ଅଦାଲତ ଗେଟ୍‌ରେ ତାଲା ପକାଇଲେ ଆଇନଜୀବୀ : ଅଦାଲତ ପରିସରକୁ ଛାଡ଼ିଲେନି ଜଜ୍‌ଙ୍କୁ

ଆର୍‌ଟିଓ, ସବ୍‌ରେଜିଷ୍ଟ୍ରାର, ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା, ରାଜ୍ୟର ସମସ୍ତ ଆଇନଜୀବୀ ସଂଘ କର୍ମକର୍ତ୍ତାଙ୍କ ମିଳିତ ବୈଠକ ଆଜି

କଟକ : ଜଣେ ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ଆଇନଜୀବୀମାନେ ଅଗଷ୍ଟ ୨୯ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଆଜି କଟକ ଜିଲ୍ଲା ଜଜ୍‌ ଅଦାଲତ ଗେଟ୍‌ ବନ୍ଦ କରି ଧାରଣା ଦେଇଥିଲେ। ଅଦାଲତ ପରିସରକୁ କାହାରିକୁ ଛାଡ଼ି ନଥିଲେ। ଏପରିକି ଜିଲ୍ଲା ଓ ଦୌରା ଜଜ୍‌, ଅନ୍ୟ ବିଚାରବିଭାଗୀୟ ଅଧିକାରୀ ଅଦାଲତ ପରିସରକୁ ପ୍ରବେଶ କରି ନପାରି ଦୀର୍ଘ ସମୟ ଧରି ବାହାରେ ଛିଡା ହୋଇ ରହିଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ ନାୟକ, ସଂପାଦକ ସତ୍ୟବ୍ରତ ପ୍ରଧାନ, କଟକ ବାର୍‌ ସଭାପତି ଉମାକାନ୍ତ ନନ୍ଦ, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ ପରିଡା, କ୍ଷେତ୍ରମୋହନ ଧଳ ପ୍ରମୁଖ ପରିସର ବାହାରେ ଅଟକି ରହିଥିବା ବିଚାରବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦିନ ସାରା ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଏହାର ପ୍ରଭାବ ସଦର ତହସିଲ କାର୍ଯ୍ୟାଳୟ, ଆରଟିଓ, ସବ୍‌-ରେଜିଷ୍ଟ୍ରାର ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଉପରେ ଦେଖିବାକୁ ମିଳିଥିଲା। ଏହି ସବୁ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ସର୍ବସାଧାରଣଙ୍କ ପାଇଁ ଉପଯୁକ୍ତ କାଉଣ୍ଟର ଓ ସେବାକେନ୍ଦ୍ର ଗୁଡିକ କିନ୍ତୁ କାର୍ଯ୍ୟ କରୁ ନଥିଲା। ଅପରାହ୍ନରେ କଚେରି ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଆଇନଜୀବୀମାନେ।

ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ପ୍ରସଂଗରେ ମିଳିତ ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ପଦକ୍ଷେପ ଗହଣ କରାଯିବ ବୋଲି ସୂଚନା ମିଳିଛି।

ମାଡ଼ ଘଟଣା: ଆଇନଜୀବୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ଆରମ୍ଭ କରିଥିବା ବେଳେ ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ନୂଆବଜାର ଅଞ୍ଚଳରେ ରହୁଥିବା ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରକୁ ଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଏସ୍‌.ଏଲ୍‌. ପଟ୍ଟନାୟକ ଶ୍ରୀ ପଟ୍ଟନାୟକଙ୍କୁ ପ୍ରାୟ ଏକ ଘଣ୍ଟା କାଳ ପଚରାଉଚରା କରିଥିଲେ। ୨୮ ତାରିଖରେ କେଉଁ ପରିସ୍ଥିତିରେ ଏ ପ୍ରକାର ବିବାଦ ସୃଷ୍ଟି ହୋଇଥିଲା, ସେ ସମ୍ପର୍କରେ ଆଇଜୀବୀ ଶ୍ରୀ ପଟ୍ଟନାୟକଙ୍କ ବୟାନ ରେକର୍ଡ କରାଯାଇଥିଲା। ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଆଜି ଅନୁପସ୍ଥିତ ଥିବାରୁ ସେମାନଙ୍କ ବୟାନ ସଂଗ୍ରହ କରାଯାଇ ପାରିନାହିଁ। ଆସନ୍ତାକାଲି ଚାଉଳିଆଗଞ୍ଜ ଥାନାର ଅଧିକାରୀ ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର