ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଦାବିରେ ଆଇନ୍‌ଜୀବୀମାନେ କରିଥିବା ଆନ୍ଦୋଳନରୁ ସୃଷ୍ଟ ଅଭାବନୀୟ ପରିସ୍ଥିତିକୁ ଇତିମଧ୍ୟରେ ମାସେ ପୂରିଛି। ଆଜିକୁ ମାସେ ହେଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ ଜେଲ୍‌ର ଚାରିକାନ୍ଥ ଭିତରେ ରହିଛନ୍ତି।

Advertisment

ସୂଚନା ଅନୁସାରେ, ଆଜିପର୍ଯ୍ୟନ୍ତ ସମ୍ବଲପୁର ମଣ୍ଡଳ କାରାଗାରରେ ବନ୍ଦୀଥିବା ୩୦ ଜଣ ଆଇନଜୀବୀଙ୍କ ମଧ୍ୟରୁ କାହାରିକୁ ଜାମିନ ମିଳିପାରି ନାହିଁ। ଏହାପରେ ପୁଣି ଅଦାଲତ ଅବମାନନା ମାମଲାରେ ନିଜେ ସିଧାସଳଖ ବା ଓକିଲଙ୍କ ଜରିଆରେ ଆସନ୍ତା ୬ ତାରିଖରେ ହାଜର ହେବାପାଇଁ ଗତ ଗୁରୁବାର ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ସମ୍ବଲପୁର ଜେଲ୍‌ରେ ଥିବା ୩୦ ଜଣ ଓ ୧୮ ମାସ ପାଇଁ ଲାଇସେନ୍ସ ବାତିଲ୍‌ ହୋଇଥିବା ୫୪ ଜଣ ଆଇନଜୀବୀଙ୍କ ପାଇଁ ସବୁ କିଛି ଅନିଶ୍ଚିତ ହୋଇରହିଛି।

ରାଜ୍ୟର ବିଭିନ୍ନ ଓକିଲ ସଂଘର ପ୍ରତିନିଧି ଦଳ ସମ୍ବଲପୁର ଆସି ସେମାନଙ୍କ ପ୍ରତି ସମବେଦନା ଓ ସହାନୁଭୂତି ପ୍ରକଟ କରୁଛନ୍ତି। ଏହିକ୍ରମରେ ଆଜି ଅଲ୍‌ ଓଡ଼ିଶା ଲୟର୍ସ ଆସୋସିଏସନ୍‌ର ଏକ ପ୍ରତିନିଧି ଦଳ ସମ୍ବଲପୁର ଆସି ପ୍ରଥମେ ଜିଲ୍ଲା ଓକିଲ ସଂଘର କାର୍ଯ୍ୟାଳୟରେ ବରିଷ୍ଠ ଆଇନ୍‌ଜୀବୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେମାନେ ମଣ୍ଡଳ କାରାଗାର ଯାଇ ବନ୍ଦୀ ଥିବା ଓକିଲମାନଙ୍କୁ ଭେଟିଥିଲେ। ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଜେଲ୍‌ରେ ଆଇନ୍‌ଜୀବୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଲୟର୍ସ ଆସୋସିଏସନ୍‌ର ଜ୍ଞାନରଂଜନ ମହାନ୍ତି କହିଥିଲେ, ଯେଉଁ ଓକିଲମାନେ ଜେଲ୍‌ରେ ଅଛନ୍ତି ସେମାନେ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିଲେ। ତେଣୁ, ଜେଲ୍‌ରୁ ବାହାରିବା ପରେ ସେମାନଙ୍କ ବିରୋଧରେ ଯେଉଁ ମାମଲା ଚାଲିଛି ଉକ୍ତ କେସ୍‌ଗୁଡ଼ିକୁ ପ୍ରତ୍ୟାହାର କରିବା ନେବାପାଇଁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ ବୋଲି ଶ୍ରୀ ମହାନ୍ତି କହିଥିଲେ।