ଉଭୟ ଭର୍ଚୁଆଲ୍ ,ଫିଜିକକାଲ ମୋଡ୍‌ରେ ହାଇକୋର୍ଟରେ ମାମଲା ଶୁଣାଣି ସପକ୍ଷରେ ଆଇନଜୀବୀ

କଟକ : କରୋନା ଭୂତାଣୁ ସଂକ୍ରମଣ ସ୍ଥିତିରେ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଭର୍ଚୁଆଲ ମୋଡ୍‌ରେ କେବଳ ମାମଲା ଶୁଣାଣି ଚାଲିଥିବା ବେଳେ ଏହାକୁ ଆାଇନଜୀବୀମାନେ ବିରୋଧ କରିଛନ୍ତି। ମାର୍ଚ୍ଚ ୩୧ ତାରିଖ ପୂର୍ବର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସପକ୍ଷରେ ଆଇନଜୀବୀମାନେ ମତ ଦେଇଛନ୍ତି। ପୂର୍ବ ଭଳି ହାଇକୋର୍ଟରେ ବ୍ୟକ୍ତିଗତ ଉପସ୍ଥିତିରେ ଫିଜିକାଲ ମୋଡ୍‌ରେ ଓ ଭର୍ଚୁଆଲ ମୋଡ୍‌ରେ ମାମଲା ଶୁଣାଣି ପାଇଁ ଆଇନଜୀବୀମାନେ ମତ ଦେଇଛନ୍ତି।

ହାଇକୋର୍ଟ ବାର୍ ଆସୋସିଏସନ୍ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ପ୍ରସଂଗରେ ଆଲୋଚନା କରାଯାଇଥିଲା। ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭର୍ଚୁଆଲ ମୋଡ୍‌ରେ ମାମଲା ପରିଚାଳନା ପାଇଁ ଆଇନଜୀବୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ପରିଚାଳନା ସମୟରେ ଇଣ୍ଟରନେଟ୍ ସଂଯୋଗ, ବିଦ୍ୟୁତ ସଂଯୋଗ ଓ ଅନ୍ୟାନ୍ୟ ବୈଷୟିକ ସମସ୍ୟା ଯୋଗୁଁ ବହୁ ସମୟରେ ଆଇନଜୀବୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣା ନଜରକୁ ଆସିଥିଲା। ଏଥିସହିତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ପାଇଁ ବହୁ ସମୟରେ ମହକିଲମାନେ ମଧ୍ୟ ସମସ୍ୟାରେ ପଡ଼ୁଛନ୍ତି। ଏଭଳି ସ୍ଥିତିରେ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ହାଇକୋର୍ଟରେ ମାମଲା ଶୁଣାଣି ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି। ଏ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଅବଗତ କରାଯାଇଛି। ଏହି ବୈଠକରେ ଉପସଭାପତି ଦେବୀ ପ୍ରସାଦ ଦାଶ, ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର