ରାଜନୀତିରେ ଫସିଲା ଲକ୍ଷ୍ମୀଦତ୍ତ ହତ୍ୟା ମାମଲା

ଭୁବନେଶ୍ୱର: ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାକୁ ଗୌଣ କରିବା ଲାଗି ବିଧିବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି କି? ଆଇନ ଆଖିରେ ଅପରାଧକୁ ନ ଦେଖି ପୁଲିସ ଓ ରାଜନେତା ରାଜନୀତିର ଚଷମା ପିନ୍ଧି ଏହି ଅପରାଧକୁ ଦିଗହରା କରିବା ଲାଗି ଯୋଜନା କରୁନାହାନ୍ତି ତ? ଗଞ୍ଜାମ ଜିଲ୍ଲା ପୁଲିସ ଓ ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେଡି-ବିଜେପି, ଏହି ତିିନି ଜଣଙ୍କ ଭୂମିକାକୁ ନେଇ ସାଧାରଣରେ ଏମିତି ସନ୍ଦେହ ବଢିବାରେ ଲାଗିଲାଣି। ଦିନ ଦି’ପହରରେ ହୋଇଥିବା ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ଅପରାଧୀଙ୍କୁ ସାମ୍ନାକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଲାଗି ବାଟ ଖୋଲିବା ପରିବର୍ତ୍ତେ ଘଟଣାରେ ରାଜନୀତିର ପ୍ରଲେପ ବୋଳି କିଏ ଆତ୍ମରକ୍ଷା ଉଦ୍ୟମ କରୁଛି ତ ଆଉ କିଏ ଫାଇଦା ଗୋଟାଇବା ଲାଗି ସୁଯୋଗ ଖୋଜୁଛି। ଅପରାଧକୁ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରିବା ଲାଗି ଏବେ ପରସ୍ପରକୁ ଛକିଛନ୍ତି। ସ୍ଥିତିକୁ ଏଭଳି ସ୍ତରକୁ ଟାଣି ନେଲେଣି ଯେ ନିଜ କଥାକୁ ପ୍ରତିପାଦିତ କରିବା ଲାଗି ଉଭୟ ଦଳକୁ ଗୋଟିଏ ଦିନରେ ବାରମ୍ବାର ବୟାନବାଜି କରିବାକୁ ପଡୁଛି।
ଉଲ୍ଲେଖଯୋଗ୍ୟ, ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଭିଡିଓ ଫୁଟେଜ୍‌ ଭାଇରାଲ୍‌ ହୋଇଥିଲା। ଏହି ଦୃଶ୍ୟ ଏତେ ଭୟାନକ ଥିଲା ଯେ ଯିଏ ଦେଖିଲା, ସେ ଥରି ଉଠିଥିଲା। ହତ୍ୟାକାରୀ ଯିଏ ବି ହେଉନା କାହିଁକି, ତାଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ଉଠିଥିଲା। ବିଳମ୍ବରେ ହେଲେ ବି ଗଞ୍ଜାମ ପୁଲିସ ଏହି ଘଟଣାରେ ୧୫ଜଣଙ୍କୁ ଗିରଫ କରିଥିଲା। ଦୁଇଦିନ ତଳେ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ମୁଖ୍ୟ ଷ଼ଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ବିଜେପି ନେତା କୃଷ୍ଣଚନ୍ଦ୍ର ନାୟକ ଓ ତାଙ୍କ ସହଯୋଗୀକୁ ଗିରଫ କରିଛି। କୁହାଯାଇଛି, କୃଷ୍ଣଚନ୍ଦ୍ର ଓ ତାଙ୍କ ସହଯୋଗୀ ଡେରାଡୁନ୍‌ରେ ଲୁଚିଥିଲେ। ହେଲେ ପୁଲିସର ଆଚରଣ ଓ ଉଚ୍ଚାରଣ, ଖାକି ପୋଷାକର ରଙ୍ଗ ରାଜନୀତିର ରଙ୍ଗରେ ଧୂସର ହେବା ଭଳି ମନେହେଉଛି।

