ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କୋର୍ଟ ବର୍ଜନ

କଟକ‌ରେ ସମସ୍ତ ବାର୍ ଆସୋସିଏସନର ମିଳିତ ବୈଠକ, ଯୋଗଦେଲେ ୯୩ ବାର୍‌ ଆସୋସିଏସନ୍‌ର ପ୍ରତିନିଧି, ଲିଖିତ ଭାବେ ସମର୍ଥନ ଜଣାଇଲେ ୧୩ ବାର୍‌

କଟକ : ରାଜ୍ୟବ୍ୟାପୀ ଆଇନଜୀବୀମାନେ ଆଜି ଦିନିକିଆ କୋର୍ଟ ବର୍ଜନ କରିଛନ୍ତି। ଏଥିସହିତ, ଆଜି କଟକରେ ରାଜ୍ୟସ୍ତରୀୟ ବାର୍ ଆସୋସିଏସନ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୯୩ଟି ବାର୍‌ ଆସୋସିଏସନର ପ୍ରତିନିଧି ଯୋଗଦେଇଛନ୍ତି। ୧୩ଟି ବାର୍‌ ଯୋଗଦେଇ ନଥିଲେ ମଧ୍ୟ ଲିଖିତ ଭାବେ ସମର୍ଥନ ଜଣାଇଛନ୍ତି। ଆସନ୍ତାକାଲି ବି ବାର୍‌ର ଜରୁରୀ ବୈଠକ ବସିବ ବୋଲି ଜଣାପଡ଼ିଛି।

ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ କନଭେନସନ୍ ହଲ୍‌ରେ ଆୟୋଜିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୯୩ଟି ବାର୍ ଆସୋସିଏସନର ସଭାପତି, ସଂପାଦକ ଓ ପ୍ରତିନିଧି ଯୋଗ ଦେଇଛନ୍ତି। ଖାଲିପଡିଥିବା ବିଚାରପତି ପଦରେ ନିଯୁକ୍ତି ଓ ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ଅଦାଲତ ଅବମାନନା ମାମଲା ପ୍ରସଂଗରେ ବୈଠକରେ ଆଲୋଚନା କରାଯାଇଥିଲା। ହାଇକୋର୍ଟ ସହିତ ରାଜ୍ୟର ବିଭିନ୍ନ ନିମ୍ନ ଅଦାଲତରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ପାଇଁ ଆଇନଜୀବୀମାନେ ଦାବି କରିଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଂଗକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲାରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ମତ ପ୍ରକାଶ ପାଇଥିଲା। ବିଭିନ୍ନ ବାର୍ ଆସୋସିଏନର ପ୍ରତିନିଧିମାନେ ଏହି ପ୍ରସଂଗରେ ମତ ରଖିଥିବାବେଳେ ହାଇକୋର୍ଟ ବାର୍ ଆସୋସିଏସନ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଶନିବାର ଦିନ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦର ଜରୁରୀ ବୈଠକ ବସିବ ବୋଲି ଘୋଷଣା କରାଯାଇଛି। ଏହି ବୈଠକରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାରେ ବାର୍ ପକ୍ଷରୁ ଗ୍ରହଣ କରାଯିବାକୁ ପଦକ୍ଷେପ ସହିତ ଅନ୍ୟ କେତେକ ପ୍ରସଂଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ଆଜି ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ଆଜି ଅନୁଷ୍ଠିତ ବୈଠକରେ ୯୩ଟି ବାର୍ ଆସୋସିଏସନର ପ୍ରତିନିଧି ଯୋଗ ଦେଇଥିବାବେଳେ ୧୩ଟି ବାର୍ ଆସୋସିଏନ ହାଇକୋର୍ଟ ବାର୍ ନିଷ୍ପତ୍ତିକୁ ସମର୍ଥନ ନେଇ ଲିଖିତ ଭାବେ ଅବଗତ କରିଛନ୍ତି। ଅଦାଲତ ଅବମାନନା ମାମଲାରେ ନୋଟିସ୍ ଜାରି ହୋଇଥିବା ‌ବାର୍ ଆସୋସିଏସନ ଗୁଡିକରୁ ଅଧିକାଂଶର ପ୍ରତିନିଧି ଆଜି ଉପସ୍ଥିତ ଥିଲେ। କେତେକ ବାର୍ ଆସୋସିସନ୍ ଅଦାଲତ ଅବମାନନା ମାମଲାରେ ପକ୍ଷ ରଖିବାକୁ ହାଇକୋର୍ଟ ବାର୍ ଆସୋସିଏସନକୁ ଆଜି ଦାୟିତ୍ବ ଦେଇଛନ୍ତି। ବିଚାରପତି ପଦ ପୂରଣ ପ୍ରସଂଗ ଦାବିକୁ ସବୁ ବାର୍ ଆସୋସିଏସନ ସମର୍ଥନ କରିଛନ୍ତି। ଯଦି ବିଚାରପତି ପଦ ପୂରଣ ନ କରାଯାଏ ତେବେ ରାଜ୍ୟର ଜନସାଧାରଣ ନ୍ୟାୟ ପାଇ ପାରିବେ ନାହିଁ। ଏପରି ପରିସ୍ଥିତି ପାଇଁ ବାଧ୍ୟ ହୋଇ ଆନ୍ଦୋଳନକୁ ଆଇନଜୀବୀ ଓହ୍ଲାଇବେ ବୋଲି ଶ୍ରୀ ମହାନ୍ତି କହିଥିଲେ।

ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ, ସୋମବାର ଦିନ ଯାଏଁ କଟକର ଆଇନଜୀବୀମାନେ କାର୍ଯ୍ୟବନ୍ଦ ଜାରି ରଖିବେ। ‌ଅକ୍ଟୋବର ୨୧ ଦିନ ୧ଟା ୧୫ରେ ଦିନ ବସିବାକୁ ଥିବା ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ। ଆଜିର ବୈଠକରେ ବିଭିନ୍ନ ବାର୍ ଆସୋସିଏସନର ପ୍ରତିନିଧିଙ୍କ ସହିତ ହାଇକୋର୍ଟର ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପ୍ରସଂଗରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଅକ୍ଟୋବର ୧୪ ତାରିଖ ଦିନ ୨ଟାରୁ କୋର୍ଟ ବର୍ଜନ ଆରମ୍ଭ କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟରେ ବିଭିନ୍ନ ବାର୍ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରସଂଗକୁ ନେଇ ହାଇକୋର୍ଟ ନିଜ ଆଡୁ ସୋମବାର ଦିନ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମଙ୍ଗଳବାର ଦିନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହିତ ସମସ୍ତ ୧୩ଜଣ ବିଚାରପତିଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ବେଞ୍ଚ୍‌ ଏ ସଂପର୍କିତ ମାମଲାର ଶୁଣାଣି କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକ, ସମ୍ବଲପୁର ବାର୍ ଆସୋସିଏସନ୍ ସଭାପତି, ସଂପାଦକଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଉ ୬୬ଟି ଆଇନଜୀବୀ ସଂଘର ସଭାପତି ଓ ସଂପାଦକଙ୍କୁ ନୋଟିସ୍ ଜାରି କରିଥିଲେ। ଏହାପରେ ଅକ୍ଟୋବର ୧୬ରେ ଅନୁଷ୍ଠିତ ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ୧୮ ତାରିଖ ଦିନ ରାଜ୍ୟ ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ପ୍ରସଂଗରେ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର ଏକ ମିଳିତ ବୈଠକ ଆୟୋଜନ ପାଇଁ ଘୋଷଣା କରାଯାଇଥିଲା। ଏଥିସହିତ ୨୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ କଟକର ସମସ୍ତ ନିମ୍ନ ଅଦାଲତରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖାଯିବ ବୋଲି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ ଅକ୍ଟୋବର ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର