ନେତା-ପ୍ରଶାସକ-ଠିକାଦାରଙ୍କ ମଧୁଚନ୍ଦ୍ରିକା

ସରକାରଙ୍କ ଛାଇ ଆଢୁଆଳରେ ଚାଲିଛି ବଡ଼ କେଳେଙ୍କାରୀ

ମମିତା ହତ୍ୟା ମାମଲାରେ ପ୍ରମାଣ କରିଦେଲା ଗୋବିନ୍ଦ ସାହୁ କ୍ଷମତାକୁ ଭରପୂର ବ୍ୟବହାର କରିଛି, ରାଜା ଭଳି ରଖିଛି ପ୍ରଭାବ
ସ୍ମିତାରାଣୀ, ପରୀ, ମାହାଙ୍ଗା ମାମଲାରେ ବି ଏସବୁ ଚର୍ଚ୍ଚାକୁ ଆସିଥିଲା
କାହା ସୁରକ୍ଷା ପାଇଁ ପୁଲିସର ପ୍ରମାଣ ସଂଗ୍ରହ ଭିଡ଼ିଓ ପଦାକୁ ଆସିଲା?

ଭୁବନେଶ୍ୱର : ଶାସନକୁ ଆସିବାର କିଛି ବର୍ଷ ମଧ୍ୟରେ ଓଡ଼ିଶାର ବଛାବଛା ଆଗଧାଡିର ଠିକାଦାରଙ୍କୁ ବାନ୍ଧି ଜେଲରେ ପୂରାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘଟଣା ସେବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ନବୀନଙ୍କ ଲୋକପ୍ରିୟତା ଓ ବିଶ୍ବସନୀୟତା ବୃଦ୍ଧି ପଛର ଅନେକ କାରଣ ମଧ୍ୟରୁ ଇଏ ଗୋଟିଏ।

ଏବେ କିନ୍ତୁ ଶାସକ ଦଳର ନେତା-ଅଫିସର-ଠିକାଦାରଙ୍କ ନିବିଡ଼ତା ସରକାରଙ୍କ ଲୋକପ୍ରିୟତାକୁ ଖିନ୍‌ଭିନ୍ କରିବାକୁ ବସିଲାଣି। ଭୀଷଣ ବିପଦ ସାଜି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପ୍ରତି ଆଘାତ ପହଞ୍ଚାଇବା ସ୍ଥିତିକୁ ଆସିଯାଇଛି।

ଯାଜପୁର ଜିଲ୍ଲାର ସ୍ମିତାରାଣୀ ହତ୍ୟାକାଣ୍ଡର ଚର୍ଚ୍ଚିତ ବ୍ୟକ୍ତି ରୂପେଶ ଭଦ୍ର, ପରୀ ହତ୍ୟାକାଣ୍ଡରେ ବିବାଦକୁ ଆସିଥିବା ବାବୁଲି ନାୟକ ଘଟଣାରେ ଏକଥା ଅଳ୍ପ ବହୁତେ ଆଲୋଚନାକୁ ଆସିଥିଲା। ଶାସକ ଦଳର ନେତା-ସରକାରୀ ବାବୁଙ୍କ ସହିତ ଘନିଷ୍ଠତା ନେଇ ସରକାର ସମାଲୋଚିତ ହୋଇଥିଲେ। ସେହିଭଳି ବହୁଚର୍ଚ୍ଚିତ ମାହାଙ୍ଗା ମାମଲାରେ ମୂଳ ବିବାଦ ବି ସେହି ଠିକାଦାରୀରୁ ଆରମ୍ଭ ହୋଇଥିଲା। କୁଳମଣି ବରାଳ ନୃତାଙ୍ଗ ପଞ୍ଚାୟତ ବିଜୁ ସେତୁ ଘଟଣାରେ ଯେଉଁ ଆଭିମୁଖ୍ୟ ଗ୍ରହଣ କଲେ ଏବଂ କୁଆଁପାଳ-ପାଗା ରାସ୍ତା କେଳେଙ୍କାରୀ ସାମ୍ନାକୁ ଆଣିଲେ, ସେହିଠାରୁ ହିଁ ବିବାଦ ଆଗକୁ ବଢି ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଚାଲିଗଲା।

ସଂପ୍ରତି ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଏବଂ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର କାରନାମାରୁ ପ୍ରମାଣିତ ହେଉଛି ଯେ ସରକାରରେ ଠିକାଦାରମାନଙ୍କ କାଟତି ଓ ପ୍ରଶାସନ ଓ ନେତାଙ୍କ ମହଲରେ ସେମାନଙ୍କର ଦବଦବା କେତେ। ଏହି ମାମଲାରେ ଏକଥା ବି ସାମ୍ନାକୁ ଆସିଛି ଯେ ଗୋବିନ୍ଦ ସାହୁମାନେ ଓଡ଼ିଶାର ଅଧିକାଂଶ ବ୍ଲକ ଓ ସହରାଞ୍ଚଳରେ ପ୍ରଶାସନକୁ ହାତବାରିସି କରି ବ୍ୟବସ୍ଥାର ତୃଣମୂଳସ୍ତରକୁ କୋରି ଖାଇଦେଲେଣି ଓ ବ୍ୟଭିଚାର ଏବଂ ଭ୍ରଷ୍ଟାଚାରର ବୀଜ ବୁଣି ସାରିଲେଣି।

କେବଳ ସେତିକି ନୁହେଁ, ଏହି ଘଟଣାରେ ରାଜନୈତିକ ମହଲ ଆଉ ଗୋଟିଏ ଦିଗ ସଂପର୍କରେ ଆଙ୍ଗୁଠି ଉଠାଇଛନ୍ତି। ରାଜ୍ୟରେ ଗୋଟିଏ ଗୋଷ୍ଠୀ ଶିକ୍ଷା ବେପାର ଆଳରେ କୁକର୍ମରେ ଲିପ୍ତ ଅଛନ୍ତି। ସରକାରୀ ଯୋଜନା ଅର୍ଥ ଓ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଧାୟକ ଏବଂ ସାଂସଦ ପାଣ୍ଠି ହାତେଇ ସମାନ୍ତରାଳ ଶିକ୍ଷା ବ୍ୟବସ୍ଥା ଗଢି ନିଜର ପରିଚୟ ସୃଷ୍ଟି କରୁଛନ୍ତି।

ଅଥଚ ସାଧାରଣ ଲୋକଙ୍କୁ ଶୋଷୁଛନ୍ତି, ସରକାରଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେଉଛନ୍ତି। ଠିକାଦାର ଗୋବିନ୍ଦ ଯାବତୀୟ କେଳେଙ୍କାରୀରେ ଲିପ୍ତ ରହି ଯେଭଳି ଶିକ୍ଷାବିତ୍ ଖୋଳପା ପିନ୍ଧିବାକୁ ଉଦ୍ୟମ କରିଥିଲା, ଏହାଠାରୁ ଆଉ ବଳିଷ୍ଠ ଉଦାହରଣ କଣ ହୋଇପାରେ।

ଏହି ମହଲର ଦ୍ବିତୀୟ ଯୁକ୍ତିଟି ହେଉଛି, ଜଣେ ବ୍ଲକସ୍ତରର ଠିକାଦାର ଗୋବିନ୍ଦ ସାହୁର ପ୍ରଭାବ, ଦରବାର, ପତିଆରା ଓ ସଂପତ୍ତି ପ୍ରମାଣ କରିଦେଉଛି ଯେ କେଉଁ ସ୍ଥିତିକୁ ଏହି ବ୍ୟବସ୍ଥା ଟାଣିହୋଇଗଲେଣି। ସେ ତୁଳନାରେ ରାଜ୍ୟରେ ଯେଉଁ କିଛି ଖଣି ଓ ପରିବହନ ଠିକାଦାର ବା ମାଫିଆ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିବାର କ୍ଷମତା ରଖନ୍ତି, ସେମାନଙ୍କର ହାତ କେତେ ଲମ୍ବା ଥିବ, ତାହା ଏଥିରୁ ସହଜରେ ଅନୁମେୟ।


ଏଭଳି ଜଣେ ଠିକାଦାର ସହିତ ଘନିଷ୍ଠତା ଓ ତାକୁ ଖୋଲାଖୋଲି ପ୍ରଶଂସାରେ ପୋତି ପକାଇବା ଆଦି ଘଟଣା ସବୁକୁ ନେଇ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚର୍ଚ୍ଚାରେ ଅଛନ୍ତି। ମମିତା ହତ୍ୟା ମାମଲାରେ ତାଙ୍କ ଭୂମିକା କଣ, ତାହା ଏବେ ଅନୁସନ୍ଧାନ ସାପେକ୍ଷ। ଏକଥା ବି ସମସ୍ତେ ଜାଣନ୍ତି ଯେ ଗୃହ ମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ଯାଏ ଆଇନ ତା ରାସ୍ତାରେ ଆଦୌ ଯାଇପାରିବ ନାହିଁ କି ତଦନ୍ତକାରୀ ଅଧିକାରୀ ତାଙ୍କର ସଂପୃକ୍ତି ନେଇ ଉଠୁଥିବା ଦିଗ ଉପରେ ଆଦୌ ଅନୁସନ୍ଧାନ କରିପାରିବେ ନାହିଁ। ରାଜ୍ୟର ବଡ ବଡ ଠିକାଦାରଙ୍କୁ ବାନ୍ଧି ଜେଲ ପଠାଇଥିବା ସରକାର କାହିଁକି ଓ କାହା ଚାପରେ ଦିବ୍ୟଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି, ତାହା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବୁଦ୍ଧିଜୀବୀ ମହଲକୁ ମଧ୍ୟ ବିସ୍ମିତ କରୁଛି।

ଏଇଥପାଇଁ ଯେ ଗୋଟିଏ ପଟେ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ମିଳୁଥିବା ବେଳେ ଅନ୍ୟପଟେ ତଦନ୍ତକାରୀ ପୁଲିସର କାରନାମା ସମୁଦାୟ ପ୍ରସଙ୍ଗର ଗମ୍ଭୀରତାକୁ ବଢ଼ାଇ ଦେଲାଣି। ଶୁକ୍ରବାର ଭୋର ଚାରିଟାରୁ ଗୋବିନ୍ଦକୁ ନେଇ ପୁଲିସ ଯେଉଁ ଅପରାଧର ରହସ୍ୟ ଉନ୍ମୋଚନ ଉଦ୍ୟମ କରିଥିଲା, ତାହାର ଉଦ୍ଦେଶ୍ୟ ହେଉଛି ତା’ ବିରୋଧରେ ପ୍ରମାଣକୁ ଅଧିକ ମଜବୁତ କରିବା; ଯାହା କୋର୍ଟରେ ଦାଖଲ ହେବା କଥା। ଏହି ଭିଡ଼ିଓ ଗଣମାଧ୍ୟମ ଯାଏ ଆସିଲା କେମିତି? କିଏ ଦେଲା? ପୁଲିସ ଏହାଦ୍ବାରା କଣ ପ୍ରମାଣିତ କରିବାକୁ ଚାହିଁଲା?

ଏହି ଭିଡ଼ିଓ ସହିତ ଯୋଡି ହୋଇଥିବା ଅଡ଼ିଓ ପୁଲିସ ତଦନ୍ତର ସଠିକତା ଉପରେ ପ୍ରଶ୍ନ ଉଠାଇବା ଲାଗି ଯଥେଷ୍ଟ ସୁଯୋଗ ରଖିଛି। ଏଥିରୁ ଆସୁଥିବା ସ୍ବର ସୂଚାଇ ଦେଉଛି ଯେ ସବୁକିଛି ଯୋଜନାବଦ୍ଧ ଭାବେ କରାଯାଉଛି। ସ୍ବାଭାବିକ ଭାବେ ଲୋକଙ୍କ ମନରେ ସନ୍ଦେହ ବଢ଼ିବ। ଏହା ଆଉ ଏକ ଅଭିଯୋଗ ଲାଗି ସୁଯୋଗ ସୃଷ୍ଟି କରିଛି। ପୂର୍ବରୁ କେଉଁ ମାମଲାରେ ପୁଲିସ ଅଧିକାରୀମାନେ ଏଭଳି ଭିଡ଼ିଓ ଜାରି କରିଥିଲେ? ଯଦି ଅନ୍ୟମାମଲାରେ ହେଉନଥିଲା, ତାହାହଲେ ଏବେ କାହିଁକି?

ସମ୍ବନ୍ଧିତ ଖବର