ଜୟପୁର : ‘ସାର୍ ଦାଶ ବାବୁ କହୁଥିଲି। ମେଡିକାଲ୍ ଆସିଛି। ପର୍ସ ଘରେ ଭୁଲି ଯାଇଛି। ଚିକିତ୍ସା ପାଇଁ ଟଙ୍କା ଦରକାର। ଫୋନ୍-ପେ’ରେ ପଠାଇଥାନ୍ତୁ। ଦିନ ୧୧ଟା ସୁଦ୍ଧା ଫେରାଇଦେବି…। ନିଜ ପରିବାର ସଦସ୍ୟ ନାଁରେ ବିଶ୍ବାସ ଜନ୍ମାଇ ଆଇନଜୀବୀଙ୍କ ନିକଟରୁ ୩୦ ହଜାର ଟଙ୍କା ଠକି ନେଇଛି ସାଇବର୍ ଲୁଟେରା। ଲୁଟ୍ର ଶିକାର ହୋଇଛନ୍ତି ଜୟପୁରର ବରିଷ୍ଠ ଆଇନଜୀବୀ ବୀରେଶ ପଟ୍ଟନାୟକ। ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଗତ ମଙ୍ଗଳବାର ସକାଳେ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଫୋନ୍ଆ ସିଥିଲା। ମୋବାଇଲ୍ ନଂ-୭୭୫୦୮୭୪୪୩୨ରୁ କଲ୍ କରିଥିବା ବ୍ୟକ୍ତି (ଦାଶ ବାବୁ) ନିଜକୁ ସଂପର୍କୀୟ ଦର୍ଶାଇ ବୀରେଶଙ୍କୁ ୧୦ ହଜାର ଟଙ୍କା ମାଗିଥିଲା। ଶ୍ରୀ ପଟ୍ଟନାୟକ ମଧ୍ୟ ବିଶ୍ବାସ କରି ମୋବାଇଲ୍ ନଂ-୮୨୪୯୦୫୭୨୬୪ରେ ୧୦ ହଜାର ଟଙ୍କା ପଠାଇଥିଲେ। ଏହାପରେ ପୁଣି ୮ଟା ୪୮ରେ କଲ୍ କରି ଆଉ ୧୦ ହଜାର ଟଙ୍କା ମାଗିଥିଲା। ମେଡିକାଲରୁ ଘରକୁ ଫେରିଲେ ସମସ୍ତ ଟଙ୍କା ଫେରାଇବା ପ୍ରତିଶ୍ରୁତି ଦେବାରୁ ଶ୍ରୀ ପଟ୍ଟନାୟକ ପୁଣି ୧୦ ହଜାର ଟଙ୍କା ପଠାଇଥିଲେ। ୧୦ଟା ୪୭ରେ ଦାସ ବାବୁ ନାମକ ସାଇବର ଲୁଟେରା ଶ୍ରୀ ପଟ୍ଟନାୟକଙ୍କୁ ଫୋନ୍ କରି ୩୦ ହଜାର ଟଙ୍କା ଫୋନ୍-ପେ’ରେ ଫେରାଇ ଦେଇଥିବା କହିଥିଲା। ଏପରିକି ଚତୁରତାର ସହ ୩୦ ହଜାର ଟଙ୍କାର ଜାଲ୍ ରସିଦ୍ (ଫୋନ୍ ପେ) ଶ୍ରୀ ପଟ୍ଟନାୟକଙ୍କ ହ୍ବାଟସ୍ଆପ୍କୁ ପଠାଇଥିଲା। ୨୦ ହଜାର ଟଙ୍କା ବଦଳରେ ୩୦ ହଜାର ଫେରାଇ ଦେଇଥିବାରୁ ୧୦ ହଜାର ଟଙ୍କା ଫୋନ୍ ପେ’ ନଂ-୭୮୫୨୯୭୬୭୭୦ରେ ଫେରାଇ ଦେବାକୁ ଶ୍ରୀ ପଟ୍ଟନାୟକଙ୍କୁ କହିଥିଲା ସାଇବର୍ ଲୁଟେରା।
ଶ୍ରୀ ପଟ୍ଟନାୟକ ମଧ୍ୟ ଉକ୍ତ ନଂକୁ ୧୦ ହଜାର ଟଙ୍କା ଫେରାଇ ଦେଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ଠକେଇ ସମ୍ପର୍କରେ ଜାଣିବା ପରେ ଶ୍ରୀ ପଟ୍ଟନାୟକ କଲ୍ ଆସିଥିବା ନମ୍ବରକୁ ଯୋଗାଯୋଗ କରିଥିଲେ। କିନ୍ତୁ କିଛି ସେକେଣ୍ଡ କଥା ହୋଇ ବବୁଆ ପାତ୍ରଙ୍କୁ ଟଙ୍କା ମାଗନ୍ତୁ କହି ମୋବାଇଲ୍ ସୁଇଚ୍ ଅଫ୍ କରି ଦେଇଥିଲା ଲୁଟେରା। ବହୁ ଚେଷ୍ଟା ସତ୍ତ୍ବେ ସନ୍ଧ୍ୟା ସୁଦ୍ଧା ଟଙ୍କା ଫେରି ନ ପାଇବାରୁ ଶ୍ରୀ ପଟ୍ଟନାୟକ ଆଜି ଜୟପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଜୟପୁରର ଆଉ ଜଣେ ଆଇନଜୀବୀ ମଧ୍ୟ ସାଇବର୍ ଠକେଇର ଶିକାର ହୋଇଛନ୍ତି। ସେହିପରି ମାଲକାନଗିରି ଜିଲ୍ଲାର ୪ ଆଇନଜୀବୀଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛି ସାଇବର୍ ଲୁଟେରା।