ଲକ୍ଷ୍ମୀଙ୍କ ଆତ୍ମସମର୍ପଣ ମିଥ୍ୟା; ସେ ୧୬ ବର୍ଷର ଅବିବାହିତ ଝିଅ: ପରିବାର

କେନ୍ଦୁପତ୍ର ଗୋଟାଉ ଥିବା ବେଳେ ଉଠାଇ ନେଲା ପୁଲିସ

ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତ ମେ ମାସ ୧୩ ତାରିଖ ଦିନ ନକ୍ସଲ ଦମ୍ପତି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲା। ଦୁହିଁଙ୍କୁ କରୋନା ପଜିଟିଭ୍ ନେଇ ମଧ୍ୟ ସ୍ପଷ୍ଟିକରଣ ଦେଇଥିଲେ। ତେଣୁ ଏମାନଙ୍କୁ ଜିଲ୍ଲା କୋଭିଡ ହସପିଟାଲରେ ରଖାଯାଇଛି। ସ୍ବାସ୍ଥ୍ୟରେ ଉନ୍ନତି ହେବା ପରେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ପୁଲିସ କହିଥିଲା।ତେବେ ଏସବୁ ମିଥ୍ୟା ବୋଲି ଆଜି ପରିବାର ଲୋକେ ଦାବି କରିଛନ୍ତି।

ଲକ୍ଷ୍ମୀ ପଦ୍ଦା ନାବାଳିକା ଅଟେ।ତାକୁ ବର୍ତ୍ତମାନ ୧୬ ବର୍ଷ ବୟସ ହୋଇଥିବା ପରିବାର ଲୋକେ ଆଧାର କାର୍ଡ ଦେଖାଇ ପ୍ରମାଣ କରୁଛନ୍ତି। ନିଜ ମାମୁଁଙ୍କ ଗାଁକୁ ଯାଇଥିଲା। ସେଠାରେ ସେ କେନ୍ଦୁପତ୍ର ଗୋଟାଇ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲା। ପରେ ପରିବାର ଲୋକେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ ଯେ ତାଂକ ଝିଅ ଲକ୍ଷ୍ମୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଏହା ଜାଣିବା ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ପୁଲିସର ମିଥ୍ୟା କେଶକୁ ନିନ୍ଦା କରିଛନ୍ତି। ଗତ ମେ ୨୧ ତାରିଖରେ ବସ୍ତର ଆଇଜି ପି.ସୁନ୍ଦର ରାଜ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ କାଂକେର ବିଏସଏଫଙ୍କ ନିକଟରେ ନକ୍ସଲ ନେତା ଏର୍ଜୁନ ତାଟି ଏବଂ ତାଂକ ପତ୍ନୀ ଲକ୍ଷ୍ମୀ ପଦ୍ଦା ଆତ୍ମସମର୍ପଣ କରିଛନ୍ତି। ଏମାନେ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ଏମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ନାମରେ ସରକାର ୩ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିବା କହିଥିଲେ। ଏହି ଯୋଡି ବହୁ ନକ୍ସଲ ହିଂସାରେ ଜଡିତ ଥିବା ପୁଲିସ କହିଛି।

ତେବେ ପରିବାର ଏବଂ ଗ୍ରାମବାସୀ କହିଛନ୍ତି ଯେ ଲକ୍ଷ୍ମୀଙ୍କ ସହ ନକ୍ସଲଙ୍କର କୌଣସି ସଂପର୍କ ନାହିଁ। ସେ ଗ୍ରାମର ଜଣେ ନାବାଳିକା ଝିଅ। ସେ ବାହା ହୋଇନାହିଁ।ଲକ୍ଷ୍ମୀର ଆଧାର କାର୍ଡ ଏବଂ ପରିବାରରେ ରହିଥିବା ରାସନ କାର୍ଡ ଦେଖିଲେ ସ୍ପଷ୍ଟ ହୋଇଯିବ ବୋଲି ପରିବାର ଲୋକେ ଦାବି କରିଛନ୍ତି। ପୁଲିସ ମିଥ୍ୟା କେଶ କରି ଲକ୍ଷ୍ମୀକୁ ନକ୍ସଲ ବୋଲି କହି ଆତ୍ମସମର୍ପଣ କରାଉଛି। କାନରୀ ପଞ୍ଚାୟତର ସରପଞ୍ଚ ମଣି କଞ୍ଚଲମ କହିଛନ୍ତି ଯେ ସେ ଆମ ଗାଁ ଝିଅ, ଘୋଟରୁ ନୃତ୍ୟ ଦଳ ସହ ସେ ସଂପୃକ୍ତ।ସେ ଘୋଟଲୁ ନୃତ୍ୟ କରନ୍ତି। ପୁଲିସର ଦାବି ସଂପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।

ଗାଁ ମୁଖିଆ ନାଭାଲୁ ରାମ କହିଛନ୍ତି ଯେ ସେ ଆମ ଘର ପଡୋଶୀ ଝିଅ। ମୁଁ ତାକୁ ପିଲାଟି ଦିନରୁ ଜାଣିଛି। ସେ ମାତ୍ର ୧୬ ବର୍ଷର ଝିଅ । ଆଜି ପର୍ଯ୍ୟନ୍ତ ସେ ବାହା ହୋଇ ନାହିଁ। ପୁଲିସ କିପରି ତାକୁ ବାହା ହୋଇଛି ବୋଲି ଦର୍ଶାଉଛି। ସେହିପରି ନାରାୟଣପୁର କଂଗ୍ରେସ ବିଧାୟକ ଚନ୍ଦନ କଶ୍ୟପ ପ୍ରକାଶ କରିଛନ୍ତି ଯେ ପୁଲିସ ଆଜିକାଲି ଗ୍ରାମବାସୀଙ୍କୁ ନକ୍ସଲ ବ୍ରାଣ୍ଡ କରିଦେଇଛି। ଗ୍ରାମବାସୀଙ୍କୁ ନକ୍ସଲ ବୋଲି ଆତ୍ମସମର୍ପଣ କରାଉଛି ନଚେତ ଏନକାଉଣ୍ଟର କରି ମାରିଦେଉଛି। ତେବେ ପରିବାର ଲୋକଙ୍କ ଦଲିଲିଗୁଡିକ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ଯେ ଲକ୍ଷ୍ମୀ ନାବାଳିକା ଏବଂ ସେ ନକ୍ସଲ ସହ କେବେ ମଧ୍ୟ ମିଶି ନାହିଁ। ତେବେ ଏନେଇ ପୁଲିସ ତରଫରୁ କିଛି ସଫେଇ ଦଆଯାଇ ନାହି।

ସମ୍ବନ୍ଧିତ ଖବର