ଜଳେଶ୍ବର: ମଧୁବାବୁ ଥିଲେ ସ୍ବାଭିମାନର ପ୍ରତୀକ। ତାଙ୍କ ସ୍ବାଭିମାନ, ତ୍ୟାଗ ଓ ନିଷ୍ଠା ପାଇଁ ଓଡ଼ିଶା ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଥିଲା। ମଧୁବାବୁଙ୍କ ପରିକଳ୍ପନାରେ ସେଦିନର ଓଡ଼ିଶା ଆଜି ବହୁ ପଛରେ। ସେଥିପାଇଁ ଆମ ସମସ୍ତଙ୍କୁ ବିଶେଷ କରି ଆଇନଜୀବୀଙ୍କୁ ଏକତ୍ରିତ ହେବାକୁ ପଡ଼ିବ। ଓଡ଼ିଆ ଜାତିକୁ ଉପରକୁ ଉଠାଇବାକୁ ସଂକଳ୍ପ ନେବାକୁ ପଡ଼ିବ। ଓଡ଼ିଶା ଉଠିଲେ ମଧୁବାବୁଙ୍କ ପ୍ରତି ତାହା ହିଁ ଶ୍ରେଷ୍ଠ ସମ୍ମାନ ହେବ ବୋଲି ଜଳେଶ୍ବର ଓକିଲ ସଂଘ ପକ୍ଷରୁ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ଦାସଙ୍କ ଜୟନ୍ତୀରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ଅବସରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

Advertisment

ଆଜି ଅପରାହ୍ନରେ ଲକ୍ଷ୍ମଣନାଥ ସ୍ଥିତ ଜଳେଶ୍ବର ନୂତନ କୋର୍ଟ ପରିସରରେ ଆୟୋଜିତ ସମାରୋହରେ ଜଳେଶ୍ବର ଓକିଲ ସଂଘ ସଭାପତି ଅନିଲ କୁମାର ପରିଡ଼ା ଅଧ୍ୟକ୍ଷତା କରିଥିଲେ। ସମାରୋହ ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ସହ ପୁଷ୍ପାର୍ଘ୍ୟ ପ୍ରଦାନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ଦେବବ୍ରତ ଦାଶ ଯୋଗଦେଇ ବକ୍ତବ୍ୟରେ କହିଲେ ଓଡ଼ିଶା ପ୍ରତି ଓ ଓଡ଼ିଆମାନଙ୍କ ପ୍ରତି ସ୍ବାଭିମାନୀ ମଧୁସୂଦନଙ୍କ ଦାନ ଅତୁଳନୀୟ। ତେବେ ଦିବସ ପାଳନରେ ସୀମିତ ନରହି ମଧୁବାବୁଙ୍କ ସ୍ବପ୍ନର ଓଡ଼ିଶା ଗଠନ ପାଇଁ ଉଦ୍ୟମ ହେଉ। ଏହି ଉଦ୍ୟମ ପ୍ରଥମେ ଆଇନଜୀବୀଙ୍କ ଠାରୁ ଆରମ୍ଭ ହେଉ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାହାରି ପୂଜ୍ୟପୂଜା ନଥିଲେ ଗୋଟିଏ ଜାତି କେବେ ଉପରକୁ ଉଠି ପାରିବନାହିଁ।

ମଧୁବାବୁ ଓଡ଼ିଶା ଓ ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ। ଓଡ଼ିଶା ଏବେ ସବୁ କ୍ଷେତ୍ରରେ ପଛରେ ରହିଛି। ବିଶେଷ କରି ଶିକ୍ଷାକ୍ଷେତ୍ରରେ ଓଡ଼ିଶା ପଛରେ ରହିବା ବିଡ଼ମ୍ବନାର ବିଷୟ। ଆମ ଓଡ଼ିଆ ଜାତିକୁ ଉପରକୁ  ଉଠାଇବା ପାଇଁ ଆଇନଜୀବୀଙ୍କୁ ଦାୟିତ୍ବ ନେବାକୁ ପଡ଼ିବ। ଓକିଲମାନେ ଜାଗ୍ରତ ପ୍ରହରୀ ଓ ସ୍ବାଭିମାନୀ ନହେଲେ ଶାସନ ସ୍ବେଚ୍ଛାଚାରୀ ହୋଇଯିବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଜଜ୍ ଭଗବାନ ଚନ୍ଦ୍ର ପ୍ରଧାନ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସମାରୋହରେ ଉଭୟ ନ୍ୟାୟମୂର୍ତ୍ତିଙ୍କ ସମେତ ବାଲେଶ୍ବର ଜିଲ୍ଲା ଜଜଙ୍କୁ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଜଳେଶ୍ବର ବ୍ଲକ୍ ଅଧ୍ୟକ୍ଷ ମାନସ କୁମାର ଜେନା, ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ପୌର ପରିଷଦ ସଭାପତି ପ୍ରତୀପ କୁମାର ପ୍ରଧାନ, ଉପସଭାପତି ପୁଷ୍ପପ୍ରିୟା କାମିଳା, ଜିଲ୍ଲା ପରିଷଦ ଉପସଭାପତି ଅନସୂୟା ପ୍ରଧାନ ଓ ଜଳେଶ୍ବର ଓକିଲ ସଂଘ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଓକିଲ ସଂଘର ସଭାପତି ଅନିଲ କୁମାର ପରିଡ଼ା ଜଳେଶ୍ବର, ରାଇବଣିଆ, କମର୍ଦ୍ଦା, ଭୋଗରାଇ ଓ ତାଳସାରି ସାମୁଦ୍ରିକ ଥାନାର ଲୋକଙ୍କୁ ଏବେ ବି ନ୍ୟାୟ ପାଇଁ ବାଲେଶ୍ବର ଯିବାକୁ ପଡୁଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଏଦିଗରେ ପଦକ୍ଷେପ ନେବାକୁ ଉଭୟ ନ୍ୟାୟମୂର୍ତ୍ତି ଓ ଆଇନ ବିଭାଗ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜଳେଶ୍ବର କୋର୍ଟରେ ଇ-ସେବା ପାଇଁ କକ୍ଷ ଖୋଲା ଯାଇଥିଲେ ମଧ୍ୟ ତାହା କାର୍ଯ୍ୟ କରୁ ନଥିବା ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଜଳେଶ୍ବର କୋର୍ଟକୁ ସୁବିଧାରେ ସାଧାରଣ ଲୋକଙ୍କ ଯାଆସ ପାଇଁ ଏକ ଅଣ୍ଡରପାସ ଅଥବା ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ସାଂସଦ ଓ ବିଧାୟକଙ୍କ ସହଯୋଗ କାମନା କରିଥିଲେ। ଶେଷରେ ଓକିଲ ସଂଘର ସମ୍ପାଦକ ବିଜନ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହକୁ ଜଳେଶ୍ବର ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।