ଉଗ୍ର ରୂପ ନେଉଛି ଆଇନଜୀବୀଙ୍କ ଆନ୍ଦୋଳନ

ଏସ୍‌ପି, ଜିଲ୍ଲାପାଳଙ୍କ ବଦଳି ଜିଦ୍‌ରେ ଅଟଳ

ପୁରୀ : ସହରର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‌ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ସମଗ୍ର ରାଜ୍ୟକୁ ଏହି ଆନ୍ଦୋଳନ ବ୍ୟାପିଥିବା ବେଳେ ଆଜି ଏହି ଘଟଣା ଏକ ନୂଆ ମୋଡ଼ ନେଇଛି। ହାଇକୋର୍ଟ ବାର୍‍ ଆସୋସିସନର ଉପସଭାପତି ଆଜି ପୁରୀ ବାର୍‍ରେ ପହଞ୍ଚି ପାଖାପାଖି ଦୁଇଘଣ୍ଟା ଧରି ବାର୍‌ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ପୁରୀ ଏସ୍‍ପି ଓ ଜିଲ୍ଲାପାଳ ବଦଳିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି। ଆସନ୍ତା ଶନିବାର ଦିନ ସମସ୍ତ ଜିଲ୍ଲାର ସଭାପତି ସମ୍ପାଦକଙ୍କୁ ନେଇ ପୁରୀରେ ଏକ ବୈଠକ ବସିବ। ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠିତ ହୋଇ ଏ ବାବଦରେ ଦୃଢ଼ ନିଷ୍ପତ୍ତି ନିଆଯିବ। ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଆଗରେ ପ୍ରତ୍ୟେକ ଦିନ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ସଭାପତି ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି। ଦୁଇ ଅଧିକାରୀଙ୍କ ବଦଳି ଦାବିରେ ଆନ୍ଦୋଳନ ସମଗ୍ର ରାଜ୍ୟକୁ ବ୍ୟାପିବାକୁ ଯାଉଥିବାରୁ ଆଜି ଜିଲ୍ଲାପାଳ ପୁରୀ ବାର୍‍ ଆସୋସିଏସନକୁ ଆଲୋଚନା ପାଇଁ ଡାକିଥିଲେ। ତେବେ ସଂଘ ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି। ଫଳରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କ ସହ ଜିଲ୍ଲାପାଳ ପ୍ରାୟ ଦେଢ଼ଘଣ୍ଟା ଧରି ରୁଦ୍ଧଦ୍ଵାର ବୈଠକ କରିଛନ୍ତି। ତେବେ ସଂଧ୍ୟାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଆମନ୍ତ୍ରଣକ୍ରମେ ଓକିଲ ସଂଘର ପ୍ରତିନିଧି ଓ କିଛି କର୍ମକର୍ତ୍ତା ତାଙ୍କ ବାସଭବନକୁ ଯାଇ ଆନ୍ଦୋଳନ ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ବାର୍‍ର ଏହି ସ୍ୱାଭିମାନ ଆଗକୁ ନିଶ୍ଚିତଭାବେ ପ୍ରତ୍ୟେକ ଆଇନଜୀବୀଙ୍କୁ ଦୃଢ଼ମନା କରିବ ବୋଲି ହାଇକୋର୍ଟ ବାର୍‍ ଆସୋସିଏସନ ଉପସଭାପତି ମିଲନ କୁମାର ବଡ଼ୁ କହିଛନ୍ତି। ପୁରୀ ବାର୍‌ ସଭାପତି ବିଜୟ ମିଶ୍ର କହିଛନ୍ତି, ଅଫିସରମାନେ ଏଠାରେ ଚାକିରି ଆରମ୍ଭ କରି ଏଠାରେ ହିଁ ଅବସର ନେଉଛନ୍ତି। ଏଣୁ ଏସ୍‍ପି ଓ ଜିଲ୍ଲାପାଳ ବଦଳି ହେବା ପରେ ଯାଇ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା। ତା ପୂର୍ବରୁ ନୁହେଁ।

ଅନ୍ୟପଟେ ଆଜି ବାର୍‍ରେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ରହିଛି। ସାଧାରଣ ସମ୍ପାଦକ ଜୟୀନାରାୟଣ ପଟ୍ଟନାୟକଙ୍କ ନେତୃତ୍ଵରେ ଶତାଧିକ ଆଇନଜୀବୀ ବାର୍‍ ଆସୋସିଏସନ ସମ୍ମୁଖରେ ଏସ୍‍ପି ଓ ଜିଲ୍ଲାପାଳଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କାର୍ଯ୍ୟ ବନ୍ଦ ଜାରି ରଖିଛନ୍ତିି।

ସମ୍ବନ୍ଧିତ ଖବର