ଆଇନ ମନ୍ତ୍ରୀଙ୍କୁ ଭେଟିଲେ ହାଇକୋର୍ଟ ବାର୍ ପ୍ରତିନିଧି : ଆଜି ରାଜ୍ୟବ୍ୟାପୀ କୋର୍ଟ ବର୍ଜନ

କଟକରେ ହେବ ସମସ୍ତ ବାର୍ ଆସୋସିଏସନର ବୈଠକ

କଟକ : ହାଇକୋର୍ଟ ବାର୍ ଅସୋସିଏସନ୍ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୧୮ରେ ରାଜ୍ୟସ୍ତରରେ ଆଇନଜୀବୀମାନେ ସମସ୍ତ କୋର୍ଟ ବର୍ଜନ କରିବାକୁ ଯାଉଛନ୍ତି। ଏଥିସହିତ ଶୁକ୍ରବାର ଦିନ ହାଇକୋର୍ଟ ବାର୍ ଆସୋସିଏସନ ଠାରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ପ୍ରତିନିଧିଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ୟପକ୍ଷରେ ଆଜି ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ବରଠାରେ ସାକ୍ଷାତ କରି ଆଲୋଚନା କରିଛନ୍ତି। ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବି ସଂପର୍କରେ ଆଇନମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଥିଲା।

ଏ ସଂପର୍କରେ ସୂଚନା ଦେଇ ହାଇକୋର୍ଟ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ଯେ ‌ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ପ୍ରସଂଗକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ହାଇକୋର୍ଟ ବାର୍ ସଂପାଦକ ସଂଜୟ କୁମାର ଦାସ, ବରିଷ୍ଠ ଆଇନଜୀବୀ ଗଣେଶ୍ବର ରଥ, ପଦ୍ମାଳୟା ମହାପାତ୍ର, ସୋମନାଥ ଶତପଥୀ, ଅକ୍ଷୟ କୁମାର ପାଣ୍ଡେ, ବିଭୂତି ଚୌଧୁରୀ ପ୍ରମୁଖ ସାମିଲ ହେଇଥିଲେ।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ପୂର୍ବ ନିଷ୍ପତ୍ତି ଅନୁସାରେ ହାଇକୋର୍ଟ ବାର୍ ଆସୋସିଏନଠାରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହି ମିଳିତ ବୈଠକରେ ବିଚାରପତି ନିଯୁକ୍ତି, ହାଇକୋର୍ଟଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲା ଓ ଅନ୍ୟାନ୍ୟ ପ୍ରସଂଗରେ ଆଲୋଚନା କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆଇନଜୀବୀ ପ୍ରତିନିଧି ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜଣା ପଡିଛି।

ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଗତ ସୋମବାର ଦିନ ୨ଟାରୁ କୋର୍ଟ ବର୍ଜନ ଆରମ୍ଭ କରାଯାଇଥିବାବେଳେ ଏଥିରେ କଟକର ଅନ୍ୟ ସମସ୍ତ ବାର୍ ଆସୋସିଏସନ ସାମିଲ ହୋଇଛନ୍ତି। ଆଜି କଟକ ବାର୍ ଆସୋସିଏସନ, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍, ଏମ୍‌ଭି ଲୟର୍ସ ଆସୋସିଏସନ୍ ଓ ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନର ମିଳିତ ବୈଠକରେ ଆଲୋଚନା କରାଯାଇ ହାଇକୋର୍ଟ ବାର୍ ନିଷ୍ପତ୍ତିକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବା ପାଇଁ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲା ଓ ଦୌରାଜଜଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅକ୍ଟୋବର ୧୬ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅକ୍ଟୋବର ୨୧ ଦିନ ୧ଟା ୧୫ରେ ଦିନ ବସିବାକୁ ଥିବା ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର