ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ୍‌ ଦାବି : ଓକିଲଙ୍କ ଆନ୍ଦୋଳନ ଜାରି, କୋର୍ଟ କାର୍ଯ୍ୟ ଠପ୍

ମାଲକାନଗିରି : ଅବିଭକ୍ତ କୋରାପୁଟ ଜିଲ୍ଲାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ମଙ୍ଗଳବାର ଦିନ ଠାରୁ ମାଲାକନଗିରି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଆଜି ଓକିଲମାନେ କୋର୍ଟ ସମ୍ମୁଖରେ ପିକେଟିଂ କରିବା ସହ କୌଣସି ଜଜ୍‌ଙ୍କୁ କୋର୍ଟ ଭିତରେ ପୂରାଇ ଦେଇନାହାନ୍ତି। ଯାହାଫଳରେ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଥିଲା।

ଓକିଲ ସଂଘ ସଭାପତି ନୃସିଂହ ଚରଣ ମହାନ୍ତି କହିଛନ୍ତି ଯେ, ଏହି ଆନ୍ଦୋଳନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯାଉଛି। ତେବେ, ଓକିଲମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ବିଚାରାଧୀନ କଏଦୀମାନଙ୍କ ଜାମିନ ହୋଇପାରୁନଥିବା ବେଳେ ବିଭିନ୍ନ ମାମଲାରେ ସାକ୍ଷ୍ୟ ଗ୍ରହଣ ହୋଇପାରୁନି। ଦୀର୍ଘଦିନ ଧରି ଚାଲୁ ରହିଥିବା ଏହି ଆନ୍ଦୋଳନ ଯୋଗୁଁ ଲୋକେ ହଇରାଣ ହେଉଥିବାବେଳେ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ସଂପାଦକ ଲମ୍ବୋଦର ତୁରୁକୁ, ବରିଷ୍ଠ ଆଇନଜୀବୀ କୈଳାଶ ପଟ୍ଟନାୟକ, ଅଶୋକ ନାୟକ, ଦିଲ୍ଲୀପ ପରିଚ୍ଛା, ବିଜୟ ମହାନ୍ତି, ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ନେଇ ପିକେଟିଂ କରିଥିଲେ।

ସମ୍ବନ୍ଧିତ ଖବର