ଶ୍ରୀନଅରରେ ଲକ୍ଷ୍ମୀ-ନାରାୟଣ ଭେଟ

ମା’ ବିମଳାଙ୍କ ଅନୁରୋଧ ପରେ ଦର୍ଶନ ଦେଲେ ମା’ ଲକ୍ଷ୍ମୀ, ମଧ୍ୟସ୍ଥତା କଲେ ଗଜପତି ମହାରାଜ

ପୁରୀ : ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ଶ୍ରୀନଅର ଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସଂପନ୍ନ ହୋଇଛି। ଗଜପତି ମହାରାଜାଙ୍କ ମଧ୍ୟସ୍ଥତା ପରେ ନବ ଦିନାତ୍ମକ ଯାତ୍ରା ସାରି ଫେରିଥିବା ମହାପ୍ରଭୁ ଆଜି ମା’ ଲକ୍ଷ୍ମୀଙ୍କୁ ଦେଖା ଦେଇଛନ୍ତି। ଅପମାନ ଜର୍ଜରିତା ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ଆଜି ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୪ଟାରେ ରାଜନଅର ଠାରେ ନନ୍ଦିଘୋଷ ରଥ ଅଟକିବା ପରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସଂପନ୍ନ ହୋଇଛି।

ବିବାହ ପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ନଜଣାଇ ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନ ଯାତ୍ରାରେ ଚାଲି ଯାଇଥିଲେ। ଏହା ଜାଣିବା ପରେ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରାରେ ଯାଇଥିଲେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଅପମାନରେ ଫେରି ଆସିଥିଲେ। ଏଥି ପାଇଁ ମା’ ଅଭିମାନ କରିଥିଲେ। ଏହି ମାନଭଞ୍ଜନ ପାଇଁ ଆଜି ରାଜନଅରରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ନଅ ଦିନ ହେଲା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା’ ଲକ୍ଷ୍ମୀ ଆଜି ମା’ ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ମାନଭଞ୍ଜନରେ ମଧ୍ୟସ୍ଥି ସାଜିଥିଲେ। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ରାଜନଅର ଠାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପୁନର୍ବାର ଶ୍ରୀମନ୍ଦିର ଫେରିଯାଇଥିଲେ। ଶାସ୍ତ୍ର ଅନୁଯାୟୀ, ପବିତ୍ର ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିବା ପରେ ଭାଇଭଉଣୀଙ୍କୁ ଧରି ରତ୍ନବେଦି ଛାଡ଼ି ଜନ୍ମବେଦିକୁ ବୁଲିବାକୁ ଚାଲି ଯାଇଥିଲେ। ଏହି ସମୟରେ ନବ ବିବାହିତା ମା’ ଲକ୍ଷ୍ମୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନଥିଲା।

ନବବିବାହିତା ମା’ ଲକ୍ଷ୍ମୀ ୫ ଦିନର ବିରହ ବେଦନା ପରେ ମା’ ବିମଳାଙ୍କ ପରାମର୍ଶକ୍ରମେ ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ନପାଇ ମା’ ନାକଚଣା ଦ୍ୱାର ଦେଇ ଅପମାନରେ ଫେରି ‌ଆସିବା ସହ ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଥିଲେ। ସେବେଠୁ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ମାନ କରିଥିଲେ।

ସମ୍ବନ୍ଧିତ ଖବର