ସାରା ରାଜ୍ୟରେ ଆଇନଜୀବୀ ସଂଘ ନିର୍ବାଚନ ଆଜି, ୧୪୨ ବାର୍‌ରେ ହେବ ମତଦାନ

କଟକ : ସାରାରାଜ୍ୟରେ ଆସନ୍ତାକାଲି ଆଇନଜୀବୀ ସଂଘ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶା ଆଇନଜୀବୀ ପରିଷଦ ଦ୍ବାରା ସ୍ବୀକୃତିପ୍ରାପ୍ତ ସମସ୍ତ ବାର୍ ଆସୋସିଏସନରେ ଏହି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟର ପ୍ରମୁଖ ଆଇନଜୀବୀ ସଂଘ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ବିଭିନ୍ନ ଜିଲ୍ଲାରେ ଥିବା ୧୪୨ଟି ବାର୍ ଆସୋସିଏସନରେ ଅନୁଷ୍ଠିତ ହେଉଥିବା କର୍ମକର୍ତ୍ତା ନିର୍ବାଚନରେ ୩୨ ହଜାରରୁ ଅଧିକ ଆଇନଜୀବୀ ମତଦାନ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ଆଦେଶରେ ଗୋଟିଏ ତାରିଖରେ ସମସ୍ତ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ‘ୱାନ୍ ବାର୍ ୱାନ୍ ଭୋଟ୍‌’ ନିୟମ ଅନୁସାରେ କରାଯାଉଛି। ରାଜ୍ୟର ସମସ୍ତ ବାର୍ ଆସୋସିଏସନର ମତଦାତାଙ୍କ ତାଲିକାକୁ ରାଜ୍ୟ ଆଇନଜୀବୀ ପରିଷଦ ଅନୁମୋଦନ କରିଛି। ଜଣେ ଆଇନଜୀବୀ କେବଳ ଗୋଟିଏ ବାର୍‌ର ନିର୍ବାଚନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

ନିର୍ବାଚନ ସମୟରେ କୋଭିଡ୍‌ ନିୟମାବଳୀ ପାଳନ ଉପରେ ଗୁରୁତ୍ବାରୋପ କରାଯାଇଛି। ନିର୍ବାଚନକୁ ଦୃ‌ଷ୍ଟିରେ ରଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପି.‌କେ. ମହାପାତ୍ର ସମସ୍ତ ଜିଲ୍ଲାପାଳ, ଭୁବନେଶ୍ବର-କଟକ ପୁଲିସ କମିସନର, ସବୁ ଜିଲ୍ଲାର ପୁଲିସ ଏସପି, ପୌରପାଳିକାକୁ କୋଭିଡ-୧୯ ସଂକ୍ରମଣ ରୋକିବାକୁ କେତେକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଧ୍ୟ ‌ନିର୍ବାଚନ ସମୟରେ ଭିଡ଼ ନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ସମସ୍ତ ବାର୍ ଆସୋସିଏସନକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର