ସମ୍ବଲପୁର : ଅଦାଲତଙ୍କ ନକଲି ଆଦେଶ ବଳରେ ଜବତ ଗାଡ଼ି ଥାନାରୁ ବାହାର କରିବା ଉଦ୍ୟମ ଜଣେ ଓକିଲଙ୍କୁ ମହଂଗା ପଡ଼ିଛି। ସଂପୃକ୍ତ ଓକିଲ ବ୍ରଜମୋହନ ପ୍ରଧାନଙ୍କୁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ ନହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠେଇ ଦିଆଯାଇଛି। ପୁଲିସର ସତର୍କତା ଯୋଗୁଁ ଏକ ବଡ଼ ଠକେଇ ଓ ଜାଲିଆତି ଧରାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୯ ଫେବ୍ରୁଆରି ୨୦୨୧ରେ ୫୫ ନମ୍ବର ଜାତୀୟ ରାଜପଥର ବସିଆପଡ଼ା ନିକଟ ମିଲିଟାରି ଛକରେ ଏକ ଟ୍ରକ୍(ଏମ୍ଏଚ୍୪୬- ବିବି୪୩୭୮)ଧକ୍କାରେ ଜଣେ ସ୍କୁଟି ଆରୋହୀ ପ୍ରେମକୁମାର କ୍ଷେତିଙ୍କ ମୃତ୍ୟୁ ଘଟିଥିଲା। ଇଚ୍ଛାପାଲ ଗାଁର ପ୍ରେମକୁମାର ଏକ ଇ-ସ୍କୁଟି କିଣି ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଯୁଯୁମୁରା ଥାନା ପୁଲିସ ଆଇପିସିର ଧାରା ୨୯୭, ୩୦୪ ଦଫାରେ ଏକ ମାମଲା ରୁଜୁ କରିଥିଲା। ଯୁଯୁମୁରା ପୁଲିସ ଏହି ମାମଲାରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହିତ ଗାଡ଼ିଚାଳକ ରାଜେଶ କୁମାର ସିଂହଙ୍କୁ ଗିରଫ କରିଥିଲେ। ସେ କୋର୍ଟରୁ ଜାମିନରେ ଆସିଥିଲେ। ତେବେ, ଗାଡ଼ିମାଲିକ ଜବତ ହୋଇଥିବା ଟ୍ରକ୍ ଥାନାରୁ ବାହାର କରିବା ପାଇଁ ପଡ଼ିଆବାହାଲ ପାଖ ବଡ଼ତୁରାଂଗ ଗାଁ ନିବାସୀ ଓକିଲ ବ୍ରଜମୋହନ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ। ବ୍ରଜମୋହନ ଉକ୍ତ ଗାଡ଼ି ବାହାର କରିବା ପାଇଁ ସ୍ଥାନୀୟ ସଦର ଏସ୍ଡିଜେଏମ୍ କୋର୍ଟର ଏକ ନକଲି ଆଦେଶ ତଆରି କରି ଥାନାରେ ଦେଇଥିଲେ। ଏହି ଆଦେଶ ନକଲରେ ଏସ୍ଡିଜେଏମଙ୍କ ଜାଲ୍ ଦସ୍ତଖତ ସହିତ କୋର୍ଟର ଷ୍ଟାମ୍ପ ବି ପଡ଼ିଥିଲା।
ତେବେ, ଆଦେଶର ନକଲ୍ ଦେଖିବା ପରେ ଯୁଯୁମୁରା ପୁଲିସର ସନ୍ଦେହ ହୋଇଥିଲା। ଯୁଯୁମୁରା ପୁଲିସ ସତ୍ୟତା ଜାଣିବା ପାଇଁ କୋର୍ଟ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେଭଳି କୌଣସି ଆଦେଶ ପ୍ରକାଶ ପାଇନଥିବା ଜାଣିବାକୁ ପାଇଥିଲେ। ଏହି ମାମଲା ପୁଲିସ ଅଦାଲତଙ୍କ ନକଲି ଆଦେଶ ତିଆରି କରିବା ଅଭିଯୋଗରେ ଆଇପିସିର ଧାରା ୪୬୬ ଓ ୪୨୦ରେ ଓକିଲ ଶ୍ରୀ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏପଟେ ସମ୍ବଲପୁର ଟାଉନ ଥାନାରେ ମଧ୍ୟ ଏଭଳି ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ବି ତାଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/jail-bk-f.jpg)