ନୂଆବଜାର ଛକରେ ପୁଲିସ୍‌ ମାଡ଼ର ପ୍ରତିବାଦ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ହାଇକୋର୍ଟ ନିକଟରେ ଦୁର୍ବୃତ୍ତ ଜାଳି ଦେଲେ ପୁଲିସ୍‌ ଗାଡ଼ି, ପୁଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚକୁ ଆଇନଜୀବୀଙ୍କ ବିରୋଧ

କଟକ : ନୂଆବଜାର ଛକରେ ଦୁର୍ଘଟଣା, ସାଧାରଣ ଲୋକ ଓ ଜଣେ ଆଇନଜୀବୀଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ପୁଲିସ ମାଡ଼ରେ ଆଇନଜୀବୀ ଆହତ ଘଟଣା ଆଜି ଆନ୍ଦୋଳନର ରୂପ ନେଇଛି। ଏହି ଘଟଣାର ପ୍ରତିବାଦରେ ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା ପୁଲିସ କର୍ମଚାରୀ ଓ ଦୁର୍ବୃତ୍ତଙ୍କୁ ୨୪ ଘଣ୍ଟା ଭିତରେ ଗିରଫ ପାଇଁ ସଦସ୍ୟମାନେ ଦାବି କରିଛନ୍ତି। ଆସନ୍ତାକାଲି ଦିନ ସାଢେ ଗୋଟାଏରେ ଅନୁଷ୍ଠିତ ହେବାକୁ ଥିବା ଆସୋସିଏସନ୍‌ର ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି। ଫଳରେ ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ବି ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଜାରି ରହିବ ବୋଲି ସ୍ପଷ୍ଟ ହୋଇଛି।

ଏଭଳି ଆନ୍ଦୋଳନ ସମୟରେ କିନ୍ତୁ କେତେକ ଦୁର୍ବୃତ୍ତ ହାଇକୋର୍ଟ ନିକଟରେ ଥିବା ଭଦ୍ରକ ଜିଲ୍ଲା ପୁଲିସର ଏକ ଗାଡ଼ିକୁ ପୋଡ଼ି ଦେଇଛନ୍ତି। ନିଆଁରେ ଗାଡ଼ିଟି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଉତ୍ତେଜନା ପରିସ୍ଥିତିରେ ନିଆଁ ଲିଭା ଗାଡ଼ି ବି ସେଠାରେ ପହଞ୍ଚି ପାରି ନଥିଲା। ପରବର୍ତ୍ତୀ ସମୟରେ ପୁଲିସ ପକ୍ଷରୁ ସେଠାରେ ଫ୍ଲାଗ ମାର୍ଚ୍ଚ ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ହାଇକୋର୍ଟ ପରିସର ଦେଇ ଏଭଳି ଫ୍ଲାଗ୍‌ ମାର୍ଚ୍ଚକୁ କେତେକ ଆଇନଜୀବୀ ବିରୋଧ କରିବା ପରେ ଅନ୍ୟ ବାଟ ଦେଇ ପୁଲିସ୍‌ ଯାଇଥିଲେ।

ଅନ୍ୟପଟେ ଚାଉଳିଆଗଂଜ ଥାନାରେ ଗଣ୍ଡଗୋଳ, ଦୁର୍ଘଟଣା, ଦୁର୍ବ୍ୟବହାର ଘଟଣାକୁ ନେଇ ବିଭିନ୍ନ ପକ୍ଷରୁ ୪ଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଅଟକ ଥିବା ଜଣା ପଡିଛି।

ଏ ସଂପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ ଅତିରିକ୍ତ ଡିସିପି ଗୁପ୍ତ ମହାକୁଡଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ହେବ। ତଦନ୍ତ ରିପୋର୍ଟ ଯଥାଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି କେତେକ ଦୁର୍ବୃତ୍ତ ଭଦ୍ରକର ଏକ ପୁଲିସ ଗାଡ଼ିକୁ ନିଆଁ ଲଗାଇ ଦେଇଥିବା ବେଳେ ତାହାକୁ ମଧ୍ୟ ଅନୁସନ୍ଧାନ ପରିସରଭୁକ୍ତ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିବା ସହିତ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ଆଇନଜୀବୀଙ୍କୁ ନିବେଦନ କରିଛନ୍ତି।

ରାଜ୍ୟ ଆଇନଜୀବୀ ପରିଷଦର ମଧ୍ୟ ଏକ ବୈଠକ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ସାରା ରାଜ୍ୟର ଆଇନଜୀବୀଙ୍କୁ ଅଗଷ୍ଟ ୩୦ ତାରିଖ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋବକୁ ଆହ୍ଵାନ ଦିଆଯାଇଛି।

ସମ୍ବନ୍ଧିତ ଖବର