୫ଦଫା ଦାବିରେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ : ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର; ସବୁ ଅଦାଲତ ଅଚଳ

କଟକ : ବାର୍ କାଉନସିଲ ଅଫ୍ ଇଣ୍ଡିଆର ନିଷ୍ପତ୍ତିକ୍ରମେ ଆଜି ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହି ଦାବି ହାସଲ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହିତ ବିଭିନ୍ନ ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କ ସମେତ ଶତାଧିକ ଆଇନଜୀବୀ ହାଇକୋର୍ଟ ବାର୍ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ବାର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ୍ ହରିଶ ଚନ୍ଦ୍ର ନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜି ଆଇନଜୀବୀଙ୍କ ଏପରି ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ଜିଲ୍ଲା ଜଜ୍, ଅନ୍ୟ ନିମ୍ନ ଅଦାଲତ, ଖାଉଟି କମିସନ ଓ ସମସ୍ତ ଟ୍ରିବୁନାଲରେ ଅଚଳାବସ୍ଥା ଦେଖା ଦେଇଥିଲା। ଅଦାଲତରେ ବିଚାରପତି ଥିବା ବେଳେ ଆଇନଜୀବୀଙ୍କ ଅନୁପସ୍ଥିତି ଯୋଗୁ ମାମଲା ଗୁଡିକର ଶୁଣାଣି ହୋଇ ପାରି ନଥିଲା। ଓକିଲଙ୍କ ହିତ ପାଇଁ ୫ଦଫା ଦାବି ମଧ୍ୟରେ ରହିଛି ସମସ୍ତ ଆସୋସିଏସକୁ ଆବଶ୍ୟକ ଗୃହ, ପାଠାଗାର, ଇଣ୍ଟରନେଟ୍, ଟଏଲେଟ, ମହିଳା ଆଇନଜୀବୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ପୃଥକ ଟଏଲେଟ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ, ଆଇନଜୀବୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ବଜେଟରେ ବାର୍ଷିକ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ, ଆଇନଜୀବୀ ଓ ତାଙ୍କ ପରିବାର ବର୍ଗଙ୍କ ପାଇଁ ବୀମା ସୁବିଧା, ନୂତନ ଭାବେ ଯୋଗଦେଉଥିବା ଆଇନଜୀବୀଙ୍କୁ ୫ବର୍ଷ ପାଇଁ ୧୦ହଜାର ଟଙ୍କାର ଷ୍ଟାଇପେଣ୍ଡ, ଦୁର୍ଘଟଣା ଓ ଅନ୍ୟ କାରଣରୁ ମୃତ୍ୟୁମୁଖରେ ପଡୁଥିବା ତଥା ଅକ୍ଷମ ହେଉଥିବା ଆଇନଜୀବୀଙ୍କୁ ଓ ତାଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ, ଆଇନଜୀବୀଙ୍କୁ ବାସଗୃହ ପାଇଁ ସରକାରୀ ଯୋଜନାରେ ଜମି ପ୍ରଦାନ, ଆଇନ ସେବା ପ୍ରାଧିକରଣ ଆଇନରେ ସଂଶୋଧନ ଆଣି ବିଭିନ୍ନ ଦାୟିତ୍ବ ସଂପାଦନ ପାଇଁ ଆଇନଜୀବୀଙ୍କୁ ସୁଯୋଗ ପ୍ରଦାନ ପାଇଁ ଦାବି ରହିଛି। ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସତ୍ୟବ୍ରତ ମହାନ୍ତି, ପରିଷଦ ସଦସ୍ୟ ଦେବୀ ପ୍ରସାଦ ଧଳ, ମାନସ ମହାପାତ୍ର, ବିଭୂ ପ୍ରସାଦ ତ୍ରିପାଠୀ, ଚିନ୍ମୟ ମହାନ୍ତି, ମାନସ ଚାନ୍ଦ, ଅରୁପାନନ୍ଦ ଦାସ, ଅଜୟ କୁମାର ବରାଳ, ବିଭୁନ୍ଦେନ୍ଦ୍ର ମିଶ୍ର, ରମାକାନ୍ତ ସାହୁ, ସୌରଚନ୍ଦ୍ର ମହାପାତ୍ର, ନିରଞ୍ଜନ ପଣ୍ଡା, ସୀତାଂଶୁ ମୋହନ ଦ୍ବିବେଦୀ, ଆତ୍ମା ପ୍ରକାଶ ମହାନ୍ତି, ବିଜୟ କୁମାର ରଗଡ, ସଂଜୟ କୁମାର ଦାସ, କଟକ ବାର ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟ୍ସ ବାର ଆସୋସିଏସନ୍ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ ପରିଡା, ଉପସଭାପତି ଟଙ୍କଧର ମିଶ୍ର, ଯୁଗ୍ମ ସଂପାଦିକା ବିଷ୍ଣୁପ୍ରିୟା ବେହେରା, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଦାସ, ପାଠାଗାର ସଂପାଦକ ତାପସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଭୁବନେଶ୍ବରରେ ଆଇନଜୀବୀମାନେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର