ପଶ୍ଚିମ ଓଡ଼ିଶା ଓକିଲା ଆନ୍ଦୋଳନ ପ୍ରସଙ୍ଗ ବିଧାନସଭାରେ ଉଠିଲା

ଭୁବନେଶ୍ବର : ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଓକିଲ ଆନ୍ଦୋଳନକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ବିରୋଧୀ ଦଳ କଂଗ୍ରେସ ଓ ବିଜେପି ବିଧାୟକମାନେ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି କରିଥିଲେ, ସରକାର ଯଶୋବନ୍ତ ସିଂହ କମିଟି ରିପୋର୍ଟ ଆଧାରରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଅନ୍ୟଥା କୋର୍ଟରେ ଅଚଳାବସ୍ଥା ଯୋଗୁଁ ଲୋକେ ତ ହନ୍ତସନ୍ତ ହେଉଛନ୍ତି, ଜେଲ ସ୍ଥିତି ବି ଅସମ୍ଭାଳ ହୋଇଗଲାଣି। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ କହିଥିଲେ, ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ କାରଣରୁ ଅଢେଇମାସ ଧରି କୋର୍ଟ ବନ୍ଦ ରହିଲା। ଏବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ବଲାଙ୍ଗୀର, ସମ୍ବଲପୁର ଆଦି ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାର କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ସରକାର ଏଯାଏ ହସ୍ତକ୍ଷେପ କରୁନାହାନ୍ତି। ବଲାଙ୍ଗୀର ହାଇକୋର୍ଟ ବେଞ୍ଚ ପାଇଁ ଉପଯୁକ୍ତ ସ୍ଥାନ। ସମ୍ବଲପୁର ଓକିଲ ସଂଘ ପଶ୍ଚିମଓଡ଼ିଶାର ଯେ କୌଣସି ସ୍ଥାନରେ ବେଞ୍ଚ କରିବା ଲାଗି ଚାହୁଁଛନ୍ତି। ସରକାର ଯଦି ବଲାଙ୍ଗୀରରେ ଅନ୍ୟଠି କରନ୍ତୁ। ଅନ୍ୟଥା ସ୍ପଷ୍ଟ କରନ୍ତୁ। କୋର୍ଟ ବନ୍ଦ ରହିଲେ, ଲୋକମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରି କହିଥିଲେ, ଜେଲରେ ଅଚଳାବସ୍ଥା ସୃଷ୍ଟି ହେଲାଣି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରବି ନାରାୟଣ ନାୟକ, ପ୍ରଦୀପ ପୁରୋହିତ, ଆୟୁବ ଖାଁ ପ୍ରମୁଖ ସରକାରଙ୍କ ହସ୍ତକ୍ଷେପ ଲୋଡିବା ସହିତ ଏ ନେଇ ଠୋସ୍ ନିଷ୍ପତ୍ତି ନେବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର