କେନ୍ଦୁଝର: ଦିନେ ଗୃହିଣୀ ଥିଲେ। ହାତ ଖର୍ଚ୍ଚ ପାଇଁ ଟଙ୍କାଟିଏ ନଥିଲା। ଆଜି ନିଜେ ଚଳିବା ସହିତ ୪ଟି ପରିବାରକୁ ଚଳିବା ପାଇଁ ସାହାରା ସାଜିଛନ୍ତି ଲକ୍ଷ୍ମୀପ୍ରିୟା। ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ଇଚ୍ଛାଶକ୍ତି ତାଙ୍କୁ କରିଛି ସ୍ବାବଲମ୍ବୀ। ଲକ୍ଷ୍ମୀପ୍ରିୟାଙ୍କର ଲକ୍ଷ୍ମୀ ପାଲଟିଛି ‘ଫୁଲବଡ଼ି’। ଏହି ଫୁଲବଡ଼ି ବିକି ସେ ଗ୍ରାହକଙ୍କ ହୃଦୟ ଜିଣନ୍ତି। ଫୁଲବଡ଼ି ପ୍ରସ୍ତୁତିରୁ ସ୍ବାବଲମ୍ବୀ ହୋଇଥିବା ଲକ୍ଷ୍ମୀପ୍ରିୟା ନନ୍ଦ (୬୮)ଙ୍କ ଘର ହେଉଛି କେନ୍ଦୁଝର ସହରର ଆଟୋପୁର ଗ୍ରାମରେ। ଆଟୋପୁର ହେଉଛି ସବୁଠୁ ଅଧିକ ବଡ଼ି ପ୍ରସ୍ତୁତ କରୁଥିବା ଗାଁ। ଏଠାରେ ପ୍ରତି ଘରେ ବଡ଼ି ତିଆରି ହୋଇଥାଏ। ଏହି ବଡ଼ି ଭିତରେ ସବୁଠୁ ନିଆରା ହେଉଛି ଲକ୍ଷ୍ମୀପ୍ରିୟାଙ୍କ ଫୁଲବଡ଼ି। ତାଙ୍କ ସ୍ବାମୀଙ୍କ ନାମ ସତ୍ୟନାରାୟଣ ନନ୍ଦ(୭୫)। ସେ ଷ୍ଟାମ୍ପ ଭେଣ୍ଡର ଭାବେ କାମ କରି ଅବସର ନେଇଛନ୍ତି। ଏବେ ସେ ପତ୍ନୀଙ୍କୁ ସହଯୋଗ କରୁଛନ୍ତି। ପିଲାମାନେ ବଡ଼ ହୋଇଯିବା ପରେ ହାତରେ କିଛି କାମ ରହୁ ନଥିଲା। ତେଣୁ ପ୍ରାୟ ୨୦ବର୍ଷ ପୂର୍ବେ ଏହି ବଡ଼ି ତିଆରି କାମ ଆରମ୍ଭ କରିଥିଲେ।
ସେ ଫୁଲବଡ଼ି, କଖାରୁ ବଡ଼ି, ରସୁଣ ବଡ଼ି, ଆଖୁରସ ବଡ଼ି, ଖସା ବଡ଼ି ଭଳି ବିଭିନ୍ନ ପ୍ରକାର ବଡ଼ି ତିଆରି କରୁଛନ୍ତି। ତାଙ୍କ ହାତ ତିଆରି ବଡ଼ି ଏତେ ସ୍ବାଦିଷ୍ଟ ଯେ ରାଜ୍ୟ ତଥା ଦେଶର କୋଣଅନୁକୋଣରେ ଏହାର ଗ୍ରାହକ ଅଛନ୍ତି। ରାଜନେତାଙ୍କଠୁ ଆରମ୍ଭ କରି ବିଚାରପତିଙ୍କ ପର୍ଯ୍ୟନ୍ତ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀ, ଆଇଏଏସ୍, ଆଇପିଏସ୍ ଅଧିକାରୀ ତାଙ୍କ ଗ୍ରାହକ। ଏବେ ପ୍ରତିବର୍ଷ ୧୫-୨୦ କ୍ବିଣ୍ଟାଲ୍ ବଡ଼ି ତିଆରି କରି ସେ ବିକ୍ରି କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ବଡ଼ି ପ୍ରସ୍ତୁତି ଓ ବିକ୍ରି ଚାଲିଥାଏ। ବାର୍ଷିକ ପାଖାପାଖି ୫ ଲକ୍ଷରୁ ଅଧିକ ଟଙ୍କାର ବଡ଼ି ସେ ବିକ୍ରି କରିଥାନ୍ତି। ଏହି କାମରେ ସେ ୪ଟି ପରିବାରକୁ ରୋଜଗାର ଦେଇଛନ୍ତି। ସଞ୍ଜନା ନାଏକ, ସିଲୁ ନାଏକ, ପାକନ ନାଏକ ଓ ସୌଦାମିନୀ ବାରିକଙ୍କ ପରିବାରକୁ ସେ ଏହି କାମରେ ନିୟୋଜିତ କରିଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ଭଳି ପ୍ରତିଷ୍ଠିତ ରାଜନେତା ବି ତାଙ୍କ ଫୁଲବଡ଼ିର ବଡ଼ ଗ୍ରାହକ। ଲକ୍ଷ୍ମୀପ୍ରିୟା କୁହନ୍ତି, ଘରେ ବସିବା ଅପେକ୍ଷା କିଛି ଗୋଟେ କରିବା ଲକ୍ଷ୍ୟରେ ସେ ବଡ଼ି ତିଆରି ଆରମ୍ଭ କରିଥିଲେ। ଧୀରେଧୀରେ ଏହା କିଛି ପରିବାରକୁ ଜୀବିକା ଦେବାର ମାଧ୍ୟମ ପାଲଟିଲା। ମୋ ଦ୍ବାରା ପ୍ରସ୍ତୁତ ବଡ଼ି ଅନେକଙ୍କର ପ୍ରଥମ ପସନ୍ଦ ହୋଇଛି। ତେଣୁ ଏ ବୟସରେ ବି ବଡ଼ି ତିଆରି କରୁଛି। ଆଉ ବନ୍ଦ କରି ହେଉନି। ବରଂ ଏହା ମୋତେ ଆନନ୍ଦ ଦେଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/sfsfsfcxc-2025-10-29-02-08-36.jpg)