ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡ଼ା ଛୁଟୁଛି: ଲକ୍ଷ୍ମୀପ୍ରିୟାଙ୍କ ବିରୋଧୀ ଓ ସମର୍ଥକଙ୍କୁ ଭୁବନେଶ୍ବର ଡାକରା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣାରେ ମାନସ ମାଡକାମୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା ଆଜି ପର୍ଯ୍ୟନ୍ତ ଝୁଲିକି ରହିଲା। ଘଡିକେ ଘୋଡା ଛୁଟିଲା ଭଳି ବିଭିନ୍ନ ସମୟରେ ବିଭିନ୍ନ ଆଶାୟୀଙ୍କ ନାମ ଚର୍ଚ୍ଚାକୁ ଆସିଲା। ଏଥିରେ ଭୋଟର ଏବଂ କର୍ମୀ ବାରମ୍ବାର ନିରାଶ ହେଉଥିଲେ।ପ୍ରଥମେ ଲକ୍ଷ୍ମୀପ୍ରିୟାଙ୍କୁ ଟିକଟ ମିଳିବା ନେଇ ଚର୍ଚା ଜୋର ଧରିଲା।ଏହାପରେ ବିଧାୟକ ପୂର୍ଣ୍ଣ ବାକା ଏବଂ ତାଂକ ପୁଅ ମହେଶ ବାକା ସମେତ କିଛି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଙ୍କୁ ଟିକଟ ଦେଲେ ଦଳ ଛାଡିବୁ ବୋଲି ଧମକାଇଲେ। ଏପରିକି ବିଭିନ୍ନ ସ୍ଥାନରେ ଘନ ଘନ ଲକ୍ଷ୍ମୀ ବିରୋଧୀଙ୍କର ବୈଠକ ବସିଲା। ଏହାପରେ ଦଳର ସୁପ୍ରିମୋ ଚିତ୍ରକୋଣ୍ଡା ବିଧାନସଭା ପ୍ରାର୍ଥୀ ଘୋଷଣାକୁ ଟାଳିଲେ।

ଗୁରୁବାର ପୁଣି ଜଣେ ପୁଲିସ ଅଧିକାରୀଙ୍କୁ ଟିକଟ ଦେବା ନେଇ ଚର୍ଚ୍ଚା ଜୋର ଧରିଲା। ଶୁକ୍ରବାର ଦିନ ତମାମ ପୁଲିସଙ୍କ ବିଷୟରେ ଆଲୋଚନା କରାଯାଉଥିବା ବେଳେ ଅପରାହ୍ନରେ ପୁଣି ଲକ୍ଷ୍ମୀପ୍ରିୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଲା। ଲକ୍ଷ୍ମୀଙ୍କ ସହଯୋଗୀ ଏବଂ ବିରୋଧୀଙ୍କୁ ପୁଣି ଦଳରୁ ଡାକରା ପାଇବାରୁ ସମସ୍ତେ ଭୁବନେଶ୍ବର ଯାଇଥିବା ଜଣାପଡିଛି। ଲକ୍ଷ୍ମୀଙ୍କୁ ପୁଣି ଦଳ ଟିକଟ ଦେବା ନେଇ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏଣୁ ବିରୋଧୀ ଏବଂ ସମର୍ଥକମାନଙ୍କୁ ଡାକି ବୁଝାସୁଝା କରାଯିବାର ଯୋଜନା କରାଯାଇଥିବା ଜଣାପଡିଛି।

ଅନ୍ୟଦିଗରେ ଲକ୍ଷ୍ମୀ କଂଗ୍ରେସରେ ଥିବା ସମୟରେ ଚିତ୍ରକୋଣ୍ଡା ଟିକଟ ତାଂକ ନାମରେ ହିଁ ଥିଲା। ବିଜେଡିକୁ ଆସିବା ପରେ ମଧ୍ୟ ସେ ଟିକଟ ଆଶାୟୀ ରହିଛନ୍ତି। ତେବେ ଦଳ କାହାକୁ ଟିକଟ ଦେଉଛି ସମୟ କହିବ।କିନ୍ତୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଜନତା ଏବଂ କର୍ମୀ ଦଳର ପ୍ରାର୍ଥୀ ଘୋଷଣା ବିଳମ୍ବ କରୁଥିବାରୁ ଆଗକୁ ବଢିପାରୁନଥିବା କହିଛନ୍ତି। ଦଳ ଯାହାକୁ ଟିକଟ ଦେବ ତୁରନ୍ତ ଦେବା ପାଇଁ କର୍ମୀମାନେ ଦାବି କରିଛନ୍ତି। ଶନିବାର ନଚେତ ରବିବାର ଦିନ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର