ଲକ୍ଷ୍ମଣପୁର ଗ୍ରାମକୁ ଜାଳିଦେଲେ! ଲକ୍ଷାଧିକ ଟଙ୍କାର ସାମଗ୍ରୀ ଛାରଖାର

ନକ୍ସଲ ଆତଙ୍କ ଯୋଗୁ ଜନଶୂନ୍ୟ ଥିଲା ଗାଁ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ନାକଟିସିମୋଡା ପଞ୍ଚାୟତ ଲକ୍ଷ୍ମଣପୁର ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। କେହି ଜାଣିଶୁଣି ସଂପୂର୍ଣ୍ଣ ଗାଁରେ ନିଆଁ ଲଗାଇ ଦେଇଥିବା ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି। ନକ୍ସଲ ନା କେହି ଦୁର୍ବୃତ୍ତ ସଂପୂର୍ଣ୍ଣ ଗାଁକୁ ଛାରଖାର କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ ଗାଁରେ ଜଣେ ବି ନଥିଲେ। କିନ୍ତୁ ଅଧିକାଂଶ ଘର ସହ ଘରେ ରହିଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, କିଛି ପରିବାର ଭିଟାମାଟି ଛାଡ଼ିବା ପରେ ଜଙ୍ଗଲକୁ କାଟି ଜନବସତି ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଗାଁର ନାମକରଣ ଲକ୍ଷ୍ମଣପୁର ବୋଲି କରିଥିଲେ। ତେବେ ଜଙ୍ଗଲ କାଟି ଗାଁ ସ୍ଥାପନ କରିଥିବାରୁ ବହୁ ବର୍ଷ ଧରି ନକ୍ସଲଙ୍କ ଟାର୍ଗେଟରେ ରହିଥିଲେ ଗ୍ରାମବାସୀ। ବ୍ୟାନର ତଥା ପୋଷ୍ଟର ମାରି ବାରମ୍ବାର ତାଗିଦ୍‌ କରିବା ସତ୍ତ୍ବେ ଗ୍ରାମବାସୀ ଜଙ୍ଗଲ ଛାଡ଼ି ନଥିବାରୁ ଗତ ମାର୍ଚ୍ଚ ୧୭ତାରିଖରେ ନକ୍ସଲ ଏହି ଗାଁରେ ପଶିଥିଲେ। ନାରାୟଣ ନାଗେଶଙ୍କୁ ଘରୁ ଉଠାଇ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଜଙ୍ଗଲ ନଷ୍ଟ କରି ଜନବସତି ସ୍ଥାପନ କରିଥିବାରୁ ଏଭଳି ଦଣ୍ଡ ଦିଆଯାଇଥିବା ପ୍ରକାଶ କରିଥିଲେ। ଯିବା ପୂର୍ବରୁ ୧୨ଜଣଙ୍କ ନାମ ଉଲ୍ଲେଖ କରି ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ ମଧ୍ୟ ଚେତାବନୀ ଦେଇଥିଲେ।

ଗାଁରେ ପଶି ନକ୍ସଲଙ୍କ ନାରକୀୟ କାଣ୍ଡ ଏବଂ ସୁରକ୍ଷା ଅଭାବରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ। ଶେଷରେ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଇ ଅନ୍ୟସ୍ଥାନରେ ଆଶ୍ରୟ ନେଇଥିଲେ। ଜରୁରୀ ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ସାମଗ୍ରୀ ଘରେ ଛାଡ଼ି ତାଲା ପକାଇଥିଲେ। ମଝିରେ ମଝିରେ ଗାଁକୁ ଫେରି ଘର ସଫାସୁତୁରା କରି ଚାଲିଯାଉଥିଲେ। ଗୁରୁବାର ବିଳମ୍ବିତ ରାତିରେ ଗାଁରେ ନିଆଁ ଲାଗିଥିବା କୁହାଯାଉଛି। ନିଆଁ ବ୍ୟାପିବା ପରେ ୩୨ରୁ ଅଧିକ ଘର ସଂପୂର୍ଣ୍ଣ ପୋଡ଼ିଯାଇଛି। ଅଳ୍ପ କିଛି ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା ଘରେ ରହିଥିବା ସାମଗ୍ରୀ ନଷ୍ଟ ହୋଇଛି। ଖବର ପାଇଁ ଗ୍ରାମବାସୀ ପହଞ୍ଚିବା ସହ ନିଆଁ ଦାଉରୁ ରକ୍ଷା ପାଇଥିବା ସାମଗ୍ରୀ ଗୁଡ଼ିକୁ ସାଉଁଟିଛନ୍ତି। ତଥାପି ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ରାଇଘର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ଅଘଟଣ ପଛରେ କିଏ ରହିଛି ସ୍ପଷ୍ଟ ହୋଇନଥିବା ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି। ଏଠାରୁ ଜନବସତିକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ଏହି ଅଗ୍ନିକାଣ୍ଡର ମୂଳ କାରଣ। ପୁଣି ଗ୍ରାମବାସୀ ଫେରିବାର ସମ୍ଭାବନା ରହିଥିବାରୁ ଘରେ କେହି ନିଆଁ ଲଗାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର