ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ହାଇକୋର୍ଟରେ ୯ ବିଚାରପତି ପଦ ଖାଲି ପଡ଼ିଥିବା ବେଳେ ଜଷ୍ଟିସ ପୂଜାହାରୀଙ୍କ ବଦଳିର ପ୍ରତିବାଦ

କଟକ : ଓଡିଶା ହାଇକୋର୍ଟରେ ୯ଟି ବିଚାରପତି ପଦ ଖାଲି ପଡ଼ିଛି। କିନ୍ତୁ ସେହି ସମୟରେ ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରାଯାଉଛି। ଏଭଳି ନିଷ୍ପତ୍ତିର ପ୍ରତିବାଦରେ ଆଜି ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟହ୍ନରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ। ଆଜି ଦିନ ୧ଟା ୨୦ରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି।

ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରି ସାଧାରଣ ପରିଷଦ ବୈଠକରେ ଏ ପ୍ରସଂଗରେ ଆଲୋଚନା କରାଯାଇଥିଲା। ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ସମସ୍ତ ବଚାରପତି ପଦ ପୂରଣ କରାଯାଉ ନାହିଁ। ବହୁ ବିଚାରପତି ପଦ ଖାଲି ପଡିଛି। ଏପରି ପରିସ୍ଥିତିରେ ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯିବା ଦ୍ୱାରା ଓଡିଶା ହାଇକୋର୍ଟରେ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ପାଇଁ ସଦସ୍ୟମାନେ ଦାବି କରିଥିଲେ। ଏହା ପରେ ଏପରି ଘଟଣାର ପ୍ରତିବାଦରେ କୋର୍ଟ କାର୍ଯ୍ୟ ବର୍ଜନ କରିବା ଲାଗି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏ ସଂପର୍କରେ ସୂଚନା ଦେଇ ଆସୋସିଏସନ୍‌ ସଂପାଦକ ଉମେଶ ଚନ୍ଦ୍ର ବେଉରା କହିଛନ୍ତି ଯେ ହାଇକୋର୍ଟରେ ୯ଟି ବିଚାରପତି ପଦ ଖାଲି ପଡିଛି। ଖାଲି ପଡିଥିବା ବିଚାରପତି ପଦ ପୂରଣ ନ କରି ଜଣେ ବିଚାରପତିଙ୍କୁ ବଦଳି କରାଯିବା ଘଟଣାର ପ୍ରତିବାଦ କରାଯାଉଛି। ବିଚାରପତି ପଦ ଖାଲି ପଡିଥିବାରୁ ବହୁ ମାମଲା ବିଚାରାଧୀନ ରହିଛି। ମାମଲା ଲିଷ୍ଟିଂ ହୋଇ ପାରୁ ନାହିଁ କି ଶୁଣାଣି ହୋଇ ପାରୁ ନାହିଁ। ଆସୋସିଏସନ୍‌ ପକ୍ଷରୁ ଏହି ପ୍ରସଂଗରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି ଓ କେନ୍ଦ୍ର ଆଇନ ସଚିବଙ୍କୁ ସ୍ମାକପତ୍ର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଓଡିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୧୮ ଜଣ ବିଚାରପତି ରହିଛନ୍ତି।

ଆସନ୍ତା ବର୍ଷ ୩ ଜଣ ବିଚାରପତି ଅବସର ଗ୍ରହଣ କରିବେ। ହାଇକୋର୍ଟ ୱେବ୍‌ସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୭, ନଭେମ୍ବର ୧୫ ସୁଦ୍ଧା ଓଡିଶା ହାଇକୋର୍ଟରେ ୧ ଲକ୍ଷ ୬୯ ହଜାର ୮୦ଟି ମାମଲା ବିଚାରାଧୀନ ରହିଛି। ଏପରି ପରିସ୍ଥତିରେ ୨୦୧୭, ନଭେମ୍ବର ୧୪ରେ ଓଡିଶା ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରାଯିବା ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡିଶା ହାଇକୋର୍ଟରେ ବହୁ ବିଚାରପତି ପଦ ଖାଲି ପଡିଥିବା ବେଳେ ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ବଦଳି କରାଯିବା ଘଟଣାକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଏପରି ନିଷ୍ପତ୍ତି ସଂପର୍କରେ କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକୁ ମଧ୍ୟ ଅବଗତ କରାଯାଇଛି। କଟକର ସମସ୍ତ ବାର୍‌ ଆସୋସିଏସନ୍‌ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର