ଆଇନଜୀବୀ ଆନ୍ଦୋଳନ ପ୍ରସଂଗ : ପୁଣି ସୁପ୍ରିମକୋର୍ଟ କଠୋର

କାର୍ଯ୍ୟାନୁଷ୍ଠାନ ଗ୍ରହଣ କର; ଦୁଇ ସପ୍ତାହ ଭିତରେ ଜଣାଅ, ନିର୍ଦ୍ଦେଶନାମାର ଉଲ୍ଲଂଘନ ହେଉଛି

କଟକ : ଆଇନଜୀବୀଙ୍କ କୋର୍ଟ କ‌ାର୍ଯ୍ୟ ବର୍ଜନ ପ୍ରସଂଗରେ ସୁପ୍ରିମକୋର୍ଟ ପୁଣି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଦୋଳନ କରୁଥିବା ଅଥବା ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଥିବା ଆଇନଜୀବୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କର ଯେଉଁ ନିର୍ଦ୍ଦେଶନାମା ରହିଛି, ତାହାର ଉଲ୍ଲଂଘନ ହେଉଛି ବୋଲି ଅଦାଲତ ମତବ୍ୟକ୍ତ କରିବା ସହିତ ଆନ୍ଦୋଳନ ପାଇଁ ଆଇନଜୀବୀ ସଂଘ କର୍ମକର୍ତ୍ତା ଦାୟୀ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଏ କ୍ଷେତ୍ରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅବଗତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏସ.କେ.କଉଲ ଓ ଜଷ୍ଟିସ କେ.ଏମ.ଯୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏବେ ନୂତନ ଧରଣର କୋର୍ଟ କାର୍ଯ୍ୟ ବର୍ଜନ ଦେଖା ‌ଦେଇଛି। କେତେକ କୋର୍ଟରେ ପ୍ରତି ମାସ‌ର କେତେକ ନିର୍ଦ୍ଦିଷ୍ଟ ଦିନ କୋର୍ଟ କାର୍ଯ୍ୟ ବର୍ଜନ କରାଯାଉଛି କିମ୍ବା କେବଳ ଜାମିନ ଓ ଇଞ୍ଜକ୍ସନ ମାମଲା ଶୁଣାଣି କରାଯାଉଛି। ଏଭଳି ସ୍ଥିତି ସଂପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ସିଭିଲ ଓ କ୍ରିମିନାଲ ଟ୍ରାଏଲ ଜାରି ରହିବା କଥା। ନିର୍ଦ୍ଦିଷ୍ଟ ଦିବସରେ ଆଇନଜୀବୀଙ୍କ ପକ୍ଷରୁ କୋର୍ଟ ବର୍ଜନ କରାଯାଉଥିବା ବେଳେ ପସନ୍ଦ ମୁତାବକ କାର୍ଯ୍ୟ କରାଯାଉଥିବା ସ୍ଥିତିରେ ୨୦୧୯ ଡିସେମ୍ବର ୬ରେ ସୁପ୍ରିମକୋର୍ଟ କୋର୍ଟ କାର୍ଯ୍ୟ ସ୍ବାଭାବିକ ପ୍ରସଂଗରେ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏପରି ନିର୍ଦ୍ଦିଷ୍ଟଭାବେ ପସନ୍ଦମୁତାବକ କାର୍ଯ୍ୟ ଆଇନଜୀବୀଙ୍କ କର୍ତ୍ତବ୍ୟର ଉଲ୍ଲଂଘନ ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ। ଏପରି ପରିସ୍ଥିତିରେ ରାଜ୍ୟ ଆଇନଜୀବୀ ପରିଷଦ ଓ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ସପ୍ତାହ ଭିତରେ ଏ ନେଇ ଅବଗତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତି ପାଇଁ ଦାୟୀ ଆଇନଜୀବୀଙ୍କୁ ଖୋଜି ବାହାର କରିବା ବାର୍ କାଉନସିଲର କାର୍ଯ୍ୟ। ଅତି କମ୍‌ରେ ଆଇନଜୀବୀ ସଂଘ କର୍ମକର୍ତ୍ତା ଏଥି ପାଇଁ ଦାୟୀ ବୋଲି ପ୍ରକାଶିତ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆଇନଜୀବୀଙ୍କ ସଂପର୍କରେ ବାର୍ କାଉନସିଲକୁ ହାଇକୋର୍ଟ ରେଜିଷ୍ଟ୍ରାର ଅବଗତ କରି ପାରିବେ ବୋଲି ମଧ୍ୟ ଖଣ୍ଡପୀଠଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ଏଭଳି ସ୍ଥିତିରେ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଆଇନଜୀବୀଙ୍କ ବିରୋଧରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୁପ୍ରିମକୋର୍ଟ ଆଶା ପ୍ରକାଶ କରିଛନ୍ତି।

ସେହିଭଳି ହାଇକୋର୍ଟରେ ବିଚାରପତି ପଦ ପୂରଣ ପ୍ରସଂଗରେ ସମସ୍ତ ପକ୍ଷ ସହଯୋଗରେ ଆନ୍ତରିକତାର ସହିତ ଉଦ୍ୟମ କରି ପରିସ୍ଥିତିରେ ଉନ୍ନତି ଆଣିବାକୁ ଚେଷ୍ଟା କରିବା ଉଚିତ ବୋଲି ମଧ୍ୟ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ବିଚାରପତି ନିଯୁକ୍ତି ପ୍ରକ୍ରିୟା ୬ ମାସ ଭିତରେ ଶେଷ ହେବା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ଏଠାରେ ‌ଉ‌େଲ୍ଲଖ ଯୋଗ୍ୟ ଯେ ସୁପ୍ରିମକୋର୍ଟରେ ପିଏଲଆର ପ୍ରୋଜେକ୍ଟ୍‌ସ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ଟ୍ରାନ୍ସଫର ପିଟିସନ(ସିଭିଲ)ର ଶୁଣାଣି ସମୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ଆଇନଜୀବୀ ଆନ୍ଦୋଳନ ପ୍ରସଂଗ ନେଇ ରିପୋର୍ଟ ତଲବ କରାଯାଇଥିଲା।

ମାମଲା ସ୍ଥାନାନ୍ତର ପାଇଁ ହାଇକୋର୍ଟଙ୍କ ପଦକ୍ଷେପ ଆରମ୍ଭ
ରାଜ୍ୟର କେତେକ ସ୍ଥାନରେ ଆଇନଜୀବୀ ଆନ୍ଦୋଳନ ଯୋଗୁଁ ବିଚାରପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏପରି ପରିସ୍ଥିତି ଯୋଗୁଁ ପଡ଼ିରହିଥିବା ମାମଲା ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରାଯିବ, ଯେଉଁଠି ସ୍ବାଭାବିକ ଭାବେ କାର୍ଯ୍ୟ ଚାଲୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଇକୋର୍ଟ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ ଯେଉଁ କୋର୍ଟକୁ ମାମଲା ସ୍ଥାନାନ୍ତର ହେବ, ନୂଆ ନିଷ୍ପତ୍ତି ଅନୁସାରେ କ୍ଷମତା ପ୍ରଦାନ କରାଯିବ। ଆଂଶିକ କିମ୍ବା ସଂପୂର୍ଣ୍ଣ ଭାବେ କୋର୍ଟ କାର୍ଯ୍ୟ ହୋଇ ପାରୁ ନଥିବା ଜିଲ୍ଲା ବା ସ୍ଥାନରୁ ବିଚାର ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯିବ।

ସମ୍ବନ୍ଧିତ ଖବର