୭ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର

୨୯.୪୧ କୋଟି ଟଙ୍କାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ଉଦ୍‌ଘାଟିତ
ଅକ୍ସିଜେନ୍‌ ଯୋଗାଇ ଓଡ଼ିଶା ନାଁ କରିଛି: ମୁଖ୍ୟମନ୍ତ୍ରୀ
ରଜ, ସାବିତ୍ରୀରେ ଲୋକଙ୍କୁ ସତର୍କ ରହିବାକୁ ନିବେଦନ

ଭୁବନେଶ୍ବର : ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ ୭ଟି ପିଏସ୍‌ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ସ୍ଥାନଗୁଡ଼ିକ ହେଲା ବାଲେଶ୍ବରର ଏଫ୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌, କୋରାପୁଟର ଏସ୍‌ଏଲ୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍‌, ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାର ଭୀମ୍‌ସାର୍‌, କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଏବଂ ନବରଙ୍ଗପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଅକ୍ସିଜେନ୍ ପ୍ଲାଣ୍ଟ୍‌ ବାଦ୍ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ ଆର୍‌ଟି-ପିସିଆର୍‌ ଟେଷ୍ଟ ଲାବୋରେଟୋରିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ଦ୍ବିତୀୟ ଲହରରେ ମେଡିକାଲ ଅକ୍ସିଜେନ୍‌ର ଆବଶ୍ୟକତା ବହୁତ ବଢ଼ିଯାଇଥିଲା। ଏହି ସମୟରେ ଓଡ଼ିଶାରେ ଅକ୍ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇ ନାହିଁ।

ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡ଼ିଶା ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି। ଓଡ଼ିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡ଼ିଆଙ୍କ ନିମନ୍ତେ ଏହା ଆତ୍ମସନ୍ତୋଷର ବିଷୟ। ଅକ୍ସିଜେନର ଉତ୍ପାଦନ ଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା। ଏଥିରେ ବହୁତ ଯନ୍ତ୍ରପାତି, ଯାନବାହାନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ। ଓଡ଼ିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନ୍‌ରୁ ମଧ୍ୟ ଅକ୍ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ଼ କରିଛୁ। ରାଜ୍ୟର ସମସ୍ତ ପ୍ରମୁଖ ହସ୍‌ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି।

କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଲେ ଯେ ବର୍ତ୍ତମାନ ଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଏଥି ପାଇଁ ଆମର ସ୍ବାସ୍ଥ୍ୟ ଭିତ୍ତିଭୂମି, ସ୍ବାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କାମ କରାଯାଉଛି। ଆଜିର ନୂଆ ବ୍ୟବସ୍ଥାଗୁଡ଼ିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହି ସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ପାଇଁ ସେ ଧନ୍ୟବାଦ ଜଣାଇଥିଲେ। ରଜ ଓ ସାବିତ୍ରୀ ପରି ଉତ୍ସବ ସମୟରେ ଜନସାଧାରଣ ସତର୍କ ରହି ସମସ୍ତ କୋଭିଡ ନିୟମ ମାନି ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ାରୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇ କହିଲେ ଯେ ଓଡ଼ିଶା ବର୍ତ୍ତମାନ ଅକ୍ସିଜେନ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ନୂଆ ଆଶା ହୋଇପାରିଛି। ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ବାରା ଓଡ଼ିଶା ତୃତୀୟ ଲହରର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ। ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ବରରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ସରକାରୀ ଦଳ ଉପମୁଖ୍ୟ ସଚେତକ, ନବରଙ୍ଗପୁର ସାଂସଦ, ବାଲେଶ୍ବର, କୋରାପୁଟ, ବଲାଙ୍ଗୀର, କଟକ-ଚୌଦ୍ବାର ଓ ନବରଙ୍ଗପୁର ବିଧାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାମାତ୍ର କହିଥିଲେ ଯେ ବର୍ତ୍ତମାନ ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାରେ ଆର୍‌ଟି-ପିସିଆର୍‌ ଟେଷ୍ଟ ଲାବୋରେଟୋରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ। ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର