ଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତୁ ଆଇନଜୀବୀ: ମୁଖ୍ୟ ବିଚାରପତି

ବିବୁଧେନ୍ଦ୍ର ମିଶ୍ରଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା

କଟକ : ମହତ୍‌ ଉଦ୍ଦେଶ୍ୟ ରଖି ନିରନ୍ତର କାର୍ଯ୍ୟ କଲେ, ଜୀବନରେ ନିଶ୍ଚେ ସଫଳତା ମିଳିବ। ଏହା ହିଁ ଘଟିଥିଲା ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶି‌ଷ୍ଟ ଆଇନଜ୍ଞ ବିବୁଧେନ୍ଦ୍ର ମିଶ୍ରଙ୍କ କ୍ଷେତ୍ରରେ। ‌ମହତ୍‌ ଉଦ୍ଦେଶ୍ୟ, ନିଃସ୍ବାର୍ଥପର ସେବା ଓ ସାଧନା ପାଇଁ ସେ ସଫଳତାର ଶୀର୍ଷକୁ ଛୁଇଁଥ‌ିଲେ। ତାଙ୍କ ଭଳି ପ୍ରତ୍ୟେକ ଆଇନଜୀବୀ ଜାତିର କଲ୍ୟାଣ ଓ ସାମୂହିକ ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବ୍ରତୀ ହେବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଆଇନଜୀବୀଙ୍କୁ ଆହ୍ବାନ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ମୁରଲୀଧର ହାଇକୋର୍ଟ ବାର୍‌ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ବିଶି‌ଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଆଇନଜୀବୀ ବିବୁଧେନ୍ଦ୍ର ମିଶ୍ରଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ, ଜବାହରଲାଲ୍ ନେହରୁ ଓ ମହାତ୍ମା ଗାନ୍ଧୀଙ୍କ ଭଳି ବିବୁଧେନ୍ଦ୍ର ମିଶ୍ର ଉଭୟ ରାଜନୀତି ଓ ଓକିଲାତିରେ ସଫଳତା ଅର୍ଜନ କରିଥିଲେ। ତାଙ୍କର ବିଚକ୍ଷଣ ପ୍ରତିଭା ପାଇଁ ସେ ପଣ୍ଡିତ୍‌ ନେହରୁ ଓ ଶାସ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କ ଜୀବନ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମୁଖ୍ୟ ବିଚାରପତି କହିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ଆଡ୍‌ଭୋକେଟ୍ ଜେନେରାଲ୍‌ ଅଶୋକ କୁମାର ପରିଜା କହିଥିଲେ, କେନ୍ଦ୍ରରେ ଆଇନମନ୍ତ୍ରୀ ଥିବା ସମୟରେ ସେ ଓକିଲମାନଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିଛନ୍ତି, ଯାହା ତାଙ୍କୁ ଚିରସ୍ମରଣୀୟ କରି ରଖିବ।

ହାଇକୋର୍ଟ ବାର୍‌ ଆସୋସିଏସନ୍ ଓ ବିବୁଧେନ୍ଦ୍ର ମିଶ୍ର ମୋମୋରିଆଲ୍‌ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ହାଇକୋର୍ଟ ବାର୍‌ ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ କହିଥିଲେ, ଆଇନ କ୍ଷେତ୍ରରେ ଓ ରାଜନୀତିରେ ବିବୁଧେନ୍ଦ୍ର ମିଶ୍ରଙ୍କ ସଫଳତା ପିଢ଼ି ପରେ ପିଢ଼ି ଆଇନଜୀବୀମାନଙ୍କୁ ପ୍ରଭାବିତ କରିବ। ତାଙ୍କ ନିର୍ଭୀକତା, ସଚ୍ଚୋଟତା, ନିସ୍ବାର୍ଥପର ସେବା ନୂତନ ପିଢ଼ିର ଆଇନଜୀବୀଙ୍କ ପାଇଁ ଆଲୋକବର୍ତ୍ତିକା ବୋଲି ସଭାପତି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ବିବୁଧେନ୍ଦ୍ର ମିଶ୍ର ମୋମୋରିଆଲ୍‌ ଟ୍ରଷ୍ଟ ଆବାହକ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ କହିଲେ, ଏନିମି ଅର୍ଡନାନ୍ସ ଆକ୍ଟରେ ଗିରଫ୍‌ ହୋଇଥିବା ବିବୁଧେନ୍ଦ୍ରଙ୍କୁ ଫାଶି ଚକ୍ରାନ୍ତ ହୋଇଥିଲେ ମଧ୍ୟ ସେ ବିଚଳିତ ହୋଇ ନଥିଲେ।

ବାର୍‌ ଆସୋସିଏସନ୍ ସଂପାଦକ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ସମାରୋହରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା, ଜଷ୍ଟିସ୍ ମୃଗାଙ୍ଗ ଶେଖର ସାହୁ, ଜ‌ଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ, ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର, ଜଷ୍ଟିସ୍ ଏମ୍.ବି. ରମଣ, ଜଷ୍ଟିସ୍ ଭି. ନରସିଂହା ପ୍ରମୁଖ ବିବୁଧେନ୍ଦ୍ର ମିଶ୍ରଙ୍କ ପତ୍ରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ପାଇଁ ଡଗରପଡ଼ାସ୍ଥିତ ସ୍ବାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମର ଅନ୍ତେବାସୀ ମୁନା ହେମ୍ବ୍ରମ୍, ଦିଲ୍ଲୀପ ଟୁଡୁ, ଜଗନ ପାତ୍ର, ରମାଇ ଟୁଡୁ, ଟୁଲୁ ସିଂହଙ୍କୁ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍ ମୁରଲୀଧର ପୁରସ୍କୃତ କରିଥିଲେ। ଆଇନଜୀବୀ ଦେବୀପ୍ରସନ୍ନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ହାଇକୋର୍ଟର ଆଇନଜୀବୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର