ଜଳେଶ୍ବର : ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ କୁହାଯାଉଥିବା ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ତନଖି ଫାଟକ ଏବେ ସତେ ଯେମିତି ଭାରତ-ପାକିସ୍ତାନ ବର୍ଡର ପାଲଟିଛି। କରୋନା ପାଇଁ ଏଠି ମାନବିକତା, ଦୟା, ମମତାର କିଛି ସ୍ଥାନ ନାହିଁ। ସବୁ କିଛି ପାଦରେ ଦଳି ଦେଇ କେବଳ ସରକାରୀ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି। ହେଲେ ଏହି ନିୟମ ପାଳନ ପଛରେ ପଶ୍ଚିମବଙ୍ଗରେ ଦାଦନ ଖଟିବାକୁ ଯାଇଥିବା କେତେ ଯେ ଓଡ଼ିଆ ଶ୍ରମିକଙ୍କ ଆଖିରୁ ତତଲା ଲୁହ ବାହାରି ଆସୁଛି ତାହା କେବଳ ଅନୁଭବୀ ହିଁ ଅନୁଭବ କରିପାରିବ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ କେବଳ ଓଡ଼ିଆ ଶ୍ରମିକ ନୁହନ୍ତି, ଅନ୍ୟ ରାଜ୍ୟର ବହୁ ଶ୍ରମିକ ଓ ରୋଗୀ ମଧ୍ୟ ଫସି ରହିଛନ୍ତି।

Advertisment

ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଏକ ଝୋଟ କଳରେ କାମ କରୁଥିବା ୧୫ ଜଣ ଓଡ଼ିଆ ଶ୍ରମିକ ଆଉ ଭୋକ ଜ୍ବାଳା ସହିପାରିଲେନି। କାମ କରୁଥିବା ସ୍ଥାନରେ ମହାମାରୀ ସ୍ଥିତି ଭୟାନକ ହେଉଥିବା ଦେଖି ଜୀବନ ବିକଳରେ ୧୩ଟି ସାଇକେଲ ଯୋଗେ ଘର ଅଭିମୁଖେ ବାହାରିଥିଲେ। ସଡ଼କ ପଥରେ ୨୪୦ କିମି ଆସିବା ପରେ ୨୨ ତାରିଖରେ ପହଞ୍ଚିଥିଲେ ଲକ୍ଷ୍ମଣନାଥ। ତେବେ ପୁଲିସ ସେମାନଙ୍କୁ ଦୀର୍ଘ ସମୟ ଅଟକାଇବା ପରେ ପୁଣି ନେଇ ପଶ୍ଚିମବଙ୍ଗରେ ଛାଡି ଦେଇଛି। ଏମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ୫ ଜଣ ଶ୍ରମିକ ଖଡ଼ଗପୁର ପୂର୍ବରୁ ଏକ ଢାବା ପିଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି। ନିଜ ଜନ୍ମମାଟି ଓଡ଼ିଶାକୁ ଫେରିବା ନିମନ୍ତେ ସମସ୍ତେ ସରକାରଙ୍କୁ ବିକଳ ହୋଇଛନ୍ତି। ଖାଲି ଏହି ୧୫ ଶ୍ରମିକ ନୁହନ୍ତି, ପଶ୍ଚିମବଙ୍ଗରେ ଶ୍ରମିକ ଭାବେ କାମ କରୁଥିବା ଲୋକଙ୍କ ପାଇଁ ସେଠାକାର ସରକାର କିମ୍ବା ଶିଳ୍ପ ସଂସ୍ଥାର ମାଲିକମାନେ କୌଣସି ସୁବିଧା ଦେବାକୁ ନାରାଜ। ଫଳରେ ସେଠାରେ ଭୋକ ଉପାସ, ରୋଗରେ ମରିବା ଅପେକ୍ଷା ନିଜ ଜନ୍ମମାଟି ଓଡ଼ିଶାକୁ ଫେରିବା ଶ୍ରେୟ ମଣୁଛନ୍ତି ଓଡ଼ିଆ ଶ୍ରମିକ। ଖାସ୍‌ ଏହି କାରଣରୁ ପଶ୍ଚିମବଙ୍ଗରୁ ପ୍ରତିଦିନ ଶତାଧିକ ଶ୍ରମିକ କିଏ ବାଲେଶ୍ବର ତ କିଏ ଭଦ୍ରକ, କିଏ ଯାଜପୁର ତ ଆଉ କିଏ କେନ୍ଦ୍ରାପଡ଼ା, ପୁଣି ଆଉ କିଏ ନୟାଗଡ ଅଭିମୁଖେ ରେଳ ଧାରଣାରେ ପାଦରେ ଚାଲି ଚାଲି ଯାଉଥିବା ଦେଖାଯାଉଛି।

