ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ଅଦାଲତ ଅବମାନନା ମାମଲା : ହାଇକୋର୍ଟ ବାର୍ ବିରୋଧରେ ଶୁଣାଣି ସ୍ଥଗିତ

ଅନ୍ୟ ବାର ବିରୋଧରେ ଚାଲିବ ମାମଲା; ନଭେମ୍ବର ୨୯ରେ ପରବର୍ତ୍ତୀ ଶୁଣାଣି

କଟକ : ହାଇକୋର୍ଟ ବାର୍ ଆସୋସିଏସନ୍ ବିରୋଧରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ବର୍ତ୍ତମାନ ପାଇଁ ବନ୍ଦ ରହିବ। କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିବା ସଂପର୍କରେ ନଭେମ୍ବର ୧ ତାରିଖରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଆଜି ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇଥିବାରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀଙ୍କ ସହିତ ହାଇକୋର୍ଟର ସମସ୍ତ ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ଏପରି ନିଷ୍ପତ୍ତି ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଅବଗତ କରାଯାଇଥିଲା। ଏହା ପରେ ଖଣ୍ଡପୀଠ ହାଇକୋର୍ଟ ବାର୍ ଆସୋସିଏସନ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମାମଲାରେ ପକ୍ଷଭୁକ୍ତ ହୋଇଥିବା ଅନ୍ୟ ବାର୍ ଆସୋସିଏସନଗୁଡିକ ବିରୋଧରେ ମାମଲାର ଶୁଣାଣି ଚାଲିବ। ମାମଲାରେ କେତେକ ବାର୍ ଆସୋସିଏସନ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିଥିବା ବେଳେ ଅନ୍ୟ କ‌େ‌ତକ ଜବାବ ଦାଖଲ କରି ନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୯କୁ ଧାର୍ଯ୍ୟ କରାଯାଇଥିବା ବେଳେ ଜବାବ ଦାଖଲ କରି ନଥିବା ବାର୍ ଆସୋସିଏସନଗୁଡିକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜନ ରାୟ, ଏନ.ସି. ପାଣିଗ୍ରାହୀ, ସଂଜିତ ମହାନ୍ତି, ରଜତ କୁମାର ରଥ ଓ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ହାଇକୋର୍ଟ ନିଜ ଆଡୁ ଅବମାନନା ମାମଲା ରୁଜୁ କରିଥିଲେ। ଐତିହାସିକ ଘଟଣା କ୍ରମେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଞ୍ଚ ମାମଲାର ଶୁଣାଣି କରି ଅକ୍ଟୋବର ୧୫ରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକ, ସମ୍ବଲପୁର ବାର୍ ଆସୋସିଏସନ୍ ସଭାପତି ଓ ସଂପାଦକଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଅନ୍ୟ ୬୬ଟି ଆଇନଜୀବୀ ସଂଘକୁ ନୋଟିସ୍ ଜାରି କରିଥିଲେ। ଅକ୍ଟୋବର ୧୪ରେ ହାଇକୋର୍ଟ ବାର୍ ଆସୋସିଏସନ୍ କୋର୍ଟ ବର୍ଜନ ଆନ୍ଦୋଳନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ନେଇଥିଲେ। ବାର୍ କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ସମେତ ରାଜ୍ୟର ସମସ୍ତ ଆଇନଜୀବୀ ସଂଘକୁ ଅନୁରୋଧ କରିଥିଲା। ଏହା ପରେ ନଭେମ୍ବର ୧ରେ ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ ବସି କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖି ନଭେମ୍ବର ୪ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର