କିଟ୍‌ରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ର ଭିତ୍ତିପ୍ରସ୍ତର ସ୍ଥାପନ

ନିରନ୍ତର ଆଇନ ଶିକ୍ଷାର ଧାରା ସୃଷ୍ଟି କରିବ ଆଇଆଇଏଲ୍‌: ଜଷ୍ଟିସ୍‌ ଲଳିତ୍‌

ବାର୍‌ କାଉନସିଲ୍‌ ଇତିହାସରେ ଏକ ମାଇଲଖୁଣ୍ଟ ହେବ: ଜଷ୍ଟିସ୍ ଗଭାଇ
ଆଇନ ଶିକ୍ଷାବିତ୍‍ ଓ ଆଇନଜୀବୀଙ୍କ ମଧ୍ୟରେ ସମ୍ପର୍କର ସେତୁ ପାଲଟିବ: ଜଷ୍ଟିସ୍ ରାମସୁବ୍ରମଣ୍ୟମ

ଭୁବନେଶ୍ବର : ଜୀବନରେ ପରିବର୍ତ୍ତନ ହେଉଛି ଏକମାତ୍ର ସ୍ଥିର। ତେଣୁ କେବେବି ଜ୍ଞାନ ଆହରଣ ବନ୍ଦ ହେବା ଉଚିତ ନୁହେଁ। କେତେବେଳେ କେଉଁ ଜ୍ଞାନ କାମରେ ଆସିବ ତାହା କହିହେବନି। ସମସ୍ତ ପ୍ରକାରର ବୃତ୍ତିରେ ନିରନ୍ତର ଶିକ୍ଷାର ଗୁରୁତ୍ବ ରହିଛି। ନିରନ୍ତର ଆଇନ ଶିକ୍ଷାର ଧାରା ସୃଷ୍ଟି କରିବାରେ ‘ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ (ଆଇଆଇଏଲ୍‌) ପ୍ରଥମ ଅନୁଷ୍ଠାନ ପାଲଟିବ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ନିରନ୍ତର ଶିକ୍ଷା ଲାଭ କରିବାର ଅଭ୍ୟାସ ସୃଷ୍ଟି କରିପାରିବ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ୍‌ କହିଛନ୍ତି।

ଶନିବାର ଦିନ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ବାର୍‌ କାଉନସିଲ୍‌ ଅଫ୍ ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ କିଟ୍‌ ବିଶ୍ବବିଦ୍ୟାଳୟ ସହାୟତାରେ ଆୟୋଜିତ ଆଇଆଇଏଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ୍‌ ଲଳିତ୍‌ କହିଥିଲେ ଯେ, ଆଇନଜୀବୀଙ୍କୁ ନିରନ୍ତର ଶିକ୍ଷା ହାସଲ କରିବାକୁ ହେବ। ତେବେ ଯାଇ ପରିବର୍ତ୍ତିତ ଦୁନିଆରେ ସେମାନେ ନ୍ୟାୟିକ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ।
ଏଥିରେ ଅନ୍ୟତମ ଅତିଥି ଭାବେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଭୂଷଣ ରାମକୃଷ୍ଣ ଗଭାଇ କହିଥିଲେ ଯେ, ୧୯୮୮ ମସିହାରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରି ଆଇନ ଶିକ୍ଷା ଓ ଆଇନଜୀବୀ ମାନରେ ଆଖିଦୃଶିଆ ପରିବର୍ତ୍ତନ ଆଣିଥିଲା। ଆଇଆଇଏଲ୍‌ ପ୍ରତିଷ୍ଠା ବାର୍‌ କାଉନସିଲ୍‌ ଇତିହାସରେ ଏକ ମାଇଲଖୁଣ୍ଟ ହୋଇ ରହିବ। ଆଇଆଇଏଲ୍‌ ମାଧ୍ୟମରେ ଦେଶରେ ଗୁଣାତ୍ମକ ଆଇନ ଶିକ୍ଷକ ସୃଷ୍ଟି ହୋଇପାରିବେ ବୋଲି ଜଷ୍ଟିସ୍‌ ଗଭାଇ କହିଥିଲେ।

କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଭି.ରାମସୁବ୍ରମଣ୍ୟନ କହିଥିଲେ ଯେ, ବର୍ତ୍ତମାନ ଦେଶରେ ହଜାରେରୁ ଅଧିକ ଆଇନ କଲେଜ ରହିଥିବା ବେଳେ ପ୍ରତିବର୍ଷ ପ୍ରାୟ ୨ଲକ୍ଷ ୫୦ ହଜାର ଆଇନ ସ୍ନାତକ ଉତ୍ତୀର୍ଣ୍ଣ ହେଉଛନ୍ତି। କିନ୍ତୁ ଆଇଆଇଏଲ୍‍ ଆଇନ ଶିକ୍ଷାବିତ୍‍ ଓ ଆଇନଜୀବୀଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ସେତୁ ପାଲଟିବ।

ଏହି କାର୍ଯ୍ୟକ୍ରମରେ ଭାରତର ବିଶିଷ୍ଟ ଆଇନ ଶିକ୍ଷାବିତ୍‍ ପ୍ରଫେସର ଏନ୍‌.ଏଲ୍‌ ମିତ୍ର ଆଇଆଇଏଲ୍‍ ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ କହିଥିଲେ, ଓଡ଼ିଶାରେ ଆଇଆଇଏଲ୍‌ ପ୍ରତିଷ୍ଠା ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ବିସିଆଇ ଏଥିପାଇଁ କିଟ୍‌କୁ ସହଯୋଗୀ ଭାବେ ଗ୍ରହଣ କରିଥିବାରୁ କିଟ୍‌ ନିଜକୁ ଧନ୍ୟ ମନେ କରୁଛି।

ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା କହିଥିଲେ ଯେ, ଗତ ତିନି ଦଶନ୍ଧି ମଧ୍ୟରେ ଆଇନ ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଏବେ ଛା‌ତ୍ରଛାତ୍ରୀଙ୍କ ମଧ୍ୟରେ ଇଞ୍ଜିନିୟରିଂ, ମେଡିକାଲ ଓ ମ୍ୟାନେଜମେଣ୍ଟ ଭଳି ଆଇନ ଶିକ୍ଷା ବି ପସନ୍ଦର ପାଠ୍ୟକ୍ରମ ପାଲଟିଛି।

ଏହି କାର୍ଯ୍ୟକ୍ରମରେ ବିସିଆଇ ତଥା ବିସିଆଇ ଟ୍ରଷ୍ଟର ଅଧ୍ୟକ୍ଷ ମନନ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ୍‌ ସ୍ପେସିଆଲ୍‌ କମିଟି ସଦସ୍ୟ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି, ପୂର୍ବତନ ବିଚାରପତିଙ୍କ ସମେତ ବିସିଆଇ ଓ ବିସିଆଇ ଟ୍ରଷ୍ଟର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।

ସୂଚନାଯୋଗ୍ୟ ଯେ, ଆଇଆଇଏଲ୍‍ ଆଇନ ଶିକ୍ଷକଙ୍କ ତାଲିମ୍ ଓ ଗବେଷଣା କ୍ଷେତ୍ରରେ ଏକ ଆଦର୍ଶ ଅନୁଷ୍ଠାନ ହେବ। ସମଗ୍ର ଦେଶରେ ଏହା ପ୍ରଥମ। ଭୁବନେଶ୍ୱରରେ ଆଇଆଇଏଲ୍‍ ପ୍ରତିଷ୍ଠା ନେଇ କିଟ୍‍ ଓ ବିସିଆଇ ଟ୍ରଷ୍ଟ ମଧ୍ୟରେ ପୂର୍ବରୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଅନୁସାରେ କିଟ୍‍ ଆବଶ୍ୟକ ଜମି ଯୋଗାଇବ। ୧.୫ ଲକ୍ଷ ବର୍ଗଫୁଟ ଜମିରେ ନିର୍ମାଣ ହେବାକୁ ଥିବା ଆଇଆଇଏଲ୍‍ର ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ କିଟ୍‌ ବହନ କରିବ।

ସମ୍ବନ୍ଧିତ ଖବର