ଜୟପୁର: ପଂଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସଦରମହକୁମା, ଜିଲ୍ଲାସଦରମହକୁମାରୁ ଭୁବନେଶ୍ବର ଓ ପୁରୀକୁ ରାଜ୍ୟସରକାରଙ୍କ ସହଯୋଗରେ ଚାଳିବ ଲକ୍ଷ୍ମୀ ବସ୍‌। ମାଲାକାନଗିରୀ, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଏହି ସେବା ଲୋକାର୍ପଣ ହୋଇସାରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏଥି ପାଇଁ ପ୍ରାରମ୍ଭିକ ଭାବେ ୨୦ଟି ନୂଆ ବସ ଆସିବା ସହ ଷ୍ଟିକରିଂ ଚାଳିଥିବା ସୂଚନା ମିଳିଛି।

Advertisment

୧୪ଟି ବ୍ଲକ ପାଇଁ ୫୬ଟି ବସ ଆସିବାର ସୂଚନା ମିଳିଛି।  ଏଥିରେ ଜୟପୁର ବ୍ଲକର ୨୨ଟି ପଂଚାୟତ ପାଇଁ ୩ଟି ରୁଟରେ ବସ ଚଳାଚଳ କରିବ ବୋଲି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ବିଶ୍ବନାଥ ପାତ୍ର ସୂଚନା ଦେଇଛନ୍ତି। ୨୨ଟି ପଂଚାୟତର ୬ଟି ପଂଚାୟତର ପୁରୁଣା ବସଷ୍ଟାଣ୍ଡକୁ ପୁନଃରୁଦ୍ଧାର କରାଯାଉଛି। ବଳକା ୧୬ଟି ପଂଚାୟତରେ ନୂଆ ବସଷ୍ଟାଣ୍ଡ ନିର୍ମାଣାଧୀନ ରହିଛି। ୭୫ହଜାର ଟଙ୍କାରେ ପୁନଃରୁଦ୍ଧାର ଓ ୫ଲକ୍ଷରେ ନୂଆ ନିର୍ମାଣ କରାଯିବ। ଏହି କ୍ରମରେ ହାଡିଆ, ଜୟନ୍ତଗିରୀ, ବାରିଣୀପୁଟ, ରଣ୍ଡାପାଲ୍ଲୀ, ପୁଜାରୀପୁଟ ଓ ଧନପୁର ପଂଚାୟତରେ ପୁରୁଣା ବସଷ୍ଟାଣ୍ଡର ପୁନଃରୁଦ୍ଧାର ଓ ବଳକା ୧୬ଟି ପଂଚାୟତରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେବ। ଗୋଟିଏ ରୁଟ କେଟି ୦୦୪ରେ ଜୟପୁର-ହାଡିଆ, ଆମ୍ବାଗୁଡା,କୁମୁଲିପୁଟ, ଜୟନ୍ତଗିରୀ, ପୁଜାରୀପୁଟ, କେବିଡି-ରାଣୀଗଡ ପଂଚାୟତ ରହିଛି।

ସେଭଳି କେଟି ୦୦୫ ରୁଟରେ ଜୟପୁର-ଏକମ୍ବା-ଉମୁରୀ,ରଣ୍ଡାପାଲ୍ଲୀ, ଜାମୁଣ୍ଡା, କୋଙ୍ଗା, ବଡ଼ଜିଉନା, ଧନପୁର, କାଳିଆଗାଁ, ପାମ୍ପୁଣୀ ଓ ଅନ୍ତା ରହିଛି। କେଟି ୦୦୬ରୁଟରେ ଜୟପୁର-ବାଲିଆ, ଡଙ୍ଗରଚିଂଛି, ଟାଙ୍କୁଆ, ବାରଣୀପୁଟ, ଗଡ଼ପଦର ରହିଥିବା ସୂଚନା ମିଳିଛି। ଏହାର ରୁଟ ମ୍ୟାପକୁ ରାଜ୍ୟସରକାର ସାମାଜିକ ଗଣମାଧ୍ୟମରେ ଜାରୀ କରିଛନ୍ତି।  ଏହାକୁ ନେଇ ରାଜ୍ୟସ୍ତରରୁ ଜିଲ୍ଲାପାଳ, ଆରଟିଓ, ଡିଟିଏମ, ସବୁ ବ୍ଲକର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦିଙ୍କୁ ନେଇ ଭିଡିଓ କନଫେରନ୍ସିଂ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।