ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଗୋଲକ ଆସିଲେନି, ମାସେ ସମୟ ଲୋଡ଼ିଲେ

ବ୍ରହ୍ମପୁର : ଛତ୍ରପୁର ଏନ୍‌ଏସିର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚ୍ଚନ ହତ୍ୟା ଘଟଣାରେ ବରିଷ୍ଠ ଭାଜପା ନେତା ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଆଜି ଛତ୍ରପୁର ପୁଲିସ ନିକଟରେ ହାଜର ହୋଇନାହ‌ାନ୍ତି। ଅସୁସ୍ଥତା ଦର୍ଶାଇ ତାଙ୍କ ଓକିଲଙ୍କ ଜରିଆରେ ହାଜର ହେବାକୁ ୧ ମାସ ସମୟ ମାଗିଛନ୍ତି।

ଗୋଲକଙ୍କ ତରଫରୁ ହାଇକୋର୍ଟ ଓକିଲ ପାର୍ଥସାରଥୀ ନାୟକ ଏବ˚ ଗୌରୀଶଙ୍କର ରଥ ଅପରାହ୍ନ ୧ଟା ୩୦ରେ ଛତ୍ରପୁର ଥାନାରେ ତଦନ୍ତ ଅଧିକାରୀ ତଥା ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀଙ୍କ ନିକଟରେ ହାଜର ହୋଇ ଟାଇମ୍‌ ପିଟସନ ଦାଖଲ କରିଥିଲେ। ସେଥିରେ ଗୋଲକ ଦର୍ଶାଯାଇଛନ୍ତି, ହାଜର ହୋଇ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ସେ ପ୍ରସ୍ତୁତ ଅଛନ୍ତି। ପୂର୍ବରୁ ସେ ତଦନ୍ତରେ ପୁଲିସକୁ ସମସ୍ତ ସହଯୋଗ କରି ଆସିଛନ୍ତି। ବର୍ତ୍ତମାନ ମେରୁଦଣ୍ତ ଯନ୍ତ୍ରଣା ଜନିତ ଅସୁସ୍ଥତା ହେତୁ ଭୁବନେଶ୍ବର ଠାରୁ ଛତ୍ରପୁର ଏତେ ଦୂର ଯାତ୍ରା କରିବା ତାଙ୍କ ପକ୍ଷେ ସମ୍ଭବ ନୁହଁ। ୧ ମାସ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେଣୁ ହାଜର ହେବାକୁ ୧ ମାସ ସମୟ ଦେବାକୁ ଆବଦେନ କରିଛନ୍ତି। ଡାକ୍ତରୀ ଚିକିତ୍ସା ପ୍ରାମଣପତ୍ର ମଧ୍ୟ ଆବେଦନ ପତ୍ର ସହ ସଂଲଗ୍ନ କରିଛନ୍ତି। ଜାନୁଆରି ୨୬ ତାରିଖରେ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିବା ଦର୍ଶାଯାଇଛି। ଗୋଲକଙ୍କ ଟାଇମ୍‌ ପିଟିସନ ଆବେଦନକୁ ମଞ୍ଜୁର କରାଯାଇଥିବା ଏସ୍‌ଡିପିଓ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ସୂଚନା ‌ଯୋଗ୍ୟ‌ ଯେ, ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ଗିରଫ ବିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକଙ୍କ ବୟାନ ଆଧାରରେ ପୁଲିସ ଗୋଲକଙ୍କୁ ପୂର୍ବରୁ ୨୦୧୭ ନଭେମ୍ବର ୧ରେ ଛତ୍ରପୁର ଥାନାରେ ମାରାଥନ ଜେରା କରିଥିଲା। ଏହାପରେ ଏହି ମାମଲାର ତଦନ୍ତ ଶିଥିଳ ହୋଇ ଯାଇଥିଲା। ପୁଣି ପୁଲିସ ଗତ ଜାନୁଆରି ୨୮ ତାରିଖ ସିଆରପିସିର ଧାରା ୧୬୦ ବଳରେ ଗୋଲକ ଏବଂ ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କୁ ସମନ ଜାରି କରିଥିଲା। ଆଜି ଗୋଲକ ଏବଂ ଆସନ୍ତା ୯ ତାରିଖରେ ଭୃଗୁଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ ହୋଇଥିଲା। ଗୋଲକ ହାଜର ହୋଇ ନ ଥିବାବେଳେ ଭୃଗୁ ଶନିବାର ହାଜର ହେବେ।

ସମ୍ବନ୍ଧିତ ଖବର