୧ ପର୍ଯ୍ୟନ୍ତ ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ, ନଭେମ୍ବର ୪ରେ ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବ, ଜବାବ ରଖିବାକୁ ମହଲତ

କଟକ : ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟ ଆଇନଜୀବୀ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଆଜି ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ହାଇକୋର୍ଟ ବାର୍ ଆସୋସିଏସନ୍ ସହିତ ଅନ୍ୟ ବାର୍ ଆସୋସିଏସନ ଗୁଡିକ ହାଇକୋର୍ଟରେ ଓକିଲଙ୍କ ଜରିଆରେ ହାଜର ହୋଇଥିଲେ। ଆସନ୍ତା ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀଙ୍କ ସହିତ ହାଇକୋର୍ଟର ସମସ୍ତ ତେର ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚ୍‌ରେ ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ହାଇକୋର୍ଟ ବାର୍ ଆସୋସିଏନ୍ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ବିଭିନ୍ନ ଜିଲ୍ଲାର ଜିଲ୍ଲା ଜଜ୍ ଓ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ମିଳିଥିବା ରିପୋର୍ଟ ଆଧାରରେ ଏପରି ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି ବୋଲି ଅକ୍ଟୋବର ୧୫ର ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା‌ବେଳେ ଏ ସଂପର୍କିତ କୌଣସି ଆବେଦନ ବା ରିପୋର୍ଟର ନକଲ ପ୍ରତିପକ୍ଷଙ୍କୁ ପ୍ରଦାନ କରାଯାଇ ନାହିଁ। ପ୍ରତିପକ୍ଷଙ୍କ ବିରୋଧରେ କ’ଣ ନିର୍ଦ୍ଦିଷ୍ଟ ଭାବେ ଅଦାଲତ ଅବମାନନା ରହିଛି, ତାହା ଅସ୍ପଷ୍ଟ। ଏପରି ପରିସ୍ଥିତିରେ ଜିଲ୍ଲାଜଜ୍‌ଙ୍କ ରିପୋର୍ଟ ଓ ହାଇକୋର୍ଟ ରେଜିଷ୍ଟ୍ରିର ଏ ସଂପର୍କିତ ରିପୋର୍ଟର ନକଲ ପ୍ରଦାନ ସହିତ ଜବାବ ରଖିବାକୁ ମହଲତ ପ୍ରଦାନ କରାଯାଉ ବୋଲି ବାର୍ ଆସୋସିଏସନ ପ୍ରତିପକ୍ଷଙ୍କ ତରଫରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା। ପୂର୍ଣ୍ଣାଙ୍ଗ ପୀଠ ମାମଲାର ଶୁଣାଣି କରି ଏ ସଂପର୍କିତ ସମସ୍ତ ରିପୋର୍ଟର ନକଲ ପ୍ରତିପକ୍ଷଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୪କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏଥି ପୂର୍ବରୁ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟ ବର୍ଜନ ଜାରି ରଖିଥିବାବେଳେ ଆଜି ମାମଲାର ଶୁଣାଣି ପାଇଁ ପୂର୍ଣ୍ଣାଙ୍ଗ ପୀଠକୁ ଶତାଧିକ ଆଇନଜୀବୀ ଯାଇଥିଲେ। ନୋଟିସ୍ ଜାରି କରାଯାଇଥିବା ଅଧିକାଂଶ ବାର୍ ଆସୋସିଏସନ ଆଜି ହାଜର ହୋଇଥିଲେ। ଅନ୍ୟପକ୍ଷରେ ଏହି ପ୍ରସଂଗରେ ଦାୟର ଏକାଧିକ ଇଣ୍ଟରଭେନସନ୍ ପିଟିସନ୍ ଉପରେ ଆଜି କୌଣସି ଶୁଣାଣି ହୋଇପାରି ନାହିଁ।

ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ତିନି ବରିଷ୍ଠ ଆଇନଜୀବୀ ବିଜନ ରାୟ, ଏନ୍.ସି.ପାଣିଗ୍ରାହୀ ଓ ସଂଜିତ ମହାନ୍ତି ପୂର୍ଣ୍ଣାଙ୍ଗପୀଠରେ ମାମଲା ପରିଚାଳନା କରୁଛନ୍ତି।

ଆଜି ଅଦାଲତ ଅବମାନନା ମାମଲାର ଶୁଣାଣି ପରେ ଦିନ ୧ଟା ୧୫ରେ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଖାଲି ପଡିଥିବା ବିଚାରପତି ପଦ ପୂରଣ, କଲେଜିୟମ ବ୍ୟବସ୍ଥାରେ ସଂସ୍କାର ସହିତ ଏନଜେଏସି ବ୍ୟବସ୍ଥା ଦେଶରେ ବିଚାରପତି ନିଯୁକ୍ତି କ୍ଷେତ୍ରରେ ଲାଗୁ ସଂପର୍କିତ ଦାବି ସଂପର୍କରେ ପ୍ରଧାନମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବ। ଏଥିସହିତ ସର୍ବଭାରତୀୟ ସ୍ତରରେ ଅନ୍ୟ ହାଇକୋର୍ଟର ବାର୍ ଆସୋସିଏସନ ଗୁଡିକୁ ଓଡ଼ିଶା ହାଇକୋ‌ର୍ଟ ବାର୍ ଆସୋସିଏସନର ଦାବି ସଂପର୍କରେ ଅବଗତ କରାଯିବ। ସର୍ବଭାରତୀୟ ସ୍ତରରେ ଏ ପ୍ରସଂଗ ଉଠାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରଖିବାକୁ ସର୍ବ ସମ୍ମତିକ୍ରମେ ଆଜି ସାଧାରଣ ପରିଷଦରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ସାମିଲ ହେବା ପାଇଁ କଟକର ଅନ୍ୟ ସମସ୍ତ ଆଇନଜୀବୀ ସଂଘ ଗୁଡିକୁ ଅନୁରୋଧ କରାଯିବ। ଏଥିସହିତ କଟକ ସହରର ବିଭିନ୍ନ ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବରୁ ହାଇକୋର୍ଟ ବାର୍ ପକ୍ଷରୁ ଗଠିତ ଆକ୍ସନ କମିଟି ଓ ନବ ଗଠିତ ଉପଦେଷ୍ଟା କମିଟିର ଏକ ମିଳିତ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ଏହି ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ଏଠାରେ ସୂଚନା ଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପ୍ରସଂଗରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଅକ୍ଟୋବର ୧୪ ତାରିଖ ଦିନ ୨ଟାରୁ କୋର୍ଟ ବର୍ଜନ ଆରମ୍ଭ କରାଯାଇଥିଲା। ଅକ୍ଟୋବର ୧୪ରେ ହାଇକୋର୍ଟ ନିଜ ଆଡୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅକ୍ଟୋବର ୧୫ରେ ଐତିହାସିକ ଘଟଣା କ୍ରମରେ ହାଇକୋର୍ଟର ପୂର୍ଣ୍ଣାଙ୍ଗ ବେଞ୍ଚ୍ ବସି ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଉ ୬୭ଟି ଆଇନଜୀବୀ ସଂଘକୁ ନୋଟିସ୍ ଜାରି କରିଥିଲେ।

ସମ୍ବନ୍ଧିତ ଖବର