ତାଳସାରି ଓ ଉଦୟପୁର ସମୁଦ୍ର ତଟ ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଏହି ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେଲେ ଓଡ଼ିଶାର ପ୍ରଗତିରେ ସହାୟକ ହେବ: ମୁଖ୍ୟମନ୍ତ୍ରୀ

ଭୋଗରାଇ : ଭୋଗରାଇ ବାସୀ ଦୀର୍ଘଦିନ ଧରି ତାଳସାରି ଓ ଉଦୟପୁର ବେଳାଭୂମିର ବିକାଶ ପାଇଁ ଯେଉଁ ଦାବି କରି ଆସୁଥିଲେ ଆଜି ତାହା ପୂରଣ ହୋଇଛି। ଏହି ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେଲେ ସ୍ଥାନୀୟ ଲୋକଙ୍କ ରୋଜଗାରର ବାଟ ଫିଟିବା ସହ ଭୋଗରାଇ ବ୍ଲକ ସହିତ ବାଲେଶ୍ୱର ଜିଲ୍ଲା ତଥା ଓଡ଼ିଶାର ପ୍ରଗତିରେ ସହାୟକ ହୋଇପାରିବ ବୋଲି ଗୁରୁବାର ଭୁବନେଶ୍ୱର ଠାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରି-ଉଦୟପୁର ବେଳାଭୂମି ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ଅଲୋକୀକରଣର ଭର୍ଚୁଆଲ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବର୍ତ୍ତାରେ ମତବ୍ୟକ୍ତ କରିଛନ୍ତି।

ଅପରପକ୍ଷରେ ତାଳସାରି ଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି ତଥା ଓଡ଼ିଆ ଭାଷା ସାହିତ୍ୟ ବିକାଶ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ   ଏହି ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ବିଧାୟକ ଶ୍ରୀ ଦାସଙ୍କ ଅହରହ ପ୍ରଚେଷ୍ଟା ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ସୀମାନ୍ତରେ ଥିବା ଏହି ଦୁଇ ବେଳାଭୂମିକୁ ବିଶ୍ୱସ୍ତରୀୟ ବେଳାଭୂମିକୁ ଆଜି ପରିଣିତ କରିବାକୁ ଯାଉଛି। ଏହି ପର୍ଯ୍ୟଟନ କ୍ଷେତ୍ର ଦେଶର ଅନ୍ୟ ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରକୁ ଦିଗଦର୍ଶନ ଦେବ। ସ୍ଥାନୀୟ ଲୋକଙ୍କ ସହଯୋଗ ରହିଲେ ଏହା ସମ୍ଭବ ହୋଇପାରିବ। ସେହିପରି ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ଓ ବାବା ଭୂଷଣ୍ଡେଶ୍ଵର ଶୈବପୀଠକୁ ମଧ୍ୟ ଏକ ତୀର୍ଥ ପର୍ଯ୍ୟଟନସ୍ଥଳୀ ଭାବେ ସ୍ଥାନିତ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ କହିଥିଲେ ଯେ ସୀମାନ୍ତରେ ଏହି ଦୁଇ ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ଓଡ଼ିଶା ପାଇଁ ହେବ ମୁଖଶାଳା ସଦୃଶ। ଏହା ଦେଶର ୧ନମ୍ବର ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତି ପାଇବ। ପ୍ରାଥମିକ ପର୍ଯ୍ୟାୟରେ ୩୬ କୋଟି ଟଙ୍କା ବ୍ୟୟ ମଞ୍ଜୁରୀରେ ଚନ୍ଦନେଶ୍ୱରରୁ ଉଦୟପୁର ବେଳାଭୂମି ଓ ସେଠାରୁ ତାଳସାରି ବେଳାଭୂମି ପର୍ଯ୍ୟନ୍ତ ଅଲୋକୀକରଣ ସହିତ ସମୂଦ୍ର ତଟ ବିକଶିତ କରାଯିବ। ଏଥି ସହିତ ଉଦୟପୁର-ତାଳସାରି ମେରାଇନ ଡ୍ରାଇଭ, ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯିବ। ପର୍ଯ୍ୟାୟକ୍ରମେ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ବିଧାୟକ ଶ୍ରୀ ଦାସ କହିଥିଲେ ଯେ, ୨୦୦୬ ମସିହାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଠାକୁ ଆସି ଉତ୍କଳ ସମ୍ମିଳନୀରେ ଯୋଗ ଦେଇଥିଲେ ଓ ତାଳସାରି ବେଳାଭୂମି ଠାରେ ଥିବା ପାନ୍ଥ ନିବାସରେ ରାତ୍ରୀ ଯାପନ କରିଥିଲେ। ସେତେବେଳେ ଏହି ବେଳାଭୂମିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଏହାର ବିକାଶ ଦାୟିତ୍ୱ ନିଜେ ନେଇଥିଲେ। ଆଜି ତାହା ସଫଳ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ବ୍ଲକ ଶିକ୍ଷାଧିକାରୀ ଭଗିରଥ ଗିରି ମଞ୍ଚକୁ ଅତିଥିଙ୍କୁ ଆମନ୍ତ୍ରଣ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ଲକ ଉପାଧ୍ୟକ୍ଷ ଦୀପକ ଦାସ, ପୂର୍ବତନ ବ୍ଲକ ଅଧକ୍ଷ ଗଣପତି ଗିରି, ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା, ଭୋଗରାଇ ସରପଞ୍ଚ ପ୍ରବୀର ଗିରି, ଭୁବନାନନ୍ଦ ଦାସ, ରମାକାନ୍ତ କରଣ, ସନ୍ତୋଷ ଦାସ, ଦେବାଶିଷ ଚାନ୍ଦ, ହେମନ୍ତ କୁମାର ବେହେରା, ପ୍ରଦୀପ କୁମାର ବେହେରା, ନଗେନ୍ଦ୍ର ନାଥ ପାତ୍ର, ତହସିଲଦାର କମଳାକାନ୍ତ ପଣ୍ଡା, ଏସଡିପି ଓ ଅଙ୍କିତା କୁମ୍ଭାର, ବିଡିଓ ସତ୍ୟଜିତ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର