ପୁରୀ:ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ସିଧାସଳଖ ନିୟନ୍ତ୍ରଣ କରିବ ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ପ୍ରଥମ ପ୍ରକ୍ରିୟା ଶେଷ ହୋଇଛି। ଆଜି ପୂର୍ବାହ୍ନରେ ନୀତି ପ୍ରଶାସକଙ୍କ ଅଧୀନରେ ଗଠିତ ଟିମ୍ ମା’ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ସେବାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଗହଣାଗାଣ୍ଠିର ହିସାବ କରିଛି। ଦୀର୍ଘ ଦୁଇଘଣ୍ଟା ଧରି ଏହି ଛାନ୍ଭିନ୍ ଚାଲିବା ପରେ ଗହଣାର ତାଲିକା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ଓ ପାଳିଆ ସେବକଙ୍କ ମଧ୍ୟରୁ ୮ ଜଣଙ୍କ ଉପସ୍ଥିତିରେ ଏହି ଗଣତି ହୋଇଛି। ଏହା ପରେ ଗହଣାକୁ ମା’ ଲକ୍ଷ୍ମୀଙ୍କ ଭଣ୍ଡାରରେ ଯଥା ପୂର୍ବଂ ରଖି ଭଣ୍ଡାରକୁ ସିଲ୍ କରାଯାଇଛି। ତାଲିକା ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟ ପ୍ରଶାସକ ଏହା ଉପରେ ନିଷ୍ପତ୍ତି ନେବେ। ପୂର୍ବରୁ ପୂଜକ ରଖିଥିବା ତାଲିକା, ନାଜର ରଖିଥିବା ତାଲିକା ଓ ଆଜି ହୋଇଥିବା ତାଲିକାର ମେଳକ କରାଯିବ। କେଉଁ ଗହଣା ସବୁଦିନ ଲାଗି ପାଇଁ ଆବଶ୍ୟକ ଓ କେଉଁ ଗହଣା ବିଭିନ୍ନ ତିଥିରେ ଆବଶ୍ୟକ ତାହାର ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ ହେବ। ଏହାକୁ କିଭଳି ପରିଚାଳନା କରାଯିବ ସେ ନେଇ ମୁଖ୍ୟ ପ୍ରଶାସକ ନିଷ୍ପତ୍ତି ନେବେ। ଆସନ୍ତାକାଲି ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି। ପହିଲିଭୋଗ ନୀତି ଚୂଡ଼ାନ୍ତ ହେବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ଏହି ପରିଚାଳନା ନେଇ ସେବାୟତଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ବଣିଆ, ତଢ଼ଉ କରଣ, ଦେଉଳ କରଣ, ନାଜର, କମାଣ୍ଡର, ଶ୍ରୀମନ୍ଦିର ସୁପରଭାଇଜର, ଉପ-ପ୍ରଶାସକ (ଫାଇନାନସ୍) ରହିଥିବା ବେଳେ ଲକ୍ଷ୍ମୀମନ୍ଦିର ସେବାୟତଙ୍କ ମଧ୍ୟରୁ ମଧ୍ୟ ୮ ଜଣିଆ ପ୍ରତିନିଧି ଦଳ ରହିଥିଲେ। ଏହା ପରେ କ୍ରମାନ୍ଵୟରେ ସମସ୍ତ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଗହଣା ଓ ଦାନକୁ ନେଇ ତାଲିକା ପ୍ରସ୍ତୁତ କରାଯିବ।
ଗଣାହେଲା ଗହଣା, ସିଲ୍ ହେଲା ଭଣ୍ଡାର ଘର
ପ୍ରଶାସନ ହାତରେ ମା’ ଲକ୍ଷ୍ମୀଙ୍କ ମନ୍ଦିର