ବଢ଼ୁଛି ଆଇନଜୀବୀଙ୍କ ବିବାଦ : ଏପଟେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ସେପଟେ କାର୍ଯ୍ୟରେ ଯୋଗ ଦେବାକୁ ଆହ୍ବାନ

ସୋମବାର କାମ କରିବାକୁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଘୋଷଣା, ବିଜେପିର କଟକ ବନ୍ଦ ଚେତାବନୀ

କଟକ : କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଚରମ ସୀମାରେ ପହଞ୍ଚିଛି। ଆଜି ହାଇକୋର୍ଟ ବାର୍ ଆସୋସିଏସନ ପରିସରରେ ଶତାଧିକ ଆଇନଜୀବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି, ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ଓ ମିଲନ କାନୁନଗୋଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଅନୁରୂପ ଭାବେ ଆଇନଜୀବୀ ଆନ୍ଦୋଳନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରି କଟକ ନଗର ଯୁବ ଓ ଛାତ୍ର ସ୍ବାଭିମାନ ମଞ୍ଚ ପକ୍ଷରୁ ଚାନ୍ଦିନୀଚୌକ ଛକରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିବା ସହ ମାମଲା ସମାଧାନ ନହେଲେ ନଗର ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ବ‌ିଜେପି ନେତା ବିଶ୍ବଜିତ୍ ମହାନ୍ତି ଆଇନଜୀବୀ ଆନ୍ଦୋଳନକୁ ରାଜ୍ୟ ସରକାର ରାଜନୈତିକ ରୂପ ଦେଉଥିବା ଅଭିଯୋଗ କରିଛନ୍ତି। ଏ ପ୍ରକାର କୁଶପୁତ୍ତଳିକା ଦାହ, ବୟାନବାଜି ଗୋଟିଏପଟେ ଚାଲିଥିବା ବେଳେ ଅନ୍ୟପଟେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଆସନ୍ତାକାଲି କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ଘୋଷଣା କରିଛି। ଏଭଳି ସ୍ଥିତିରେ ବାର୍ ଆସୋସିଏସନ୍ ଓ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଏକପ୍ରକାର ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିବାରୁ ଆସନ୍ତାକାଲିର ଘଟଣାକ୍ରମ ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ବାର୍ ଆସୋସିଏସନ୍ ପରସରରେ ଆଜି ସକାଳ ପ୍ରାୟ ୧୦ଟାରେ ଶତାଧିକ ଆଇନଜୀବୀ ଏକତ୍ରିତ ହୋଇ ବିଜେଡି ଆଇନଜୀବୀ ସାମ୍ମଖ୍ୟ ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ। ଆଇନଜୀବୀମାନେ ଶୋଭାଯାତ୍ରାରେ ବାହାରି କଚେରି ଅଞ୍ଚଳ ପରିକ୍ରମା କରିବା ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଓ ସାମ୍ମୁଖ୍ୟର କର୍ମକର୍ତ୍ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହାପରେ ଆଇନଜୀବୀମାନେ ରାଜ୍ୟ ଆଇନଜୀବୀ ପରିଷଦରେ ପହଞ୍ଚି ବରିଷ୍ଠ ସଦସ୍ୟ ଚିନ୍ମୟ ମହାନ୍ତିଙ୍କ ସହିତ ଏ ପ୍ରସଂଗରେ ବିସ୍ତୃତ ଆଲୋଚନା କରିବା ପରେ ପରିଷଦ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆଇନଜୀବୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସେପଟେ ସାମ୍ମୁଖ୍ୟର ଉପଦେଷ୍ଟା ଆଇନଜୀବୀ ଅସୀମ ଅମିତାଭ ଦାସ କହିଛନ୍ତି, ବହୁ ଆଇନଜୀବୀ ଚାହୁଁଛନ୍ତି କୋର୍ଟ ସୂଚାରୁ ରୂପେ ଚାଲୁ। ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମଧ୍ୟ ନ୍ୟାୟ ମିଳୁ। ଅଦାଲତରେ ଏବେ ଏ ସଂପର୍କିତ ମାମଲା ବିଚାରାଧୀନ ରହିଛି। କୋର୍ଟ ନିଷ୍ପତ୍ତି ନିଅନ୍ତୁ। ହାଇକୋର୍ଟ ବାର୍ ଆସୋସିଏସନରେ ଗତ ୨୬ ତାରିଖ ଦିନ ଯେଉଁ ରିଜୋଲ୍ୟୁସନ୍ ହୋଇଛି ତାହା ଠିକ୍ ନୁହେଁ। ଗତକାଲି ଓ ଆଜି କିଏ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କର୍ମକର୍ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି, ତାହା ଜଣା ନାହିଁ। ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଏପରି କିଛି କରାଯାଇ ନାହିଁ କି’ ଏ ନେଇ ସେଭଳି କିଛି ରିଜୋଲ୍ୟୁସନ୍ ଗୃହୀତ ହୋଇନାହିଁ। ଅଯଥାରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିବାଦକୁ ଟଣା ଯାଉଛି। କାର୍ଯ୍ୟରେ ଯୋଗ ଦେବା ପାଇଁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଇଚ୍ଛା ପ୍ରକାଶ କରିଥିବା ବେ‌େଳ ଏ ସଂପର୍କରେ ବାର୍ ଆସୋସିଏନକୁ ଲିଖିତ ଭାବେ ଅବଗତ କରାଯାଇଛି। ଆଇନଜୀବୀ ସାମ୍ମୁଖ୍ୟର ସମସ୍ତ ସଦସ୍ୟ ଓ ଅନ୍ୟ ଯେଉଁ ଆଇନଜୀବୀ ମାନେ ଚାହୁଁଛନ୍ତି କୋର୍ଟ ଚାଲୁ ବୋଲି, ସେମାନେ ସୋମବାର କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର