ଜୟପୁର: ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ପରିସରରେ ଦୀର୍ଘ ଦିନ ହେବ ୧୩ଟି ଶୀତତାପ ନିୟନ୍ତ୍ରିତ ଓ ୨ଟି ସାଧାରଣ ଏଭଳି ୧୫ ଲକ୍ଷ୍ମୀ ବସ୍ ଖତ ଖାଇଲାଣି। ୧୩ଟି ଶୀତତାପ ନିୟନ୍ତ୍ରିତ ବସରୁ ୬ଟି ବସର ନମ୍ବର ଆଂଚଳିକ ପରିବହନ କାର୍ଯ୍ୟାଳୟରେ ପଂଜୀକରଣ ହୋଇଛି। ବଳକା ୭ଟି ଅସ୍ଥାୟୀ ପଂଜୀକରଣରେ ଆସିଥିଲା। ଏହାରି ମଧ୍ୟରେ ମାସକ ବିତିଗଲାଣି। ତେବେ ଏହାର ପଂଜୀକରଣ ହୋଇ ପାରିନି କି ବଳକା ବସର ରୁଟ୍ ପରମିଟ୍ ବି ହୋଇନି। କୋଟି କୋଟି ଟଙ୍କାର ଏହି ବସ ଗୁଡିକର ଆଗାମୀ ଦିନର ଭବିଷ୍ୟତକୁ ନେଇ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି। ଏଥି ପୂର୍ବରୁ ଜୟପୁରରେ ୨ଟି ଭଲେବା ବସ ଏଭଳି ୨ବର୍ଷରୁ ଊର୍ଦ୍ଧ୍ବ ସମୟ ସେଭଳି ପଡ଼ି ରହିଥିଲା।

Advertisment

ସେହିପରି ୨୦ଟି ସିଟ୍ ବସ ଏବେ ଖତ ଖାଇଲାଣି। ଏହାରି ମଧ୍ୟରେ ଏବେ ନୂଆ ସରକାର ଗଠନ ହୋଇଛି। ଲକ୍ଷ୍ମୀ ଯୋଜନାକୁ ବଳବତ୍ତର ରଖିବେ ନା ବନ୍ଦ କରିବେ-ତାହା ସ୍ପଷ୍ଟ କରିନି ସରକାର। ଲକ୍ଷ୍ମୀ ଯୋଜନାରେ ବସ ପରିଚାଳନା କରୁଥିବା ମ୍ୟାନେଜର ଈଶ୍ୱର ମହାପାତ୍ର କହିଛନ୍ତି, ବସଷ୍ଟାଣ୍ଡରେ ପଡିରହିଥିବା କେତେକ ବସ୍ର ପଞ୍ଜୀକରଣ ହୋଇନି। ଆଉ କେତେକର ରୁଟ ଅନୁମତି ମିଳିନି। ଏଥି ଲାଗି ବସଷ୍ଟାଣ୍ଡରେ ରଖାଯାଇଛି। ବର୍ତ୍ତମାନ ଜିଲ୍ଲାରେ ୪୮ଟି ଲକ୍ଷ୍ମୀ ବସ ଚଳାଚଳ କରୁଛି। ପଞ୍ଚାୟତରୁ ବ୍ଳକ ହେଡକ୍ୱାର୍ଟକୁ ୪୬ଟି ବସ ଚଳାଚଳ କରୁଥିବା ବେଳେ ବନ୍ଧୁଗାଁ ଓ କୋଟପାଡରୁ ଜିଲ୍ଲାମୁଖ୍ୟାଳୟକୁ ଗୋଟିଏ ଲେଖାଏଁ ବସ ଚଳାଚଳ କରୁଛି। ବସ୍ ଷ୍ଟାଣ୍ଡରେ ପଡିରହିଥିବା ବସ୍ର ପଞ୍ଜୀକରଣ ଓ ଅନୁମତି ମିଳିବା ପରେ କେତେକ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟର ଏବଂ ବ୍ଳକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରିବ।

