ଆଡଭୋକେଟ୍‌ସ୍ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପକୁ ଆଇନଜୀବୀଙ୍କ ବିରୋଧ

ହାଇକୋର୍ଟ ବାର୍ ସହିତ କଟକର ସମସ୍ତ ଆଇନଜୀବୀ ସଂଘର ମିଳିତ ବୈଠକ, ଓକିଲାତିନାମାରେ ଶହେ ଟଙ୍କାର ଷ୍ଟାମ୍ପ ସଂଯୋଗ ନ କରିବାକୁ ନିଷ୍ପତ୍ତି

କଟକ: ଓକିଲାତିନାମାରେ ୧୦୦ ଟଙ୍କାର ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ ପ୍ରସଂଗକୁ ହାଇକୋର୍ଟ ବାର୍ ଆସୋସିଏସନ୍ ସହିତ କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକ ପକ୍ଷରୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ହାଇକୋର୍ଟ ବାର୍ ସହିତ କଟକର ଅନ୍ୟ ବାର୍ ଆସୋସିଏସନ କର୍ମକର୍ତ୍ତ‌ାଙ୍କୁ ନେଇ ଏକ ଜରୁରୀ ବୈଠକ ଆଜି ଅନୁଷ୍ଠିତ ହୋଇଛି। ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ବୈଠକରେ କଟକ ବାର୍ ଆସୋସିଏସନ୍, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍, ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନ୍, ଏମ.ଭି.ଲୟର୍ସ ଆସୋସିଏସନର ସଭାପତି ଓ ସଂପାଦକ ଯୋଗଦେଇଥିଲେ। ବର୍ତ୍ତମାନ ପାଇଁ ଓକିଲାତିନାମାରେ ୧୦୦ ଟଙ୍କାର ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଯୋଗ ନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ବହୁଦିନ ହେବ ଶେଷ ହୋଇଥିବାବେଳେ ନିର୍ବାଚନ ହେବା କଥା। ରାଜ୍ୟ ଆଇନଜୀବୀ ପରିଷଦରେ ଏବେ ଅନ୍ତରୀଣ କମିଟି ଦାୟିତ୍ବରେ ରହିଛନ୍ତି।

ଅନ୍ତରୀଣ କମିଟି ଏପରି ନୀତିଗତ ନିଷ୍ପତ୍ତି ନେଇ ପାରିବ ନାହିଁ ବୋଲି ବୈଠକରେ ଦର୍ଶାଯାଇଥିଲା। ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂପର୍କିତ ବିଜ୍ଞପ୍ତିରେ ଏପରି ଶହେ ଟଙ୍କା ଆଦାୟ ପ୍ରସଂଗରେ କୌଣସି ଯୁକ୍ତିଯୁକ୍ତ କାରଣ ଉଲ୍ଲେଖ କରାଯାଇ ନାହିଁ। ଏଭଳି ସ୍ଥିତିରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନୂଆ ସଦସ୍ୟଙ୍କ ନିର୍ବାଚନ ପର୍ଯ୍ୟନ୍ତ ଓକିଲାତିନାମାରେ ଶହେ ଟଙ୍କାର ଏପରି ଷ୍ଟାମ୍ପ ସଂଯୋଗ ନ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତୁରନ୍ତ ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସଂକ୍ରାନ୍ତରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ଗୁଡିକୁ ଅବଗତ କରାଯିବ। ହାଇକୋର୍ଟ ବାର୍ ସଭାପତି କାଳୀପ୍ରସନ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଆଲୋକ ପ୍ରସାଦ ନନ୍ଦ, କଟକ ବାର୍ ସଂପାଦକ ଦିଲ୍ଲୀପ କୁମାର ମହାରଣା, କ୍ରିମିନାଲ କୋର୍ଟସ୍ ବାର୍ ସଂପାଦକ ମନୋଜ କୁମାର ମହାପାତ୍ର, ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ସଂପାଦକ ଜ୍ଞାନେନ୍ଦ୍ର କୁମାର ପରିଡା, ଏମ.ଭି.ଲୟର୍ସ ଆସୋସିଏସନ୍ ସଂପାଦକ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର