିଚାଳନା ପାଇଁ ଅନୁମତି ଦେଉ ନାହାନ୍ତି। ବାହାରର ଆଇନଜୀବୀଙ୍କୁ ମଧ୍ୟ ଅନୁମତି ଦିଆଯାଉ ନାହିଁ। କେବଳ ପକ୍ଷମାନଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚଳାନା ପାଇଁ ଛଡାଯାଉଛି। ଏଥି ସହିତ ହାଇକୋର୍ଟ ଅକ୍ଟୋବର ୧୫ରେ ଏକ ଅଦାଲତ ଅବମାନନା ମାମଲା ନିଜ ଆଡୁ ରୁଜୁ କରିଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।