ସୂଚନାଥାଉକି, ଗ୍ରାମାଞ୍ଚଳ ଲୋକେ କିପରି ସୁ ଲଭ ମୂଲ୍ୟରେ ବ୍ଳକ ହେଡକ୍ୱାର୍ଟରକୁ ଯିବା ଆସିବା କରିପାରିବେ, ସେଥି ଲାଗି ବିଜେଡି ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲେ। ମହିଳା ଓ ଛାତ୍ରଛାତ୍ରୀ ରିହାତି ଦରରେ ଯିବାଆସିବା କରୁଥିଲେ। ଓଏସ୍ଆରଟିସି ଥିବାବେଳେ ଏକ ବେସରକାରୀ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ଵ ଦିଆଯାଇଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଏକ ବଡଧରଣର ଦୁର୍ନୀତି ହୋଇଥିବା କୁ ହାଯାଇଥିଲା। ଏବେ ବିଜେପି ଶାସନ ଭାର ହାତକୁ ନେବାପରେ ଲକ୍ଷ୍ମୀ ବସ୍ ଯୋଜନାର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଲକ୍ଷ୍ମୀ ବସ୍‌ର ସୁପରିଚାଳନା ନେଇ ରାଜ୍ୟ ସରକାର ଜିଲାସ୍ତରରେ ୩ଟି କମିଟି ରଖିଛନ୍ତି । ଜିଲାସ୍ତରରେ ଜିଲ୍ଲାପାଳ, ଉପଖଣ୍ଡସ୍ତରରେ ଉପଜିଲାପାଳ ଏବଂ ବ୍ଲକସ୍ତରରେ ବିଡିଓଙ୍କ ତତ୍ତ୍ଵାବଧାନରେ ରହିଛି ଏହି କମିଟି। ଏହି କମିଟି ଓଏସ୍ଆରଟିସି ଦ୍ବାରା ନିଯୁକ୍ତ ସୁପରଭାଇଜର୍ ବା ‘ଲକ୍ଷ୍ମୀ' ବସ୍ ଯୋଜନା ମ୍ୟାନେଜର୍ ସବୁ ନିଷ୍ପରି ନେବାକୁ ନିର୍ଦେଶ ରହିଛି। ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ଅଧୀନରେ ଚାଲିଥିବା ଏହି ଯୋଜନାର ବସ୍ ଗୁଡ଼ିକ କେଉଁ ରୁଟ୍ରେ ଚାଲିବ ତାହା ସମ୍ପୃକ୍ତ କମିଟି ସ୍ଥିର କରିବ। କିନ୍ତୁ କୋରାପୁଟ ଜିଲାରେ କେଉଁ ଉଦ୍ଦେଶ୍ୟରେ ଏହା ପଡ଼ି ରହିଛି ତାହା ଜଣାପଡ଼ିନଥିବା ବେଳେ ରାଜ୍ୟରେ ସରକାର ପରିବର୍ତ୍ତନ ଏହାର କାରଣ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଅପର ପକ୍ଷରେ ବସ ଗୁଡିକ ଆସିବା ଦିନରୁ ସେଭଳି ପଡ଼ି ରହି ରହି ଯନ୍ତ୍ରାଂଶରେ କଳଙ୍କି ଧରିବା ଆରମ୍ଭ ହେଲାଣି। ଯଦିଓ ମାସିକିଆ ପଂଜୀକରଣରେ ବସ ଆସିଥିଲା ଏହାରି ମଧ୍ୟରେ ତିନି ମାସ ବିତିସାରିଥିଲେ ହେଁ ବସ ଗୁଡିକର କାହିଁକି ପଂଜୀକରଣ କରାଯାଉନି ବୋଲି ବି ସାଧାରଣରେ ପ୍ରଶ୍ନ ଉଠିଛି। ସାଧାରଣ ଜନତାଙ୍କ ପାଇଁ ଗୋଟିଏ ନିୟମ ସରକାରଙ୍କ ପାଇଁ ଅନ୍ୟ ନିୟମ କି ବୋଲି ପ୍ରଶ୍ନ କରିଛନ୍ତି। ବିଜେଡି ଶାସନ ଥିବା ସମୟରେ ଏହି ବସ ଚାଳିବା ଆରମ୍ଭ ହୋଇଥିବା ବେଳେ ବିଜେପି ଏହାକୁ ନିର୍ବାଚନୀ ଘୋଷଣା କହୁଥିଲେ। ତେବେ ସଂପ୍ରତି ବିଜେପି ଶାସନକୁ ଆସିବା ପରେ ଏବେ ଏହି ବସକୁ ଚଳାଇବେଲ ନା ବନ୍ଦ କରିଦେବେ ତାହାକୁ ନେଇ ସାଧାରଣ ଜନତା ସଂଦେହ ଘେରରେ।