ଜୟପୁର: ଲକ୍ଷ୍ମୀ ବସ ସେବା ଯୋଜନା ଅଧୀନରେ ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବା ଲକ୍ଷ୍ୟ ରହିଛି। ତେବେ ଏ ଯାଏଁ କେବଳ ପଂଚାୟତରୁ ବ୍ଲକ ସଦରମହକୁମା ପର୍ଯ୍ୟନ୍ତ ହିଁ ଲକ୍ଷ୍ମୀ ଚାଳୁଛି। ତେବେ ନିର୍ଦ୍ଧାରିତ ରୁଟରେ ୩ଟି ବସ୍‌ ଚାଳୁଥିବା ବେଳେ ଜୟପୁର ବ୍ଲକର ସବୁ ରାଜସ୍ବ ଗାଁ ଓ ପଡ଼ା ଗାଁକୁ ଛୁଇଁ ପାରିନି ଲକ୍ଷ୍ମୀ। ଅନ୍ୟପକ୍ଷରେ ବହୁ ଗାଁର ମହିଳା ଓ ପୁରୁଷ ପୂର୍ବରୁ ଯେଭଳି ଅଟୋଓ ସାଇକେଲରେ ବ୍ଲକ ସଦରମହକୁମାକୁ ଆସୁଥିଲେ ଠିକ ସେଭଳି ହିଁ ଯିବା ଆସିବା କରୁଛନ୍ତି। ଏହି ସ୍ଥିତିରେ ଏହି ଯୋଜନା ଆଗାମୀ ଦିନରେ କେତେ ଦୁର ସଫଳ ହେବ ତାହା ସମୟ କହିବ। ସେପରି  ଜୟପୁର ଓଏସଆରଟିସି ଜୋନ‌ ଜରିଆରେ ଚାଳିଥିବା ୨୮ଟି ରୁଟରୁ ଗୋଟିଏ ରୁଟ ଓଡିଶାର ପ୍ରସିଦ୍ଧ ଶୌବପୀଠ ଗୁପ୍ତେଶ୍ବରର ପରମିଟ ଥାଇ ବି ଏହି ରୁଟରେ ବସ ଚଳାଚଳ କରୁନି।

Advertisment

ଜୟପୁର ବ୍ଲକରେ ୨୨ଟି ଗ୍ରାମପଂଚାୟତର ୧୧୯ଟି ରାଜସ୍ବ ଗାଁ ଓ୨୩୯ଟି ପଡ଼ା ଗାଁ ଏଭଳି ୩୫୮ଟି ଗାଁ ରହିଛି। ଏଥିରୁ ଏବେ ୪୦ଟି ଗାଁକୁ ଛୁଉଁଛି ଲକ୍ଷ୍ମୀ। କେଉଁ ସମୟରେ ଏବଂ କେଉଁ ରୁଟ ଦେଇ ବସ ଯାଉଛି ଏବଂ ଆସୁଛି ତାହା ଲୋକେ ଏଯାଏଁ ଜାଣି ପାରୁନାହାନ୍ତି। କେଟି-୦୦୪ ରୁଟରେ ଜୟପୁରରୁ ବସ ବାହାରି ହାଡିଆ-ଆମ୍ବାଗୁଡା-କୁମୁଲିପୁଟ-ଜୟନ୍ତଗିରୀ-ପୁଜାରୀପୁଟ-କେବିଡି –ରାଣୀଗଡ ପର୍ଯ୍ୟନ୍ତ ଯାଉଛି। କେଟି-୦୦୫ ରୁଟରେ-ଜୟପୁରରୁ ବାହାରି ଏକମ୍ବା-ଉମୁରୀ-ରଣ୍ଡାପାଲ୍ଲୀ-ଜାମୁଣ୍ଡା-କଙ୍ଗା- ବଡ଼ଜିଉନା-ଧନପୁର-କାଳିଆଗାଁ-ପାମ୍ପୁଣୀ-ଅନ୍ତା ଓ କେଟି-୦୦୬-ରୁଟରେ ଜୟପୁରରୁ ବାହାରି ବାଳିଆ-ଡଙ୍ଗରଚିଂଛି-ଟାଙ୍କୁଆ-ବାରଣୀପୁଟ-ଗଡପଦର ରହିଛି। ଯଦିଓ ମହିଳା, ଛାତ୍ରୀ ଆଦିଙ୍କୁ ୫ଟଙ୍କା ଟିକେଟ ରହିଥିବା ବେଳେ ପୁରୁଷଙ୍କ କିଲୋମିଟର ହିସାବରେ ନିଆଯାଉଛି।

ତେବେ ବହୁ ରାଜସ୍ବ ଓ ପଡ଼ା ଗାଁକୁ ଗାଡ଼ି ଛୁଇଁ ପାରି ନଥିବା ବେଳେ ସମୟ ସାରିଣିବି ଲୋକେ ଭଲ ଭାବେ ଜାଣି ପାରିନାହାନ୍ତି। କେତେବେଳେ ଏହି ବସ ଚଳାଚଳ କରୁଛି ତାହା ଭଲ ଭାବେ ଜାଣି ପାରିନାହାନ୍ତି। ସେଭଳି ବସ ଗୁଡିକର ଚଳାଚଳର ରୁଟ ଓ ସମୟ ଅଧିକା ଲାଗୁ ଥିବାରୁ ଲୋକେ ପୂର୍ବଭଳି ନିଜ ନିଜ ଗାଁରୁ ଅଟୋରେ ହିଁ ଯିବା ଆସିବା କରୁଛନ୍ତି। ସେଭଳି କିଛି ରୁଟ ମୁଖ୍ୟ ରାସ୍ତା ଦେଇ ଯାଆସ କରୁଛି। ଆଉକିଛି ରୁଟରେ ସବୁ ପଂଚାୟତକୁ ସଂଯୋଗ କରି ପୁଣି ଫେରିବା ବେଳେ ବହୁ ସମୟ ଲାଗୁଛି। ଦୀର୍ଘ ସମୟକୁ ନେଇ ଲୋକେ ଏହି ବସରେ ଯିବା ବଦଳରେ ପୂର୍ବ ପରି ଘରୋଇ ବସରେ କିମ୍ବା ଅ‌ଟୋରେ ଯିବା ଆସିବା କରୁଛନ୍ତି।

ସେଭଳି ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ଜୟପୁରରୁ ଭଦ୍ରାଚଳମ, ଭବାନୀପାଟଣା,ମାଲାକନଗିରୀ, ମୋଟୁ, ଜଗଦଲପୁର, ବିଜୟନଗରମ, ବିଶାଖାପାଟଣା,ରାଜ‌ମହେନ୍ଦ୍ରୀ, ବ୍ରହ୍ମପୁର, ସୋରଡା, ଗୁଣୁପୁର, କାଶିପୁର, କୋଟାଗାର୍, କୋଟିଆ, ନିଳାଦ୍ରୀନଗର, ଫୁଲବାଣୀ, ପାରା‌ଲାଖେମୁଣ୍ଡି, କଟକ ଏସି, କମଳାଡିହୀ, କଟକ (ଏପି), କଟକ (ରାୟଗଡା),  ଇନ୍ଦ୍ରାବତୀ-ଜାନବାଇ, ମୋଟୁ-ଜୟପୁର, ଭବାନୀପାଟଣା-ଜୟପୁର, ଜୟପୁର-ଜଗଦଲପୁର-ବିଶାଖାପାଟଣା ଆଦି ରୁଟରେ ବସ ଚାଳିଛି।  ଓଡିଶାର ପ୍ରସିଦ୍ଧ ଶୌବପୀଠ ଗୁପ୍ତେଶ୍ବର ରୁଟରେ ପରମିଟ ମିଳିଥିଲେ ହେଁ ଏହି ରୁଟର ବସ ଚଳାଚଳ ଦୀର୍ଘ ଦିନ ହେବ ବନ୍ଦ ରହିଛି। ଏହି ରୁଟରେ ଚାଳୁଥିବା ବସ ବନ୍ଦ ରହିଥିବା ବେଳେ ସପ୍ତାହକ ମଧ୍ୟରେ ପୁଣି ଥରେ ଗୁପ୍ତେଶ୍ବରକୁ ବସ ଚଳାଚଳ କରିବ ବୋଲି ଓଏସଆରଟିସିର ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ କହିଛନ୍ତି। ସବୁ ପଂଚାୟତର ମୁଖ୍ୟଗାଁ ସହ ସେହି ରାସ୍ତାରେ ପଡ଼ୁଥିବା ଅଳ୍ପ କିଛି ଗାଁକୁ ଲକ୍ଷ୍ମୀ ଛୁଉଁଛି। ସକାଳ ୬ଟାରୁ ଜୟପୁରରୁ ବାହାରି ଦିନ ତମାମ ୩ଟ୍ରିପ୍ ବୁଲୁଛି ବୋଲି କହିଛନ୍ତି ଲକ୍ଷ୍ମୀ ବସ ସେବାର ଡିଟିଏମ ଇଶ୍ବର  ମହାପାତ୍ର।