କଟକ : ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଗୋଟିଏ ପଟେ ଐତିହାସିକ ଘଟଣାକ୍ରମରେ ଗତକାଲି ହାଇକୋର୍ଟର ପୂର୍ଣ୍ଣାଙ୍ଗ ବେଞ୍ଚ୍ ଆଇନଜୀବୀଙ୍କ ଆନ୍ଦୋଳନକୁ ଅଦାଲତ ଅବମାନନା ବୋଲି ବିଚାର କରି ନୋଟିସ ଜାରି କରିଥିବା ବେଳେ ଆଜି ହାଇକୋର୍ଟର ଆଇନଜୀବୀମାନେ ଆନ୍ଦୋଳନକୁ ଅଧିକ ବ୍ୟାପକ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ଆଇନଜୀବୀଙ୍କ କୋର୍ଟ ବର୍ଜନ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଜି ଘୋଷଣା କରାଯାଇଛି। ଏହାବ୍ୟତୀତ ୧୮ ତାରିଖ ଶୁକ୍ରବାର ଦିନ ରାଜ୍ୟସ୍ତରରେ ସମସ୍ତ କୋର୍ଟ ବର୍ଜନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେହି ଦିନ ରାଜ୍ୟର ସମସ୍ତ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଆଜି ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଅକ୍ଟୋବର ୧୮ ତାରିଖ ଦିନ ୧୧ଟାରେ ହାଇକୋର୍ଟ ବାର୍ ଆସୋସିଏସନରେ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର ସଭାପତି, ସଂପାଦକ ଯୋଗ ଦେବେ। ବିଚାରପତି ନିଯୁକ୍ତି ପ୍ରସଂଗ ସହିତ ହାଇକୋର୍ଟ ପକ୍ଷରୁ ଆଇନଜୀବୀ ଆନ୍ଦାଳନକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲା ସଂପର୍କରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି। ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଗଠିତ ଆକ୍ସନ କମିଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନେଇଛି। କଲେଜିୟମ ବ୍ୟବସ୍ଥାର ଉଚ୍ଛେଦ ସହିତ ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିସନ୍ (ଏନ୍ଜେଏସି) ମାଧ୍ୟମରେ ବିଚାରପତି ନିଯୁକ୍ତି କରିବା ଦାବି ସଂପର୍କରେ ଆକ୍ସନ କମିଟି ସେମାନଙ୍କୁ ଅବଗତ କରିବ। ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପ୍ରସଂଗ ମଧ୍ୟ ଆଲୋଚନା ସମୟରେ ଉଠାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ୧୭ ତାରିଖରେ ରାଜ୍ୟ ଆଇନମନ୍ତ୍ରୀଙ୍କୁ ଆଇନଜୀବୀ ପ୍ରତିନିଧିମାନେ ସାକ୍ଷାତ କରି ହାଇକୋର୍ଟ ବାର୍ ଆସୋସିଏସନର ଦାବି ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀ ମହାନ୍ତି ଆହୁରି କହିଥିଲେ ଯେ ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୪ ଜଣ ବିଚାରପତି ଅଛନ୍ତି। ଆସନ୍ତା ନଭେମ୍ବରରେ ଜଣେ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟରେ ଲକ୍ଷାଧିକ ମାମଲା ବିଚାରାଧୀନ ରହିଛି। ଏଥି ସହିତ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ବନ୍ଦ ହେବା ପରେ ସେଠାରେ ବିଚାରାଧୀନ ୭୨ ହଜାର ମାମଲା ହାଇକୋର୍ଟରେ ବିଚାର ହେବ। ଏପରି ପରିସ୍ଥିତିରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ବୃଦ୍ଧି କରାଯିବା ଉଚିତ। ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଅନୁପସ୍ଥିତ ରହି ନିଜ ପ୍ରତିବାଦ ଜାହିର କରୁଛନ୍ତି। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏପରି ଆନ୍ଦୋଳନ କରାଯାଉଛି। ଗତ ଚାରି ବର୍ଷ ମଧ୍ୟରେ ହାଇକୋର୍ଟ ବାର୍ ଆସୋସିଏନରୁ ଜଣେ ବି ଆଇନଜୀବୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇ ନାହିଁ। ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନ ଥିବା ଆଇନଜୀବୀଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଥିବା ବେଳେ ବିଚାରପତି ନିଯୁକ୍ତି କ୍ଷେତ୍ରରେ ବହୁ ଦକ୍ଷ ଓ ଯୋଗ୍ୟ ଆଇନଜୀବୀଙ୍କ ନାଁକୁ ଅଣଦେଖା କରାଯାଇଛି ବୋଲି ବାର୍ ପକ୍ଷରୁ କୁହାଯାଇଛି।