ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନ : ଜିଲ୍ଲା ଜଜ୍‌ଙ୍କୁ ୨୫ ମିନିଟ୍‌ ଘେରିଲେ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ୫୦ ଦିନରୁ ଅଧିକ ସମୟ ହେଲା ଠପ୍ ହୋଇପଡ଼ିଛି ଅଦାଲତ। ଏହାର ସମାଧାନ ପାଇଁ ଜିଲ୍ଲାଜଜ୍ କି ପଦକ୍ଷେପ ନେଇଛନ୍ତି? ହାଇକୋର୍ଟ ମୁଖ୍ୟ ବିଚାରପତି କିମ୍ବା ସମ୍ବଲପୁର ଅଦାଲତର ପ୍ରୋଟୋକଲ ବିଚାରପତିଙ୍କ ଏ ନେଇ ଆଲୋଚନା କିମ୍ବା ଦୃଷ୍ଟି ଆକର୍ଷଣ କରାଯାଇଛି କି? ପ୍ରାୟ ୨୫ ମିନିଟ୍‌ ଧରି ସମ୍ବଲପୁର ଜିଲ୍ଲା ଜଜ୍ ମଳୟ ଦାସଙ୍କୁ ଆନ୍ଦୋଳନରତ ଆଇନଜୀବୀ ଏବଂ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ଏଭଳି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ, ଆନ୍ଦୋଳନକାରୀଙ୍କ ପକ୍ଷରୁ ହାଇକୋର୍ଟ ବେଞ୍ଚ୍‌ ନେଇ ପତ୍ର ଦିଆଗଲେ ସେ ଏହାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ପ୍ରୋଟୋକଲ୍‌ ବିଚାରପତିଙ୍କ ସହିତ ଆଲୋଚନା କରିବେ ବୋଲି ଜିଲ୍ଲା ଜଜ୍ କହିଥିଲେ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ନେଇ ସେପ୍ଟେମ୍ବର ମାସ ୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଏଥିଯୋଗୁଁ ଅଦାଲତରେ ପଡ଼ି ରହିଥିବା ମାମଲା ବଢ଼ିବାରେ ଲାଗିଛି। ବିଚାର ଅଦାଲତ ସହିତ ରାଜସ୍ବ ଅଦାଲତ ବନ୍ଦ ଯୋଗୁଁ ପ୍ରମାଣପତ୍ର ପ୍ରସ୍ତୁତି ଠାରୁ ଜମି ପଞ୍ଜୀକରଣ, ରାଜସ୍ବ ସଂଗ୍ରହ ଭଳି ସମସ୍ତ ଅତ୍ୟାବଶ୍ୟକୀୟ କାର୍ଯ୍ୟ ଠପ୍ ହୋଇ ପଡ଼ିଛି। ଏଥିଯୋଗୁଁ ଲୋକଙ୍କ ଦୁର୍ଦଶା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ହାଇକୋର୍ଟ ବେଞ୍ଚ୍‌ ଦାବି ନେଇ ହାଇକୋର୍ଟ ବିଚାରପତି କେବେ ପଦକ୍ଷେପ ନେବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାଇକୋର୍ଟ ବେଞ୍ଚ୍‌ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ପ୍ରତିଥର ବିଚାରପତି ଆସନ୍ତି ଏବଂ ଓକିଲମାନେ ତାଙ୍କୁ ଫେରାଇ ଦିଅନ୍ତି। ମାତ୍ର ପ୍ରଥମଥର ପାଇଁ ଆଜି ଜିଲ୍ଲା ଜଜ୍‌ଙ୍କୁ ଆନ୍ଦୋଳନକାରୀଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା।

ହାଇକୋର୍ଟ ବେଞ୍ଚ ନେଇ ରାଜ୍ୟପାଳଙ୍କ ପତ୍ର
ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳ ଗଣେଶୀଲାଲ ମୁଖ୍ୟ ଶାସନ ସଚିବ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଦେଇଛନ୍ତି । ଏଥିରେ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ, ଅକ୍ଟୋବର ୮ ରୁ ୧୩ ତାରିଖ ମଧ୍ୟରେ ତାଙ୍କର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଗସ୍ତ ସମୟରେ ହାଇକୋର୍ଟ ବେଞ୍ଚ୍‌ ଦାବି ନେଇ ସେ ସ୍ମାରକପତ୍ର ପାଇଛନ୍ତି। ଏହାରି ଆଧାରରେ ସେ ଏହି ପତ୍ର ଲେଖିଥିବା ରାଜ୍ୟପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର