ହାଇକୋର୍ଟରେ ଲକ୍ଷ୍ମୀପୁର ନିର୍ବାଚନୀ ମାମଲା : ଇଭିଏମ୍ ସଂରକ୍ଷିତ କରି ରଖିବାକୁ ନିର୍ଦ୍ଦେଶ

କଟକ : ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସଂପର୍କିତ ଇଭିଏମ୍ ଓ ଭିଭିପାଟ ମେସିନ୍ ସଂରକ୍ଷିତ କରି ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀ ଲକ୍ଷ୍ମୀପୁର ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ୍ ଓ ଭିଭିପାଟ୍‌କୁ ସଂରକ୍ଷିତ କରି ରଖିବେ ଓ ଯଦି ଆବଶ୍ୟକ ପଡ଼େ ଏହା ହାଇକୋର୍ଟରେ ଦାଖଲ କରାଯିବ। ଏଥି ସହିତ ଲକ୍ଷ୍ମୀପୁର ନିର୍ବାଚନ ସଂପର୍କିତ ସମସ୍ତ ଅରିଜିନାଲ ରେକର୍ଡ ଓ ପ୍ରାର୍ଥୀଙ୍କ ସଂକ୍ରାନ୍ତୀୟ ନଥିପତ୍ର ଦାଖଲ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ଲକ୍ଷ୍ମୀପୁର ରିଟର୍ଣ୍ଣିଂ ଅଫିସର ଓ ଜୟପୁର ରିଟର୍ଣ୍ଣିଂ ଅଫିସରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୭ ତାରିଖ ସୁଦ୍ଧା ହାଇକୋର୍ଟ ରେଜିଷ୍ଟ୍ରିରେ ଏ ସଂପର୍କିତ ରେକର୍ଡ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆବେଦନକାରୀ ଓ ସମସ୍ତ ପ୍ରତିପକ୍ଷଙ୍କୁ ସାକ୍ଷୀଙ୍କ ତାଲିକା ଓ ଦସ୍ତାବିଜର ଚିଠା ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ‌ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୪କୁ ଧାର୍ଯ୍ୟ ଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲକ୍ଷ୍ମୀପୁର ଆସନରୁ ପରାଜିତ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ପକ୍ଷରୁ ରୁଜୁ ନିର୍ବାଚନୀ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଦାୟର ନିର୍ବାଚନୀ ମାମଲାରେ ଦର୍ଶାଯାଇଛି ଯେ, ବିଜୟୀ ପ୍ରାର୍ଥୀ ପ୍ରଭୁ ଜାନିଙ୍କ ନାମାଙ୍କନପତ୍ରରେ ତ୍ରୁଟି ଥିଲା। ରିଟର୍ଣ୍ଣିଂ ଅଫିସର ଶ୍ରୀ ଜାନିଙ୍କ ନାମାଙ୍କନପତ୍ର ଠିକ୍ ଭାବେ ଯାଞ୍ଚ କରି ନଥିଲେ। ନିର୍ବାଚନ ସମୟରେ ପ୍ରତିପକ୍ଷ ବିଧାୟକ ଅସାଧୁ ଉପାୟ ଅବଲମ୍ବନ କରିଥିଲେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଅନ୍ୟ କେତେକ ପ୍ରତିପକ୍ଷ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଓ ସତ୍ୟପାଠରେ ତ୍ରୁଟି ଥିଲା। ଲକ୍ଷ୍ମୀପୁର ବିଧାନସଭା ଆସନ ଅନୁସୂଚିତ ଜନଜାତି(ଏସ୍‌ଟି) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଜଣେ ପ୍ରାର୍ଥୀ ଏହି ବର୍ଗର ନ ହୋଇ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ନାମାଙ୍କନପତ୍ର କାଏମ ରହିଥିବା ବେଳେ ସେ ନିର୍ବାଚନରେ ହାରିଥିଲେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏପରି ପରିସ୍ଥିତିରେ ପ୍ରଭୁ ଜାନିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଓ ଆବେଦନକାରୀଙ୍କୁ ବିଜୟୀ ଭାବେ ଘୋଷଣା କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ବିଧାୟକ ପ୍ରଭୁ ଜାନି, ବିଜେପି ପ୍ରାର୍ଥୀ କୁମୁଦ ଚନ୍ଦ୍ର ସୁଆନ୍ତ, ବିଏସପି ପ୍ରାର୍ଥୀ ଅନିତା ସଗରିଆ, ସିପିଆଇ(ଏମଏଲ)ପ୍ରାର୍ଥୀ ପୂର୍ଣ୍ଣ ମାଡିଙ୍ଗୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ନିର୍ବାଚନରେ ୨୨୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ବିଜୟୀ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଥିବାବେଳେ ପୁଷ୍ପରାଜ ଭରଦ୍ବାଜ, ରଶ୍ମିରେଖା ପଣ୍ଡା, ଭବାନୀଶଙ୍କର ପାଣିଗ୍ରାହୀ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର