କବାଟବନ୍ଧ: ଜାତୀୟ ରାଜପଥ ପାର୍ଶ୍ବରେ ତଥା ଜନବସତି ଅଞ୍ଚଳରେ ଗଢିଉଠିଥିବା କ୍ରସର ୟୁନିଟ୍ ଉଠାଇ ଅନ୍ୟତ୍ର ଥଇଥାନ କରିବା ଉଦ୍ଦେଶ୍ୟରେ ସରକାର ସିଙ୍ଗିଲ୍ ଉଇଣ୍ଡୋ ଜରିଆରେ କ୍ରସର ହବ୍ ନିର୍ମାଣ କରିବା ପାଇଁ ୪ ବର୍ଷ ପୂର୍ବେ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣ କରାଯାଇ ଜନବସତିଠାରୁ ଦୂରରେ କ୍ରସର ୟୁନିଟ୍ ବସାଇବା ପାଇଁ ଯୋଜନା କରାଯାଇଥିଲା। ସେଥିପାଇଁ ଇଡକୋ ପକ୍ଷରୁ ଅଞ୍ଜିରା(ଏ) ଇଣ୍ତଷ୍ଟ୍ରି ଏରିଆରେ ୨୪ ଟି, ଅଞ୍ଜିରା (ବି)ରେ ୮ ଟି କ୍ରସର ସମେତ ଆରୁହାରେ ୩୩ ଟି ଏବଂ ବରଡ଼ାରେ ୩୨ ଟି କ୍ରସର ବସାଇବା ପାଇଁ ଯୋଜନା ରହିଛି। ଇଡକୋ ପାଣ୍ଠିରୁ ଅଞ୍ଜିରା(ଏ) ପାଇଁ ୧ କୋଟି ୧୦ ଲକ୍ଷ ୫୫ ହଜାର ୯୮୯ ଟଙ୍କା, ଅଞ୍ଜିରା (ବି) ପାଇଁ ୪୫ ଲକ୍ଷ ୫୩ ହଜାର ୮୩୨ ଟଙ୍କା, ଆରୁହା ପାଇଁ ୧ କୋଟି ୨୮ ଲକ୍ଷ ୯୧ ହଜାର ୬୧୩ ଟଙ୍କା ଏବଂ ବରଡା କ୍ରସର ହବ୍ ପାଇଁ ୧ କୋଟି ୧୫ ଲକ୍ଷ ୪୫ ହଜାର ୯୨୮ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଯୋଜନାରେ କ୍ରସର ବସାଇବା ପାଇଁ ଅନେକ ବ୍ୟକ୍ତି ଇଡ୍କୋ ନିକଟରେ ଆବେଦନ କରି ଟଙ୍କା ମଧ୍ୟ ଜମା କରିଛନ୍ତି। ଆଜି ଅପରାହ୍ଣରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଅଞ୍ଜିରା ଆସି ଏକ କ୍ରସର ହବ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ବିଧାୟକଙ୍କ ପ୍ରତିନିଧି ନିର୍ମଳ ଚନ୍ଦ୍ର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଉତ୍କମଣି ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ଜଳଧର ମହାନ୍ତି, ପ୍ରଣତି ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁରେଖା ନାୟକ, ବ୍ଲକ ଯୁବ ବିଜେଡି ସଭାପତି କ୍ଷିତୀଶ କୁମାର ନାୟକ, ନିରଞ୍ଜନ ରାଉତ, ବ୍ଲକ୍ ଉପାଧ୍ୟକ୍ଷଙ୍କ ପ୍ରତିନିଧି ତାପସ କୁମାର ପଣ୍ତା, ଅଞ୍ଜିରା ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ କୁମାର ସାହୁ, ଅକ୍ଷୟ କୁମାର ପ୍ରଧାନ, ପ୍ରହଲ୍ଲାଦ ଲେଙ୍କା ଇଡକୋ ପକ୍ଷରୁ ଶକ୍ତି ମହାପାତ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।