publive-image

ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ସରକାରଙ୍କ ଚିନ୍ତା ବଢିଥିଲେ ମଧ୍ୟ ଏହାକୁ ବ୍ୟବସ୍ଥିତ କରାଯାଉନି। ଗଳାବାଟ ଦେଖି ଯିଏ ଯୁଆଡେ ଓଡ଼ିଶାକୁ ଖସି ପଳାଉଛନ୍ତି। ସେପଟେ କରୋନା ଭୟରେ ଏବେ ଶବକୁ ବି ଛାଡୁନି ପୁଲିସ। କର୍କଟ ରୋଗରେ ପୀଡ଼ିତ କଟକ ନୂଆବଜାର ଅଞ୍ଚଳର ନବକିଶୋର ପରିଡା (୬୧)ଙ୍କୁ ଲକ୍‌ଡାଉନ୍ ପୂର୍ବରୁ ପରିବାର ଲୋକେ କୋଲକାତା ଟାଟା ମେମୋରିଆଲ ହସପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବା ପରେ ନବକିଶୋରଙ୍କ ପରିବାର ଲୋକେ କଟକ ଫେରିବାକୁ ଚାହିଁଥିଲେ। କିନ୍ତୁ ଆନ୍ତଃରାଜ୍ୟ ସୀମା ସିଲ୍ ଯୋଗୁଁ ଏହା ଆଉ ସମ୍ଭବ ହୋଇନଥିଲା। ଏଭଳି ପରିସ୍ଥିତିରେ ଗତକାଲି ନବକିଶୋରଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡିଯିବା ସହ ରାତି ପ୍ରାୟ ୨ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ନବକିଶୋରଙ୍କ ମରଶରୀରକୁ ଏକ ଶବବାହକ ଗାଡ଼ିରେ ନେଇ ତାଙ୍କ ପତ୍ନୀ, ଜ୍ବାଇଁ ତଥା ଅନ୍ୟ ଜଣେ ସମ୍ପର୍କୀୟ କୋଲକାତାରୁ ବାହାରି ଆଜି ସକାଳ ୮ଟା ବେଳକୁ ଲକ୍ଷ୍ମଣନାଥରେ ପହଞ୍ଚିଥିଲେ। ହେଲେ ଏଠାରେ ତାଙ୍କ ଗାଡ଼ିକୁ ଅଟକାଇ ଦେଇଥିଲା ପୁଲିସ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶବ ସହ ନବକିଶୋରଙ୍କ ଆତ୍ମୀୟମାନେ ସେମିତି ଅଟକି ରହିଥିଲେ। ସେମିତି ଭେଲୋରରୁ ଚିକିତ୍ସା ପରେ ନିଜ ଘର ପୂର୍ବ ମେଦିନପୁରକୁ ଫେରୁଥିବା ଜଣେ ଗୁରୁତର ରୋଗୀଙ୍କୁ ଅଧା ରାସ୍ତାରେ ଛାଡ଼ି ପଳାଇଛି ଆମ୍ବୁଲାନ୍ସ। ଯୁବତୀ ଜଣକ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭେଲୋର ଯାଇଥିଲେ ଚିକିତ୍ସା ପାଇଁ। ସେଠାରେ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର ମଧ୍ୟ ହୋଇଛି। ଟ୍ରେନ୍‌ ବନ୍ଦ ଯୋଗୁଁ ମୋଟା ଅଙ୍କର ଟଙ୍କା ଦେଇ ଏକ ଆମ୍ବୁଲାନ୍ସରେ ଯୁବତୀଙ୍କୁ ଘରକୁ ଅଣାଯାଉଥିଲା। ତେବେ ଆମ୍ବୁଲାନ୍ସ ଚାଳକ ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ତନଖି ଫାଟକରେ ଯୁବତୀ ଓ ତାଙ୍କୁ ମାଙ୍କୁ ଏଇଠୁ ଆସୁଛି କହି ଖସି ପଳାଇଥିଲେ।

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରୁ ଓଡ଼ିଶା ଭିତରକୁ ଆସୁଥିବା ପ୍ରାୟ ଦୁଇଶହ ପାଖାପାଖି ଆମ୍ବୁଲାନ୍ସ ଓ ଘରୋଇ କାର୍‌ ଲକ୍ଷ୍ମଣନାଥ ସୀମାରେ ଅଟକ ରହିଛନ୍ତି। କେତେକ ଗାଡିରେ ରୋଗୀ ଥିବା ବେଳେ ଅନ୍ୟ ଗାଡ଼ିରେ ସାଧାରଣ ଯାତ୍ରୀ ରହିଛନ୍ତି। କିଏ ଗତକାଲିଠାରୁ ତ କିଏ ଆଜି ସକାଳଠାରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଭୋକ ଉପାସରେ, ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ଆଜି ସକାଳୁ ବର୍ଷା ଲାଗିରହିଥିବାରୁ ଏମାନଙ୍କ ଅବସ୍ଥା ଆହୁରି ଦୟନୀୟ ହୋଇପଡିଛି।

ସରକାରୀ ନିୟମ ମୁତାବକ, ଏମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖିବା ସହ ଖାଦ୍ୟପାନୀୟର ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକାରୀ ହୋଇନାହିଁ।