ପୁଲିସ ଭଲ ଭାବେ ଜାଣିଛି ଯେ ଅଭିଯୁକ୍ତ ବୟାନକୁ କେହି ଆଖିବୁଜା ଗ୍ରହଣ କରିବେ ନାହିଁ। କୋର୍ଟ ମଧ୍ୟ। ଏହାକୁ ବିଶ୍ୱାସ କରିବାକୁ ହେଲେ ଶକ୍ତ ପ୍ରମାଣ ଦରକାର। ଏ ଦୃଷ୍ଟିକୋଣରୁ ମାମଲାରେ ଯାହାର ସଂପୃକ୍ତି ଥାଉ, ସେ ଯେତେ ବଡ଼ ବ୍ୟକ୍ତି ହୋଇଥାନ୍ତୁ, ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେହି ବାରଣ କରିବେ ନାହିଁ। ଯଦି ଏହି ହତ୍ୟାକାଣ୍ଡ ପଛରେ କୃଷ୍ଣ ନାୟକଙ୍କ ବ୍ୟତୀତ ଓଡ଼ିଶା ରାଜନୀତିର ଅନ୍ୟ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କିଏ ଅଟକାଇଛି? ହେଲେ ଏପରି ନ କରି ପୁଲିସ କାହିଁକି ଓ ନିର୍ଦିଷ୍ଟ କି ଉଦ୍ଦେଶ୍ୟ ରଖି ଅଭିଯୁକ୍ତ ବୟାନକୁ ପଦାକୁ ଆଣିଲା, ତାହା ବୁଝାପଡୁନାହିଁ। ଉଲ୍ଲେଖନୀୟ କଥା ହେଉଛି, ଏହି ଭିଡିଓ ଫୁଟେଜ୍‌କୁ ନେଇ ତଦନ୍ତରେ ଯେ ବଡ଼ ଖୁଲାସା ହେବ, ନିଜେ ଏସ୍‌ପି ମଧ୍ୟ ସେଭଳି ଆଗ୍ରହ ଦେଖାଇନାହାନ୍ତି। ଏପରିସ୍ଥଳେ କାହା ଇସାରାରେ ପୁଲିସ ବୟାନକୁ ଭାଇରାଲ୍‌ କରିବା ଲାଗି ସୁଯୋଗ ସୃଷ୍ଟି କଲା, ଏସ୍‌ପିଙ୍କ ଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତେ କାହିଁକି ଚୁପ୍‌ ରହିଛନ୍ତି ତାହା ବୁଝାପ଼ଡୁନାହିଁ।

କଥା କେବଳ ସେତିକିରେ ଅଟକିନି, ଗତକାଲି କୃଷ୍ଣ ନାୟକ ଏବଂ ବିଜେପି ମୁଖପାତ୍ର ତଥା ଗଞ୍ଜାମ ପ୍ରଭାରୀ ଗୋଲକ ମହାପାତ୍ରଙ୍କ ମଧ୍ୟରେ ଟେଲିଫୋନ୍‌ ବାର୍ତ୍ତାଳାପର ଏକ ଲମ୍ବା ତାଲିକା ପଦାକୁ ଆସିଛି। ଟେଲିଫୋନ୍‌ କଲ୍‌କୁ ଭିତ୍ତିକରି ଅପରାଧୀ ଧରାପଡ଼ିଛନ୍ତି ବୋଲି ପୁଲିସ କହିଥିଲା। ଏପରିସ୍ଥଳେ ଏହି କଲ୍‌ ତାଲିକା କିଏ ପଦାକୁ ଆଣିଲା ଓ ଏହା ପଛର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଅନ୍ୟପଟରେ ରାଜ୍ୟ ବିଜେପି ଓ ବିଜେଡି ନେତାଙ୍କ ଭୂମିକାକୁ ନେଇ ସାଧାରଣରେ ଏକାଧିକ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ଘଟଣା ପରେ ଅପେକ୍ଷାକୃତ ମାପିଚୁପି ବୟାନ ଦେଉଥିବା ବିଜେପି ସପ୍ତାହେ ତଳେ ହଠାତ୍‌ ଗଂଜାମ ଏସ୍‌ପିଙ୍କ ବିରୋଧରେ ଗର୍ଜନ ଆରମ୍ଭ କରିଥିଲା। ଏସ୍‌ପିଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇବା ସହିତ ବିଜେଡି ନେତାଙ୍କ ଅପରାଧ ଲିଙ୍କ୍‌ ନେଇ ଅଭିଯୋଗ ଆଣିଥିଲା ଦଳ। ଏବେ ବିଜେପି ନେତା ଶ୍ରୀ ମହାପାତ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗର ମୁକାବିଲା କରିବା ଲାଗି ଦଳୀୟ ନେତାମାନେ ତୁହାକୁ ତୁହା ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଉଛନ୍ତି। ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଉଛନ୍ତି। ହଠାତ୍‌ ସପ୍ତାହକ ଭିତରେ ଏମିତି କଣ ହେଲା ଯେ ଗଞ୍ଜାମକୁ ନେଇ ବିଜେପି ଚିନ୍ତା ବଢିଗଲା? ଦଳର ଏକାଧିକ ନେତାଙ୍କ ସାମ୍ବାଦିକ ସମ୍ମିଳନୀ ସୂଚାଇ ଦେଉଛି, ଗଂଜାମକୁ ନେଇ କେତେ ବ୍ୟସ୍ତ ହୋଇପଡିଛି ଦଳ। ବାସ୍ତବରେ ବିଜେପି ସଂଗଠନର ବୃଦ୍ଧିକୁ ରୋକିବା ଲାଗି ପ୍ରଶାସନକୁ ଅସ୍ତ୍ର କରାଯାଇଛି ନା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣା ବିଜେପିକୁ ଡରାଇ ଦେଇଛି?

ବିଜେଡି ନେତାଙ୍କ ଆଚରଣ ବି ସନ୍ଦେହରୁ ଊର୍ଧ୍ୱରେ ନାହିଁ। ଲକ୍ଷ୍ମୀଦତ୍ତ ପ୍ରଦାନ ହତ୍ୟା ଘଟଣାରେ ଦୁଇ ଦୁଇ ଜଣ ମନ୍ତ୍ରୀ, ବିଜେଡି ମୁଖପାତ୍ର ଗଣମାଧ୍ୟମରେ ବିବୃତି ମା଼ଡ଼ କରିଚାଲିଛନ୍ତି। ପ୍ରଶ୍ନ ଉଠୁଛି, ବିଜେଡିର ଏହି ମାମଲାକୁ ନେଇ ଏତେ ତତ୍ପରତା କାହିଁକି ଦେଖାଉଛି? ମାମଲାରେ ବିଜେପିର ସଂପୃକ୍ତି ଅଭିଯୋଗ ଉଠାଇ ଦଳ ଏଥିରୁ ରାଜନୈତିକ ଫାଇଦା ନେବା ପାଇଁ ଉଦ୍ୟମ କରୁନି ତ? ବିଜେପି ଅଭିଯୋଗର ସତ୍ୟତା ଅଛି କି? କାରଣ ପୂର୍ବରୁ ବିଜେଡି ଓ ସ୍ଥାନୀୟ ପ୍ରଶାସନ ବିରୋଧରେ ସମାନ ଅଭିଯୋଗ ଉଠିଥିଲା। ବିଧାନସଭାରେ ଏନେଇ କମ୍ପିଥିଲେ ବିରୋଧୀ ଦଳ। ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସିଧା ସିଧା ଅଭିଯୋଗ ଆଣିଥିଲେ ଯେ କଂଗ୍ରେସର ଗତିରୋଧ କରିବା ଲାଗି ପୁଲିସକୁ ଅସ୍ତ୍ର କରିଛି ବିଜେଡି।

ଏବେ ପୁଲିସକୁ ତଦନ୍ତ କରିବା ଲାଗି ସୁଯୋଗ ନଦେଇ ଉଭୟ ଦଳ ବିବୃତି ଯୁଦ୍ଧରେ ମାତିବା ଫଳରେ ଘଟଣାଟି ଭିନ୍ନ ମୋଡ଼ ନେବାକୁ ବସିଲାଣି। ଏଥିରେ ଅଭିଯୁକ୍ତ ସହାନୁଭୂତି ଗୋଟାଇବା ଆଶଙ୍କାକୁ ଏ଼ଡ଼ାଇ ଦେଇହେବ ନାହିଁ।

ସମ୍ବନ୍ଧିତ ଖବର