ସାମ୍ବାଦିକ ସମ୍ମିଳନୀ ଡକାଇ ବର୍ଷିଲେ ଆଇନଜୀବୀ: ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଇଁ ସୀମା ଟପିଲାଣି ଅପରାଧ

ପାଟି ଫିଟାଉ ନାହାନ୍ତି ସାଂସଦ, ବିଧାୟକ ଓ ଲୋକପ୍ରତିନିଧି

ବାଲେଶ୍ବର: ରାତି ପାହିଲେ ପ୍ରତିଦିନ ଗଣମାଧ୍ୟମରେ ଜିଲ୍ଲାର ମୁଖ୍ୟ ଖବର ପାଲଟୁଛି ଅପରାଧ। ‌କେଉଁଠି ଲୁଟ୍‌-ଛିନ୍‌ତାଇର ଖବର ତ କେଉଁଠି ଡକାୟତି, ହତ୍ୟା ଓ ନିଶା କାରବାର ଘଟଣା ଶିରୋନାମା ପାଲଟୁଛି। ହେଲେ ଏସବୁ ଦେଖି ଜିଲ୍ଲାବାସୀ ଯେତେବେଳେ ପ୍ରତି ମୁହୂର୍ତ୍ତରେ ଆତଙ୍କିତ ତଥା ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି; ସେତେବେଳେ ଜିଲ୍ଲା ପୁଲିସ ଓ ପ୍ରଶାସନ କିପରି ଚୁପ୍‌ ବସିପାରୁଛି, ତାହା ସବୁଠୁ ଚିନ୍ତା ଓ କ୍ଷୋଭର ବିଷୟ ହୋଇଛି। ଖାଲି ଏତିକି ନୁହେଁ; ଏଥିପାଇଁ ଜିଲ୍ଲା ସାଂସଦ, ବିଧାୟକ ଓ ଲୋକ ପ୍ରତିନିଧିମାନେ ମଧ୍ୟ ସମାନ ପରିମାଣରେ ଦାୟୀ ଅଟନ୍ତି। ବାଲେଶ୍ବର ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସଂଧ୍ୟାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି, ଜିଲ୍ଲାପାଳ ଓ ନେତାଙ୍କୁ ଦାୟୀ କରି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ମନୋଜ ନାୟକ ବାଲେଶ୍ବର ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ସାଧାରଣ ଜନତା ଏବଂ ସେମାନଙ୍କ ଜୀବନଜୀବିକା ଅସୁରକ୍ଷିତ ଥିବା କହିଥିଲେ। ପ୍ରଶାସନିକ ବ୍ୟବସ୍ଥା ଢିଲା ହୋଇଥିବାରୁ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ଥିବା ଥାନାଗୁଡ଼ିକ ଏକପ୍ରକାର ଅଚଳ ଅବସ୍ଥାରେ ଚାଲିଛି। ବ୍ରାଉନ୍‌ସୁଗାର, ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା କାରବାର ଏତେମାତ୍ରାରେ ବଢ଼ିଯାଇଛି ଯେ ସେଥିରେ ଥାନାର ଆଇଆଇସି ଓ ପୁଲିସ କର୍ମଚାରୀମାନେ ମଧ୍ୟ ସାମିଲ ଥିବା ଘଟଣା ସାମ୍ନାକୁ ଆସିଥିଲା। ଜାତୀୟ ରାଜପଥ, ଗ୍ରାମାଞ୍ଚଳ ରାସ୍ତାଠାରୁ ଆରମ୍ଭ କରି ସହରାଞ୍ଚଳରେ ମଧ୍ୟ ପ୍ରତିଦିନ ଲୁଟ୍‌ପାଟ ହେଉଛି। ସୁନାଗହଣା, ମୋବାଇଲ୍‌ ଓ ଭ୍ୟାନିଟି ବ୍ୟାଗ୍‌ ଛିନ୍‌ତାଇ ନିତିଦିନିଆ ଘଟଣାରେ ପରିଣତ ହୋଇଥିବାରୁ ଛାତ୍ରୀ, ଯୁବତୀ ତଥା ମହିଳାମାନେ ରାସ୍ତାରେ ଯିବାଆସିବା କଲା ବେଳେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ବରିଷ୍ଠ ନାଗରିକ ଓ ବ୍ୟବସାୟୀଙ୍କର ମଧ୍ୟ ସମାନ ଅବସ୍ଥା।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅପରାଧୀ ଗ୍ୟାଙ୍ଗ୍‌ ଏବେ ନାବାଳକମାନଙ୍କୁ ବଡ଼ବଡ଼ ଅପରାଧରେ ଅସ୍ତ୍ର ସଜାଇଛନ୍ତି। ପ୍ରଚ୍ଛଦପଟରେ ରହି ସେମାନଙ୍କ ଦ୍ବାରା ଅପରାଧ ଘଟାଉଛନ୍ତି ଆଉ ନାବାଳକମାନଙ୍କ ପାଇଁ ଆଇନ କୋହଳ ଥିବାରୁ ସେମାନେ ଖସିଯିବାକୁ ସୁବିଧା ପାଉଛନ୍ତି। ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁଦିନ ଏମିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି କିପରି କଠୋର ହେଉନାହାନ୍ତି ସେନେଇ ଶ୍ରୀ ନାୟକ ପ୍ରଶ୍ନ ଉଠାଇଛନ୍ତି। ଏହାବାଦ୍‌ ଜନସାଧାରଣଙ୍କ ପାଇଁ ସ୍ବର ଉତ୍ତୋଳନ କରିବାକୁ ନିର୍ବାଚିତ ହୋଇଥିବା ଜିଲ୍ଲାର ସାଂସଦ, ବିଧାୟକ ଓ ଲୋକ ପ୍ରତିନିଧିମାନେ ମଧ୍ୟ ଏନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଆଗରେ ପଦୁଟିଏ ପାଟି ଫିଟାଉନାହାନ୍ତି। ଯାହାର ପରିଣାମ ସ୍ବରୂପ ଗତକାଲି ଆଇନ୍‌ଜୀବୀ ସୂର୍ଯ୍ୟକା‌ନ୍ତ କରଙ୍କ ପତ୍ନୀ ତଥା ବାଲେଶ୍ବର ପୌରପାଳିକାର ୩୧ ନମ୍ବର ୱାର୍ଡ କାଉନ୍‌ସିଲରଙ୍କୁ ବିଚ୍‌ ବଜାରରେ ଦୁର୍ଦ୍ଦାନ୍ତ ଅପରାଧୀମାନେ ଘେରିଯାଇ ତାଙ୍କ ବେକରୁ ସୁନାହାର ଲୁଟିବାକୁ ସାହସ କରିଥିଲେ।

ଭାତହାଣ୍ଡିରୁ ଏହି ଘଟଣା ଗୋଟିଏ ଭାତ ପରି। ପ୍ରତିଦିନ ଏମିତି ଘଟଣା ବଢ଼ି ବଢ଼ି ଚାଲିଲାଣି। ତେଣୁ ଜିଲ୍ଲା ଓକିଲ ସଂଘ ଉଭୟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଆସନ୍ତାକାଲି ଭେଟି ଏ ବାବଦରେ ଆଲୋଚନା କରିବେ। ତୁରନ୍ତ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆନଗଲେ ସଂଘ ବିଭିନ୍ନ ଗଣସଂଗଠନ, ରାଜନୈତିକ ଦଳ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଆପ‌ଣାଇବ ବୋଲି ‌ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସମସ୍ତ ପଦାଧିକାରୀ ଉପସ୍ଥିତ ରହି ଶ୍ରୀ ନାୟକଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର