ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ କୋରଡ଼ା ଗ୍ରାମର ସଫଳ ମହିଳା ଚାଷୀ ଲକ୍ଷ୍ମୀପ୍ରିୟା ଗୋଚ୍ଛାୟତ। ଗୋପାଳନ ଓ ପନିପରିବା ଚାଷରୁ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଉଦାହରଣ ପାଲଟିଛନ୍ତି। ପ୍ରଥମେ ୨ଟି ଗାଈରୁ ଗୋପାଳନ ଆରମ୍ଭ କରିଥିବା ଲକ୍ଷ୍ମୀପ୍ରିୟାଙ୍କ ପାଖରେ ଏବେ ୧୦ଟି ଗାଈ, ୮ଟି ଛଡ଼ା, ୧୦ଟି ବାଛୁରୀ ଅଛନ୍ତି। ଏଥିରୁ ପ୍ରତ୍ୟେକ ଦିନ ୬୦ରୁ ୭୦ ଲିଟର କ୍ଷୀର ଉତ୍ପାଦନ ହୋଇଥାଏ। ଆଜିକୁ ପ୍ରାୟ ୨୫ ବର୍ଷ ଧରି ସେ ଓମ୍‌ଫେଡକୁ କ୍ଷୀର ଯୋଗାଣ କରିଆସୁଛନ୍ତି। ଏଠାରୁ ବାହାରୁଥିବା ଗୋବର ଖତକୁ ଉପଯୋଗ କରି ସେ ୧୫ ଏକର ଜାଗାରେ ଜୈବିକ ସାର ବ୍ୟବହାର କରୁଛନ୍ତି।

Advertisment

ଲକ୍ଷ୍ମୀପ୍ରିୟାଙ୍କ କହିବା ମୁତାବକ, ୧୦ ବର୍ଷ ହେଲା ସେ କରୁଥିବା ପନିପରିବା ସମେତ ଅନ୍ୟାନ୍ୟ ଫସଲରେ ରାସାୟନିକ ସାର ବ୍ୟବହାର ହୋଇନାହିଁ। ସମୟାନୁକ୍ରମେ ଶ୍ରମିକମାନଙ୍କର ଅଭାବ ଦେଖି ସେ ତାଙ୍କର ୪ ଏକର ଜାଗାରେ ୫ ବର୍ଷ ହେଲା ଆଖୁଚାଷ ଆରମ୍ଭ କରିଛନ୍ତି। ପ୍ରତିବର୍ଷ ୨୦୦ ଟନ୍‌ ଆଖୁ ସେ ଢେଙ୍କାନାଳସ୍ଥିତ ଶକ୍ତି ସୁଗାର ମିଲ୍‌କୁ ପଠାଉଛନ୍ତି। ଏତଦ୍‌ବ୍ୟତୀତ ୫ ଏକର ଜାଗାରେ ଲେମ୍ବୁ ଗଛ ଲାଗିଥିବା ବେଳେ ବର୍ଷକୁ ଦୁଇରୁ ଅଢେଇ ଲକ୍ଷ ଲେମ୍ବୁ ବିକ୍ରି ହେଉଛି। ତାଙ୍କ ବଗିଚାରୁ ଉତ୍ପାଦିତ ଲେମ୍ବୁ ସବୁ ପୁରୀ, ଭୁବନେଶ୍ବର, କଟକ ଏବଂ ନୟାଗଡ଼କୁ ପଠାଯାଉଛି। ଲକ୍ଷ୍ମୀପ୍ରିୟା ଆଳୁ, ବାଇଗଣ, ଭେଣ୍ତି, କଖାରୁ, ନଡ଼ିଆ, କଦଳୀ, ବିଲାତି ଭଳି ବିଭିନ୍ନ ପନିପରିବା ଚାଷ କରିଥାନ୍ତି। ଏଥିସହିତ ୨ ଏକର ଜାଗାରେ ମାଛ ଚାଷ କରିଛନ୍ତି।  ଚାଷ କାର୍ଯ୍ୟରେ ତାଙ୍କୁ ସ୍ବାମୀ ଅରୁଣ, ଦିଅର ଅଞ୍ଜନ, ପୁଅ ଅଜିତ ଏବଂ ପୁତୁରା ଆଶୁତୋଷ ସାହାଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ, ସେ ୮ରୁ ୧୦ ଜଣ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି। ଆଜିର ଦିନରେ ସେ ମାସିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଜଣେ ମହିଳା କିଛି କରିବା ପାଇଁ ଚାହିଲେ ଦୃଢ଼ ଇଚ୍ଛାଶକ୍ତି ଆଗରେ ତାକୁ କୌଣସି ବାଧାବିଘ୍ନ ଅଟକାଇ ପାରିବ ନାହିଁ ବୋଲି କହିଛନ୍ତି ଲକ୍ଷ୍ମୀପ୍ରିୟା।